ନୂଆଦିଲ୍ଲୀ, ୧୭/୯ : ବିହାର ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା। ସୋସିଆଲ ମିଡିଆରୁ ହଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମା'ଙ୍କ AI ଭିଡିଓ। ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଭିଡିଓ ଡିଲିଟ୍ କରିବାକୁ କଂଗ୍ରେସକୁ ନିର୍ଦ୍ଦେଶ ଦେଲେ ପାଟନା ହାଇକୋର୍ଟ। ଏହି ମାମଲାରେ ମୁଖ୍ୟ ବିଚାରପତି ପି.ବି.ବାଜନ୍ତରୀ ଶୁଣାଣି କରି ପିଏମ୍ ମୋଦି ଓ ତାଙ୍କ ଦିବଙ୍ଗତ ମା' ହୀରାବେନ ମୋଦିଙ୍କୁ ଅପମାନିତ କଲାଭଳି ଭିଡିଓକୁ ତୁରନ୍ତ ଡିଲିଟ୍ କରିବାକୁ କହିଛନ୍ତି।
ସେପ୍ଟେମ୍ଵର ୧୦ରେ ବିହାର କଂଗ୍ରେସର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ହୋଇଥିଲା। ଏହି ପୋଷ୍ଟରେ ପିଏମ୍ ମୋଦି ଓ ତାଙ୍କ ମା'ଙ୍କ ଏକ ଏଆଇ ଆଧାରିତ ଭିଡିଓ ପୋଷ୍ଟ କରାଯାଇଥିଲା। ଏହି ଭିଡିଓରେ ମୋଦି ଶୋଇଥିବା ବେଳେ ସ୍ଵପ୍ନ ଦେଖୁଥିଲେ। ସ୍ଵପ୍ନରେ ତାଙ୍କ ଦିବଙ୍ଗତ ମା' ହୀରାବେନ ଆସି ମୋଦିଙ୍କୁ ଭତ୍ସନା କରୁଥିଲେ। ଏହି ଭିଡିଓକୁ ନେଇ ବିଜେପି ପାଟନା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା। ମୁଖ୍ୟ ବିଚାରପତି ପି.ବି.ବାଜନ୍ତରୀ ଏହି ମାମଲାରେ ଶୁଣାଣି କରି ପିଏମ୍ ମୋଦି ଓ ତାଙ୍କ ଦିବଙ୍ଗତ ମା' ହୀରାବେନ ମୋଦିଙ୍କୁ ଅପମାନିତ କଲାଭଳି ଭିଡିଓକୁ ତୁରନ୍ତ ଡିଲିଟ୍ କରିବାକୁ କହିଛନ୍ତି।
ବିଜେପି ନେତା ଶାହନବାଜ ହୁସୈନ ଏହି ଭିଡିଓକୁ ନେଇ କଂଗ୍ରେସକୁ କଡ଼ା ନିନ୍ଦା କରିଥିଲେ। ଏଥିପାଇଁ କଂଗ୍ରେସ କ୍ଷମା ମାଗିବା ଉଚିତ୍ ବୋଲି କହିଥିଲେ। ସେହିପରି ପଦ୍ମଶ୍ରୀ ମଥୁରଭାଈ ସବାନି ପିଏମ୍ଙ୍କୁ ଏକ ପତ୍ର ଲେଖି ଏହାକୁ ଟେକ୍ନୋଲୋଜିର ଦୂରୁପଯୋଗ ବୋଲି କହିଥିଲେ। ଏଭଳି ଟେକ୍ନୋଲୋଜି ଉପରେ କଟକଣା ଲଗାଇବାକୁ କଠୋର ଆଇନ ଆଣିବା ପାଇଁ ଦାବି କରିଥିଲେ।