କଟକ ୦୧/୦୩: ତେଜିଲା ପ୍ରଭାତ-ଦେବାଶିଷ କଳି । ଚାଲିଲା କାଦୁଆ ପିଙ୍ଗା ରାଜନୀତି। ଗଣମାଧ୍ୟମ ସାମ୍ନାରେ ହେଲେ ତୁ ତୁ ମେ ମେ। ଗତକାଲି କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ବିଜେଡ଼ିରୁ ବହିଷ୍କାର ହେବା ପରେ ବିଷ ଓଗାଳିଥିଲେ ଦେବଶିଷ ସାମନ୍ତରାୟ। ଆଜି ପ୍ରେସ୍‌ ମିଟ୍ କରି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଛନ୍ତି ପ୍ରଭାତ ରଞ୍ଜନ ବିଶ୍ୱାଳ।

ପ୍ରଭାତ କହିଛନ୍ତି ଯେ,  ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଚରିତ୍ର ସମସ୍ତେ ଜାଣନ୍ତି। ‘ମଦୁଆ, ଗୁଣ୍ଡା, ଚରିତ୍ରହୀନ’ ବ୍ୟକ୍ତି ହେଲେ ଦେବାଶିଷ ସାମନ୍ତରାୟ । ସେ ସ୍ଵାଧୀନ ଭାବେ କର୍ପୋରେଟର ହୋଇ ନିର୍ବାଚନ ଲଢନ୍ତି । ବିଜେଡିକୁ ଠିକା ସଂସ୍ଥା ଭାବେ ବ୍ୟବହାର କରି କାର୍ଯ୍ୟ କରୁଛନ୍ତି । AT ଚିଟଫଣ୍ଡ୍ ଠକେଇରେ ଦେବାଶିଷଙ୍କ ସଂପୃକ୍ତି ରହିଥିଲା । କଟକ ସହରରେ ସଫେଇ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ପ୍ରମାଣ ଦେଖାଇ ତାଙ୍କର ପୋଲ୍ ଖୋଲିଲେ ପ୍ରଭାତ ବିଶ୍ବାଳ।

​​​​​​​

ଦେବାଶିଷଙ୍କୁ ଟାର୍ଗେଟ୍ କରି ପ୍ରଭାତ ଆହୁରି କହିଛନ୍ତି, ବିଜେଡିରେ ନବୀନ ପଟ୍ଟନାୟକ କିଛି ନିଷ୍ପତ୍ତି ନିଅନ୍ତି ନାହିଁ। ମୋର ରାଜନୈତିକ କ୍ୟାରିଅର ନଷ୍ଟ କରିବାକୁ ଉଦ୍ୟମ କରିଥିଲେ । ଯେତେ ଚକ୍ରାନ୍ତ କଲେ ବି ମତେ ଜେଲ୍ ପଠେଇ ପାରିଲେ ନାହିଁ । ପ୍ରଭାତ ବିଶ୍ବାଳଙ୍କ ଘରେ ସିବିଆଇ ରେଡ୍ କଲା, କିଛି ପାଇଲା ନାହିଁ। ନୀତିକୁ ବନ୍ଧା ପକେଇ କେବେ କିଛି କାମ କରିନାହିଁ । ମଦୁଆଙ୍କ ଶେଷ ସୀମା ହେଲେ ଦେବାଶିଷ ସାମନ୍ତରାୟ । ବେପାର କରିବା ପାଇଁ ବିଜେଡି ସହ ଅଛନ୍ତି ଦେବାଶିଷ । ଲୋକଙ୍କ ସହ କେବେ ଦିନଟିଏ ବି ଆସି ନାହାଁନ୍ତି । ପ୍ରତାପ ଜେନା, ଚନ୍ଦ୍ର ସାରଥୀ ବେହେରା, ଦେବାଶିଷ ସାମନ୍ତରାୟ, ପ୍ରଭାତ ରଞ୍ଜନ ବିଶ୍ଵାଳ, ପ୍ରଦୀପ ପଟ୍ଟନାୟକ ଭଳି ବ୍ୟକ୍ତିଙ୍କ ବିରୋଧରେ ଚୌଦ୍ଵାର ଜେଲରୁ ଚିଠି ଆସିଥିଲା। ଦେବାଶିଷ ସାମନ୍ତରାୟଙ୍କ ପାଇଁ ମୁଁ ଆଜି ନାଲି ପୋଷାକ ପିନ୍ଧିଛି ।

ଅଧିକ ପଢନ୍ତୁ-ଦଳ ବିରୋଧରେ କହିବା ମହଙ୍ଗା ପଡିଲା, ବିଜେଡିରୁ ପ୍ରଭାତ ବିଶ୍ବାଳ ବହିଷ୍କୃତ​​​​​​​

​​​​​​​ସେପଟେ ଗତକାଲି ପ୍ରଭାତ ବିଶ୍ବାଳ ବିଜେଡିରୁ ବହିଷ୍କୃତ ହେବା ପରେ ବର୍ଷିଥିଲେ ରାଜ୍ୟସଭା ସାସଂଦ ଦେବାଶିଷ୍ ସାମନ୍ତରାୟ । ଦଳୀୟ ନେତାଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ ପ୍ରସଂଗକୁ ଅତି କଡ଼ା ଭାଷାରେ ସମାଲୋଚନା  କରିଥିଲେ  । ଦେବାଶିଷ ବିଷ ଓକାଳି କହିଥିଲେ, ‘ପ୍ରଭାତ ବିଶ୍ୱାଳ ଜଣେ ଅକୃତଜ୍ଞ  ଲୋକ । ନବୀନ ବାବୁଙ୍କୁ ପ୍ରଶ୍ନ କରିବାକୁ ସେ  କିଏ ? ତାଙ୍କୁ ଏ ଅଧିକାର କିଏ ଦେଲା ?  ବିଧାୟକ ମାନଙ୍କ ବୈଠକରେ ନବୀନ ବାବୁଙ୍କୁ  ପ୍ରାର୍ଥୀ ଚୟନ ପାଇଁ ଦାୟିତ୍ୱ ଦିଆଗଲା । ତେଣୁ  ଦଳର ସଭାପତି ଯାହା ନିଷ୍ପତ୍ତି ନେବେ ସ୍ୱାଗତଯୋଗ୍ୟ ହେବା କଥା । ସୌଭାଗ୍ୟ ଯେ,  ଉଭୟ ସଂତୃପ୍ତ ମିଶ୍ର ଓ ଡା. ଦତ୍ତେଶ୍ୱର ହୋତା  କଟକରୁ ପ୍ରତିନିଧିତ୍ୱ କରୁଛନ୍ତି । କଟକର ନେତା ଭାବେ ତାଙ୍କର ଦାୟିତ୍ୱ ଥିଲା ଏହାକୁ  ସମର୍ଥନ ଜଣାଇବା । ସେତକ ନକରି ନବୀନ ନିବାସରେ ପାଲା କରିବାର ଆବଶ୍ୟକତା ନଥିଲା ।

ପ୍ରଭାତ ବିଶ୍ୱାଳ ସବୁବେଳେ ଦଳ ବିରୋଧୀ କାର୍ଯ୍ୟ କରିଆସିଛନ୍ତି । ନବୀନ ବାବୁ କଟକ ଆସୁଥିବା ବେଳେ ତାଙ୍କ ଗାଡ଼ି କାଚ ଭାଙ୍ଗିଥିବା ଲୋକ ସେ । ପ୍ୟାରୀ ମହାପାତ୍ରଙ୍କ ସହ ମିଶି ଷଡଯନ୍ତ୍ର ବି କରିଥିଲେ । ଚିଟ୍‌ଫଣ୍ଡ୍‌  କେଳେଙ୍କାରୀରେ ସାମିଲ୍‌ ଥିଲେ । ଏହାପରେ  ବି ନବୀନ ବାବୁ ତାଙ୍କୁ ମାଫ୍‌ କରିଥିଲେ ।  ବାରମ୍ବାର ବିଶ୍ୱାସକୁ ନେଇ ତାଙ୍କୁ ଓ ପରେ ତାଙ୍କ ପୁଅକୁ ଟିକେଟ୍ ଦେଇଥିଲେ । କିନ୍ତୁ ପ୍ରଭାତ ବାବୁ ବିଶ୍ୱାସଘାତକତା କରିବା  କେବେ ଛାଡ଼ିନାହାନ୍ତି କି ଛାଡ଼ିବେ ନାହିଁ । ସମୟ ଆସିଛି ଲୋକେ ପ୍ରଭାତ ବିଶ୍ୱାଳଙ୍କୁ  ଚିହ୍ନନ୍ତୁ ବୋଲି ଦେବାଶିଷ କହିଛନ୍ତି ।

 ଉଲ୍ଲେଖନୀୟ, ପ୍ରଭାତ ଓ ଦେବାଶିଷଙ୍କ  ମଧ୍ୟରେ ଦୀର୍ଘ ଦିନ ଧରି କଥା କଟାକଟି  ଓ ପରସ୍ପରକୁ କାଦୁଅଫିଙ୍ଗା ଜାରି ରହିଛି । ପ୍ରଭାତ ପୂର୍ବରୁ ଯେତେବେଳେ ସୁଜାତା କାର୍ତ୍ତିକେୟନଙ୍କ ସପକ୍ଷରେ ବାହାରିଥିଲେ ସେ  ସମୟରେ ଦେବାଶିଷ ତାଙ୍କୁ ବିରୋଧ କରି  ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ପରେ ପ୍ରଭାତ ମଧ୍ୟ ଦେବାଶିଷଙ୍କୁ ଛାଡ଼ିନଥିଲେ । କହିଥିଲେ, ‘ମୁଁ ଯେଉଁ କେତେଜଣ ନେତାଙ୍କ ପାଇଁ ଖଇରିଆ ପୋଷାକପିନ୍ଧୁଛି ସେମାନଙ୍କ  ଭିତରେ ଦେବାଶିଷ ସାମନ୍ତରାୟ ଜଣେ ।  ଦେବାଶିଷ କ’ଣ କହନ୍ତି ସେ ନିଜେ ଜାଣନ୍ତି  ନାହିଁ । ଅନେକ ସମୟରେ ବାଉଳା ହେଇ ଚର୍ଚ୍ଚାରେ ରହିବାକୁ ଏଣୁତେଣୁ ଗପନ୍ତି । ତାଙ୍କର ପାରଦର୍ଶିତା ନଥିବାରୁ ତାଙ୍କୁ ବିଧାନସଭା  ଆସନରୁ ଦୂରେଇ ନିଆଗଲା । ସେ ଏତେ  କଥା କେମିତି ଗପୁଛନ୍ତି ଆଶ୍ଚର୍ଯ୍ୟ ଲାଗୁଛି’ ।