ଭୁବନେଶ୍ଵର, ୨୬/୦୪ : ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା। ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସ୍ପଟ୍ ରେ ସିନ୍ ରିକ୍ରିଏସନ୍ କଲା ଗୋପାଳପୁର ପୁଲିସ। ୩ ଦିନିଆ ରିମାଣ୍ଡରେ ଆସିଥିବା ୫ ଅଭିଯୁକ୍ତକୁ ନେଇ ପୁଲିସ ତନାଘନା କରୁଛି। ଯେଉଁଠାରେ ସୁଧୀର ଭଲିବଲ ଖେଳନ୍ତି ସେହି ପଡ଼ିଆକୁ ଅଭିଯୁକ୍ତଙ୍କୁ ନିଆଯାଇଥିଲା। ଭାବିନାରାୟଣପୁର ସ୍ଥିତ ଭଲିବଲ ପଡ଼ିଆକୁ ନେଇ ପୁଲିସ ଛାନଭିନ୍ କରିଥିଲା। କେଉଁ ସ୍ଥାନରୁ ସୁଧୀରଙ୍କୁ ଅପହରଣ କଲେ, ଅପହରଣ ପରେ କେଉଁ ସ୍ଥାନକୁ ନେଇ ପିଟି ମାରିଥିଲେ ହତ୍ୟାକାରୀ ସେସବୁର ଡେମୋ ଦେଖାଇଛନ୍ତି। ସୁଧୀରଙ୍କୁ ହତ୍ୟା ବେଳର ବର୍ବରତା ସମସ୍ତଙ୍କୁ ବିଚଳିତ କରିଛି।
ସୂଚନାନୁଯାୟୀ, ଗତ ୧୫ ତାରିଖରେ ସୁଧୀର ପାତ୍ର ଭଲିବଲ୍ ଖେଳି ବଣଗାଁରୁ ଘରକୁ ସତ୍ୟନାରାୟଣପୁର ଫେରୁଥିବା ସମୟରେ ଅପହୃତ ହୋଇଥିଲେ । ତାଙ୍କୁ ବୁଗୁଡ଼ା ନିଆଯାଇଥିଲା । ସେଠାରେ ହତ୍ୟା କରିବା ପରେ ରାଶିପଙ୍କାଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ହତ୍ୟାରେ ସଂପୃକ୍ତି ଅଭିଯୋଗରେ ତାଙ୍କ ଝିଆରୀ ଓ ପୁତୁରାଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଝିଆରୀ ନିବେଦିତା ପାତ୍ର, ତାଙ୍କ ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ା ଗାଁର କାଳୁଚରଣ ପ୍ରଧାନ ଓରଫ୍ କାଳିଆ (୨୮), ପୁତୁରା ତୁଷାର, ସୁପାରି କିଲର୍ ୟୁପି ବାରଣାସିର ଗୋଲୁ ଓରଫ୍ ଲମ୍ବୁ ଓରଫ୍ ସୂର୍ଯ୍ୟପ୍ରତାପ ସିଂହ(୨୮), ହିଞ୍ଜିଳି ଥାନା ଆଲପୁରର ଛୋଟା ଓରଫ୍ ଜିତୁନ୍ ପୋଲାଇ (୩୩), ବୁଗୁଡ଼ା ରାମନ୍ଦା ଗାଁର କମଲ ଓରଫ୍ ନାରାୟଣ ପ୍ରଧାନ, ବୁଗୁଡ଼ା ବି.ବ୍ରହ୍ମପୁର ଗାଁର ଟୁଲୁ ଓରଫ୍ ଆଶିଷ ମହାପାତ୍ର (୨୫), ହିଞ୍ଜିଳିକାଟୁ ଥାନା ଖରିଡ଼ା ଗାଁର ଶୁଭମ୍ ନାୟକ(୨୦) ଓ ପୁନରାଖଣ୍ଡି ଗାଁର ଗେଡ଼ୁ ଓରଫ୍ ଶୁଭମ ଗୌଡ଼(୨୦) ।
ପୁଲିସ ଗୁରୁବାର ୯ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ସେମାନେ ଏବେ ବ୍ରହ୍ମପୁର ଜେଲ୍ ହାଜତରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ପୁଲିସ ୩ ଦିନିଆ ରିମାଣ୍ଡରେ ଆଣିଛି। ମୁଖ୍ୟ ଅଭିଯୁକ୍ତ ନାରାୟଣ ପ୍ରଧାନ, ସୁପାରି କିଲର୍ ସୂର୍ଯ୍ୟପ୍ରତାପ ସିଂହ ଓରଫ୍ ଗୋଲୁ, କାଳୁ ଚରଣ ପ୍ରଧାନ, ଜିତୁନ୍ ପଲେଇ, ଆଶିଷ ମହାପାତ୍ରଙ୍କୁ ୩ ଦିନିଆ ରିମାଣ୍ଡ ନେବାକୁ ଅନୁମତି ମିଳିଛି। ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଆଉ କିଛି ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି।
ଏହି ଖବରଟିକୁ ପଢନ୍ତୁ- ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ମୁହଁ ଖୋଲିଲେ ବାପା, ଷଡ଼ଯନ୍ତ୍ରରେ ନାତୁଣୀ ଥିଲା ମାଷ୍ଟରମାଇଣ୍ଡ