ପାଟଣାଗଡ଼, ୧୨।୧ ; ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ମୁଖ୍ୟ ସହର ଭିତରେ ଦୀର୍ଘ ବର୍ଷଧରି ରହିଥିବା ପୁରୁଣା ଉପଖଣ୍ଡ ଚିକିତ୍ସାଳୟ ଏବେ ନୂତନ ଭାବରେ ଗଙ୍ଗାସାଗର ପାଖରେ ନିର୍ମାଣ କରାଯାଇଛି । ଏହି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ପ୍ରଶାସନ ତରଫରୁ କିଛିଦିନ ହେବ ସ୍ଥାନାନ୍ତରିତ କରାଯାଇଛି । ଯାହାଫଳରେ ସହରରେ ବସବାସ କରୁଥିବା ଲୋକେ ଜରୁରୀକାଳୀନ ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଲୋକଙ୍କ ବାରମ୍ବାର ଆନ୍ଦୋଳନ ସତ୍ତେ୍ବ ଏହି ଦାବି ପୂରଣ ହେଉନାହିଁ । ପ୍ରତିବାଦରେ ସ୍ଥାନୀୟ ଲୋକେ ପାଟଣାଗଡ ବନ୍ଦ ଡାକରା ଦେଇଥିଲେ। ସହରବାସୀ ପାଟଣାଗଡ଼ ରୁ କଣ୍ଟାବାଞ୍ଜି କୁ ଯାଉଥିବା ସହରର ମୁଖ୍ୟ ରାସ୍ତା ତଥା ପୁରୁଣା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ । ଦିର୍ଘ ସମୟ ପର୍ଯ୍ୟନ୍ତ ଗାଡି ଚଳାଚଳ ଉଭୟ ପାର୍ଶ୍ବରେ ଅଟକି ରହିଥିଲା । ଯାହାଫଳରେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଆନ୍ଦୋଳନ ସ୍ଥଳକୁ ଉପଖଣ୍ଡ ଚିକିତ୍ସା ଅଧିକାରୀ ସରୋଜ ରଞ୍ଚନ ସ୍ଵାଇଁ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସତ୍ତେ୍ବ ଆନ୍ଦୋଳନକାରୀମାନେ ନିଜ ଜିଦ୍ରେ ଅଟଳ ଥିଲେ । ଅପରପକ୍ଷରେ ଆନ୍ଦୋଳନରେ ସାମିଲ ଥିବା ମହିଳାମାନଙ୍କୁ ପୁଲିସ ଗିରଫ କରି ଭ୍ୟାନ ଯୋଗେ ଥାନାକୁ ଉଠାଇ ନେଇ ଅଟକ ରଖିଥିଲା । ଏହି ଘଟଣାକୁ ନେଇ ରାସ୍ତା ଉପରେ ବସି ନିଜ ହକ ପାଇଁ ଲଢେଇ କରୁଥିବା ମହିଳା ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।