ନୂଆଦିଲ୍ଲୀ,୧୫/୧୦: ଗୁରୁବାର ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ୧୩,୪୩୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ଶ୍ରୀଶୈଳମରେ ଶ୍ରୀଭ୍ରମରାମ୍ବ ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମ୍ ଏବଂ ଶ୍ରୀ ଶିବାଜୀ ସ୍ଫୁର୍ତ୍ତି କେନ୍ଦ୍ର ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ କୁର୍ଣ୍ଣୁଲରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବା ସହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।
ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଶୈଳମର ଶ୍ରୀ ଭ୍ରମରାମ୍ବ ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନରେ ପ୍ରାର୍ଥନା କରି ଶ୍ରୀଶୈଳମ ମନ୍ଦିର ଗସ୍ତ ଆରମ୍ଭ କରିବେ । ଏହି ମନ୍ଦିର ୧୨ ଜ୍ୟୋତିର୍ଲିଙ୍ଗ ଏବଂ ୫୨ ଶକ୍ତି ପୀଠ ମଧ୍ୟରୁ ଗୋଟିଏ। ଏକ ସରକାରୀ ବିବୃତ୍ତି ଅନୁଯାୟୀ, ମନ୍ଦିରର ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଗୋଟିଏ ପରିସରରେ ଏକ ଜ୍ୟୋତିର୍ଲିଙ୍ଗ ଏବଂ ଏକ ଶକ୍ତି ପୀଠର ସହାବସ୍ଥାନ। ମନ୍ଦିରରେ ପ୍ରାର୍ଥନା କରିବା ପରେ, ପ୍ରଧାନମନ୍ତ୍ରୀ ଶ୍ରୀ ଶିବାଜୀ ସ୍ଫୁର୍ତ୍ତି କେନ୍ଦ୍ର ପରିଦର୍ଶନ କରିବେ । ଏହା ଏକ ସ୍ମାରକୀ ସଂକଳନ ଯାହାର ଚାରି କୋଣରେ ପ୍ରତାପଗଡ଼, ରାଜଗଡ଼, ରାୟଗଡ଼ ଏବଂ ଶିବନେରୀ ଦୁର୍ଗର ମଡେଲ ଏବଂ ଶିବାଜୀ ମହାରାଜଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଏକ ଧ୍ୟାନ କକ୍ଷ ରହିଛି। ଶ୍ରୀଶୈଳମ ଗସ୍ତ କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି କୁର୍ଣ୍ଣୁଲରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ।
ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶିଳ୍ପ, ବିଦ୍ୟୁତ୍ ପରିବହନ, ରାସ୍ତା, ରେଳବାଇ, ପ୍ରତିରକ୍ଷା ଉତ୍ପାଦନ ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ଭଳି କ୍ଷେତ୍ରରେ ପ୍ରକଳ୍ପ ଉପହାର ଦେବେ, ଯାହା ରାଜ୍ୟରେ ଭିତ୍ତିଭୂମି ବୃଦ୍ଧି, ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ଏବଂ ଅନ୍ତର୍ଭୁକ୍ତ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।