ନୂଆଦିଲ୍ଲୀ,୦୫/୧୧:  ଭାରତୀୟ କ୍ରିକେଟର୍‌ ସ୍ମୃତି ମନ୍ଧାନାଙ୍କୁ ବିବାହ କରିବେ ଲୋକପ୍ରିୟ ମ୍ୟୁଜିକ୍‌ କମ୍ପୋଜର ପଲାଶ ମୁଛଲ । ବିବାହ ପୂର୍ବରୁ ସେ ସ୍ମୃତିଙ୍କୁ ଅନନ୍ୟ ଉପହାର ଦେଇଛନ୍ତି । ନିଜ ବାମ ବାହୁରେ ‘ଏସ୍‌ଏମ୍‌ ୧୮’ ଟାଟୁ କରାଇଛନ୍ତି । ଏହା ପଲାଶଙ୍କ ତରଫରୁ ସ୍ମୃତିଙ୍କୁ ଶ୍ରଦ୍ଧାପୂର୍ବକ ସମ୍ମାନ, ଯିଏକି ମହିଳା ବିଶ୍ୱକପ୍‌ କ୍ରିକେଟ୍‌-୨୦୨୫ରେ ଭାରତକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଏକ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ୍‌ରେ ପଲାଶ ନିଜ ବାହୁରେ ‘ଏସ୍‌ଏମ୍‌ ୧୮’ ଲେଖାଥିବା ଟାଟୁ ପ୍ରଦର୍ଶନ କରିଛନ୍ତି । ଏହା ସ୍ମୃତିଙ୍କ ନାଁ ଓ ତାଙ୍କ ଜର୍ସି ନମ୍ବର୍‌କୁ ଦର୍ଶାଉଛି ।

ଗତ ରବିବାର ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଜିତିବା ପରେ ପଲାଶଙ୍କ ଟାଟୁ ଚର୍ଚ୍ଚାର ବିଷୟ ହୋଇଛି । ସ୍ମୃତି ଓ ପଲାଶଙ୍କର ବିଶ୍ୱକପ୍‌ ଟ୍ରଫି ଧରିଥିବା ଏକ ଫଟୋ ଫ୍ୟାନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛି । ସୋସିଆଲ ମିଡିଆ ୟୁଜର ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି । ସେ କେବଳ ସ୍ମୃତିଙ୍କ ସହିତ ଭାରତର ବିଜୟ ଖୁସିକୁ ସେଲିବ୍ରେଟ୍‌ କରୁଛନ୍ତି ତାହା ନୁହେଁ, ଉଭୟଙ୍କ ନିବିଡ଼ ବନ୍ଧନକୁ ମଧ୍ୟ ଦେଖାଇଛନ୍ତି । ଏହା ତାଙ୍କ ତରଫରୁ ସ୍ମୃତିଙ୍କୁ ବିବାହ ପୂର୍ବରୁ ସର୍ବଶ୍ରେଷ୍ଠ ଉପହାର ବୋଲି ଅନେକ କହୁଛନ୍ତି । ସ୍ମୃତି-ପଲାଶଙ୍କ ପ୍ରେମ କାହାଣୀ ୨୦୧୯ ରେ ଆରମ୍ଭ ହୋଇଥିଲା ଏବଂ ୨୦୨୪ ପର୍ଯ୍ୟନ୍ତ ଏହା ବ୍ୟକ୍ତିଗତ ଥିଲା । ଏଇ ନଭେମ୍ବରରେ ଉଭୟଙ୍କର ବିବାହ ଅନୁଷ୍ଠିତ ହେବ ।