ବ୍ରହ୍ମପୁର, ୦୭/୦୧ : ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ମାର୍ଟ ସ୍ଵାସ୍ଥ୍ୟ ସେବା। ରୋଗୀର ଅପରେସନ ଚାଲିଥିବା ବେଳେ କଟିଗଲା ବିଦ୍ୟୁତ୍‌। ସର୍ଜରୀ ବିଭାଗ ଜରୁରିକାଳୀନ ଓଟି ଅନ୍ଧାର। ଜିଇଡି ବିଭାଗର ଅବହେଳାରୁ ଏଭଳି ସ୍ଥିତି ଉପୁଜିଛି। ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଦୁର୍ଗାମାଧବ ଶତପଥି କହିଛନ୍ତି। 

ରାୟଗଡ଼ା ଜିଲ୍ଲା ପଦ୍ମପୁରର ପ୍ରଶାନ୍ତ ସାହୁଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ଗତକାଲି ଅପରେସନ ପାଇଁ ଡାକ୍ତରମାନେ ତାରିଖ ଦେଇଥିଲେ। ସକାଳୁ ଅପରେସନ ପାଇଁ ତାଙ୍କୁ ଜରୁରିକାଳୀନ ଓଟିକୁ ନିଆଯାଇଥିଲା। ହେଲେ ଅପରେସନ ଚାଲୁଥିବାବେଳେ ବିଦ୍ୟୁତ୍‌ କାଟ ହୋଇଥିଲା। ପରେ ସର୍ଜରୀ କୋଠାର ବିଭିନ୍ନ ବିଭାଗକୁ ବିଦ୍ୟୁତ୍‌ ଆସିଥିଲେ ମଧ୍ୟ ଓଟିରେ ବିଦ୍ୟୁତ୍‌ ସରବରାହ ସ୍ୱାଭାବିକ ହୋଇପାରିନଥିଲା। ଅସ୍ତ୍ରୋପଚାର ଗୃହ ପାଇଁ ଥିବା ୟୁପିଏସରେ ସମସ୍ୟା ଯୋଗୁଁ ବିଦ୍ୟୁତ୍‌ ବିଭ୍ରାଟ ହୋଇଥିଲା । ପ୍ରାୟ ୧୫ ମିନିଟ୍‌ ପରେ ବିଦ୍ୟୁତ୍‌ ଆସିଥିଲେ ମଧ୍ୟ ଅପରେସନ କରୁଥିବା ଡାକ୍ତର ଓ କର୍ମଚାରୀ ସମସ୍ୟା ଭୋଗିଥିଲେ। ୟୁପିଏସ୍‌ଗୁଡ଼ିକର ରକ୍ଷଣାବେକ୍ଷଣା ଏମ୍‌କେସିଜି ଜିଇଡି ବିଭାଗର ଦାୟିତ୍ୱ ହୋଇଥିବା ବେଳେ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି।

ଏହି ଖବରଟିକୁ ପଢନ୍ତୁ- ବାଲେଶ୍ଵର ଜିଲ୍ଲାରେ ସଫଳ କାମଧେନୁ ଯୋଜନା, ଚାଷୀଙ୍କଠାରୁ ଅଧିକ ଦୁଗ୍ଧ କ୍ରୟ କରିବାକୁ ଦାବି