ଭୁବନେଶ୍ୱର,୨୦/୧୨: ଏକାଦଶ ଶ୍ରେଣୀ (ଯୁକ୍ତ ୨ ପ୍ରଥମ ବର୍ଷ) ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା ଆରମ୍ଭ । ୨୮ ଯାଏ ସାମ୍ସ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଚାଲିବ । ୩୦ ଯାଏ କଲେଜ ସ୍ତରରେ ଆବେଦନର ଯାଞ୍ଚ ହେବ । ଉଚ୍ଚ ମାଧ୍ୟମିକ ସ୍କୁଲର ସାମ୍ସ ଜିଲ୍ଲା ନୋଡାଲ ଅଧିକାରୀ ୨୦୨୫ ଜାନୁଆରୀ ୨ ମଧ୍ୟରେ ଯାଞ୍ଚ କରିବେ । ଜାନୁଆରୀ ୩ରୁ ୧୦ ଯାଏ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଆବେଦନପତ୍ରରେ ସମୀକ୍ଷା ହେବ । ଏହାପରେ ବଦଳି ପାଇଁ ଅନୁମତି ମିଳିବ । ୪ରୁ ୧୩ ତାରିଖ ମଧ୍ୟରେ ବଦଳି ହୋଇ ପିଲା ଚାହୁଁଥିବା କଲେଜରେ ନାମଲେଖାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।
କଲେଜ ବଦଳି ପାଇଁ ସ୍ୱତନ୍ତ୍ର ଗାଇଡ୍ଲାଇନ ପ୍ରକାଶ ପାଇଛି । ଯେଉଁଥିରେ ପିଲାଟି ଯିବାକୁ ଚାହୁଁଥିବା କଲେଜରେ ସେ ପଢ଼ୁଥିବା ଷ୍ଟ୍ରିମ୍ରେ ସିଟ୍ ଥିବା ଆବଶ୍ୟକ । ୫ଟି କାରଣରେ ପିଲା ନିଜର କଲେଜ ବଦଳି କରିପାରିବ । ପିଲାର ବାପା କିମ୍ବା ମାଙ୍କ ଚାକିରିରେ ବଦଳି ବା ବାପା କିମ୍ବା ମା’ ଅବସର ଗ୍ରହଣ କରିଥାନ୍ତି ତେବେ ତାର ଦସ୍ତାବିଜ ଆଧାରରେ କଲେଜ ବଦଳି କରାଯାଇପାରିବ । ବାପା, କିମ୍ବା ମାଙ୍କର ଯଦି ମୃତ୍ୟୁ ହୋଇଥାଏ ସେ ଆଧାରରେ ମଧ୍ୟ କଲେଜ ବଦଳି କରିପାରିବେ । ଝିଅ ଶିକ୍ଷାର୍ଥୀ ଯଦି ବିବାହ କରିଥାନ୍ତି ତେବେ ସେ ଆଧାରରେ ମଧ୍ୟ ବଦଳି ପାଇଁ ଆବେଦନ କରିପାରିବେ । ଏହା ଛଡ଼ା ଶାରୀରିକ ଅସୁସ୍ଥତା ଦର୍ଶାଇ ମଧ୍ୟ ବଦଳି ପାଇଁ ଆବେଦନ କରିପାରିବେ । ତେବେ ଏଥିପାଇଁ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ସିଡିଏମ୍ଓ) କିମ୍ବା ତାଙ୍କ ର୍ୟାଙ୍କ୍ର ଡାକ୍ତରଙ୍କ ଠାରୁ ମିଳିଥିବା ପ୍ରମାଣପତ୍ର ଆଧାରରେ ମଧ୍ୟ କଲେଜ ବଦଳି ପାଇଁ ଆବେଦନ କରିପାରିବେ ।