ତୁମେ ହେଉଛ ମୋ କଣ୍ଢେଇ (ଟେଡି) । ତୁମଭଳି ଆଉ ଗୋଟିଏ କଣ୍ଢେଇକୁ ମୁଁ ଆଜି ଉପହାରରେ ଆଣିଛି । ଏଭଳି ମିଠା ମିଠା କଥା ଓ ଭାବ ବିନିମୟରେ ମଙ୍ଗଳବାର ସରିଥିଲା ଟେଡି ଡେ । ପ୍ରେମିକାକୁ ଖୁସି କରିବା ପାଇଁ କିଏ କଣ୍ଢେଇ ସହିତ ଚକୋଲେଟ୍ ଉପହାରରେ ଆଣିଥଲେ ତ କିଏ ଫୁଲ ତୋଡ଼ା । ସେଥିପାଇଁ କଣ୍ଢେଇ ଦୋକାନରେ ମଧ୍ୟ ଲାଗି ରହିଥିଲା ଗହଳି । କିଏ ଲାଲ୍ କଣ୍ଢେଇ କିଣୁଥିଲେ ତ କିଏ ଗୋଲାପି । ଏହାକୁ ନଜରରେ ରଖି ରାସ୍ତାକଡ଼ଠୁ ବଡ଼ବଡ଼ ମଲ୍ ପର୍ଯ୍ୟନ୍ତ ସବୁଠି ଲାଗିଥିଲା ଭଳି କି ଭଳି କଣ୍ଢେଇର ପସରା । ଯାହାର ମୂଲ୍ୟ ମଧ୍ୟ ପୂର୍ବଦିନଗୁଡ଼ିକ ଅପେକ୍ଷା ଅଧିକ ଥିଲା । ହେଲେ ମୂଲ୍ୟକୁ ଖାତିର କରିନଥିଲେ ଯୁବପିଢି । ବୁଧବାର ପ୍ରତିଶ୍ରୁତି ଦିବସ (ପ୍ରମିଜ୍ ଡେ) ଭାବେ ପାଳନ କରାଯାଉଛି । ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ରାତି ୧୨ଟା ପରେ ମୋବାଇଲରେ ଲମ୍ବା ଚଉଡ଼ା ଲେଖାରେ ନିଜ ପ୍ରିୟ ମଣିଷକୁ ଦେଇଛନ୍ତି ପ୍ରତିଶ୍ରୁତି । ଯେଉଁଥିରେ ରହିଛି ମନର ଅକୁହା ଅନେକ କଥା ।
ଜଣେ ରାଜନେତା, ଆଉ ଜଣେ ସାମ୍ବାଦିକା । ଭେଟ ହୁଏ ଜିମ୍ରେ । ତା’ ପରେ ଲେଖା ହୁଏ ନୂଆ ଏକ ପ୍ରେମ କାହାଣୀ । ଯାହା ପରବର୍ତ୍ତୀ ସମୟରେ ନିଏ ବିବାହର ରୂପ । ପ୍ରେମ ସପ୍ତାହରେ କାହାଣୀ ଖୋଜୁ ଖୋଜୁ ଆମେ ଯାଇ ପହଞ୍ଚିଥିଲୁ ଏକ ନିଆରା ଦମ୍ପତିଙ୍କ ନିକଟରେ । ସେ ଆଉ କେହି ନୁହଁନ୍ତି ଜଣାଶୁଣା ରାଜନେତା ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ । ତାଙ୍କ ବିବାହ ପଛରେ ରହିଛି ଏକ ଲମ୍ବା ପ୍ରେମ କାହାଣୀ । ନବରଙ୍ଗପୁରର ପୂର୍ବତନ ସାଂସଦ । ନିର୍ବାଚନରେ ହାରିବା ପରେ ମନ ଭଲନଥିଲା । ନିଜକୁ ସବୁବେଳେ ଫିଟ୍ ରଖିବାକୁ ପସନ୍ଦ କରୁଥିବା ପ୍ରଦୀପ ସେହିସମୟରେ ରାଜଧାନୀର ଏକ ଜିମ୍ରେ ଆଡମିସନ୍ କଲେ । ଜିମ୍କୁ ଯିବାର କିଛିଦିନ ପରେ ଭେଟ ହୋଇଥିଲା ସାମ୍ବାଦିକା ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହିତ ।
ଅଳ୍ପ ଅଳ୍ପ କାଥାରୁ ଦୁଇଜଣଙ୍କ ଭିତରେ ପ୍ରଥମେ ପଡ଼ିଥିଲା ବନ୍ଧୁତ୍ୱର ନିଅଁ । କିଛିଦିନ ବନ୍ଧୁଭାବେ କଥା ହେଲା ପରେ ସୁଶ୍ରୀ ଓ ତାଙ୍କ ସାଙ୍ଗମାନଙ୍କ ସହିତ ପ୍ରଦୀପ ବୁଲିବାକୁ ଯାଇଥିଲେ କୋରାପୁଟ୍ । ବୁଲା ଶେଷକରି ସମସ୍ତେ ଘରକୁ ଫେରିଆସିଲେ । ଫେରିବାର କିଛିଦିନ ପରେ ଅର୍ଥାତ୍ ଗୁଣ୍ଡିଚା ଦିନ ସୁଶ୍ରୀ ନିଜ ମନର ଭାବନାକୁ ପ୍ରଥମେ ମୋବାଇଲ୍ ମେସେଜ୍ ମାଧ୍ୟମରେ ବାଢିଥିଲେ ପ୍ରଦୀପଙ୍କ ନିକଟରେ । ଯାହାକୁ ଦେଖି ପ୍ରଦୀପ ମଧ୍ୟ ବେଶ୍ ଖୁସି ହୋଇ ହଁ କହିଥିଲେ । ବର୍ଷେ ପରେ ପରିବାରର ସହମତି କ୍ରମେ ୨୦୨୫ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଲେ ।
ଆହୁରି ପଢନ୍ତୁ- ମହିଳା ଅପରାଧ ନେଇ ଚାଞ୍ଚଲ୍ୟକର ଖୁଲାସା, ୨୦୨୪-୨୫ରେ ରୁଜୁ ହୋଇଛି ୨୦୬୪ଟି ମାମଲା
ପ୍ରେମ କାହାଣୀ ପଚାରିବାରୁ ପ୍ରଦୀପ ଲାଜେଇ କୁହନ୍ତି, ଜିମ୍ର ପ୍ରଥମ ଦେଖାରୁ ସୁଶ୍ରୀ ମୋତେ ପସନ୍ଦ ଆସିଯାଇଥିଲେ । ହେଲେ ମୁଁ ତାଙ୍କୁ କିଛି କହିପାରିନଥିଲି । ଆଉ କିଛି ଦିନ ପରେ ସୁଶ୍ରୀ ମୋତେ ପ୍ରଥମେ ପ୍ରେମ ନିବେଦନ କରିଥିଲେ । ଯାହା ଶୁଣି ମୁଁ ଓତେ ଖୁସି ହୋଇଯାଇଥିଲି ଯେ ତାକୁ ବର୍ଣ୍ଣନା କରିବାକୁ ମୋ ପାଖରେ ଶବ୍ଦ ନାହିଁ । ମୁଁ କାର୍ଯ୍ୟବ୍ୟସ୍ତତା କାରଣରୁ ସବୁବେଳେ ଘରେ ରହିପାରେନି । ହେଲେ ସେ ଖୁବ୍ ସୁନ୍ଦର ଭାବେ ଘରର ସମସ୍ତ ଦାଇତ୍ୱ ତୁଲାଇନିଅନ୍ତି । ହଁ ବେଳେ ବେଳେ ଅଭିମାନ କରିବସନ୍ତି, କାରଣ ମୁଁ ତାଙ୍କୁ ଯଥେଷ୍ଟ ସମୟ ଦେଇପାରେନି । ହେଲେ ତାଙ୍କ ରାଗ ଅଧିକ ସମୟ ରହେନି । ବୁଝେଇ ଦେଲେ ଖୁବ ଶୀଘ୍ର ବୁଝିଯାଆନ୍ତି ।