ଯେଉଁ ସତ୍କର୍ମ ସମ୍ପାଦନା ଦ୍ୱାରା ମନୁଷ୍ୟ ଐହିକ ଓ ପାରତ୍ରିକ ସୁଖଲାଭ କରେ ତାହାହିଁ ଧର୍ମ । ଧର୍ମରୁ ମଣିଷର କର୍ତ୍ତବ୍ୟ ନିରୂପିତ ହୁଏ । ତୃଷାର୍ତ୍ତକୁ ଜଳଦାନ, କ୍ଷୁଧାର୍ତ୍ତକୁ ଅନ୍ନଦାନ, ଭୂମିହୀନକୁ ଭୂମିଦାନ, ବୃକ୍ଷରୋପଣ, ପୁରାଣ ପାଠ, ମନ୍ଦିର ନିର୍ମାଣ, ନିଜେ ଖୁସିରେ ରହି ଅନ୍ୟମାନଙ୍କୁ ଖୁସିରେ ରଖିବା ଦ୍ୱାରା ମଣିଷ ଧର୍ମର ମାନବିକତା ଗୁଣ ସମ୍ପ୍ରସାରିତ ହୋଇଥାଏ । ହିଂସା, ଦେବଷ ଆଦି ଦୁର୍ଗୁଣ ପରିତ୍ୟାଗ କରି ସାମ୍ୟ, ମୈତ୍ରୀ ଆଦି ମହତ ଗୁଣରେ ମଣିଷର ମହନୀୟତା ପ୍ରକାଶ ପାଏ । ଦୃଢ଼ ଈଶ୍ୱର ବିଶ୍ୱାସ, ଆଧ୍ୟାତ୍ମିକତା ବଳରେ ସେ ସମାଜର କାର୍ଯ୍ୟ କରେ । ନିଃସ୍ୱାର୍ଥପର ଜୀବନ ଯାପନ କରି ପୀଡ଼ିତ, ଅସହାୟ, ଦୁର୍ଗତ ମାନବକୁ ବିପଦରୁ ରକ୍ଷା କରିବା ହେଉଛି ଧର୍ମ । ଧର୍ମର ଦ୍ୱାହି ଦେଇ ସାମ୍ପ୍ରଦାୟିକତା ସୃଷ୍ଟି କରିବା ଏବଂ ନିରୀହ ମଣିଷଙ୍କୁ ହତ୍ୟା କରିବା ବିଧର୍ମୀର ଲକ୍ଷଣ । ଯାହାଦ୍ୱାରା ମଣିଷ ବଞ୍ଚିରହି ଆଗକୁ ବଢ଼େ, ନିଜର ବିକାଶ ସହ ରାଷ୍ଟ୍ରର ମଙ୍ଗଳ ଚିନ୍ତା କରେ ତା’ ପାଖରେ ହିଂସାର ସ୍ଥାନ ନଥାଏ । ଆଜି ସାମ୍ପ୍ରଦାୟିକତାର ବିଷ ବିପର୍ଯ୍ୟସ୍ତ କରୁଛି ଦେଶର ଅର୍ଥନୀତିକୁ, ସାମାଜିକ ବ୍ୟବସ୍ଥାକୁ ।
ବିଭିନ୍ନ ଦେଶରେ ପରିବ୍ୟାପ୍ତ ଆତଙ୍କବାଦ ଓ ହିଂସାକାଣ୍ଡ ମୂଳରେ ଏହି ସାମ୍ପ୍ରଦାୟିକତା ହିଁ ମୂଳ କାରଣ ହୋଇପଡ଼ିଛି । ଯଦି ଦେଶ ଓ ଦେଶ ଭିତରେ ବିକାଶ ଶବ୍ଦକୁ ନେଇ ପ୍ରତିଯୋଗିତା ହୁଅନ୍ତା ତେବେ ସେଠି ସାମ୍ପ୍ରଦାୟିକତାର ଶବ୍ଦ ଉଠନ୍ତାନାହିଁ । ଆମକୁ ଭାବିନେବାକୁ ହେବ ଯେ ଆମର ଜନ୍ମ ଗୋଟିଏ ମହତ ଉଦ୍ଦେଶ୍ୟ ନେଇକି । ଭାରତ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଭିତ୍ତିଭୂମି । ଭାରତର ଚିନ୍ତାଧାରା ଶୈବ, ଶାକ୍ତ, ବୈଷ୍ଣବ, ସୌର ଓ ଗାଣପତ୍ୟ, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ, ଇସଲାମ ପ୍ରଭୃତି ଅନେକ ସମ୍ପ୍ରଦାୟର ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର । ବୈଦେଶିକ ଅନୁପ୍ରବେଶ, ବାଣିଜ୍ୟ ଭାରତ ମାଟିର ଆକର୍ଷଣ ହିଁ ଏହାର ଐତିହ୍ୟ ସଂସ୍କୃତିକୁ ବିଭିନ୍ନତା ମଧ୍ୟରେ ଏକତାକୁ ପାଥେୟ କରି କୋଉ ଆବହମାନ କାଳରୁ ସମୃଦ୍ଧ କରିଆସିଛି । ଧର୍ମ ନାମରେ ନରସଂହାର କୌଣସି ବୀରର ଲକ୍ଷଣ ନୁହେଁ, କାରଣ ବୀର ସବୁବେଳେ ସାମ୍ନା ଯୁଦ୍ଧରେ ଲଢ଼େଇ କରି ଜିତେ ବା ମରେ । ଲୁଚି ଲୁଚି ଆସି ନିରସ୍ତ୍ର, ନିରୀହ ଜନତାଙ୍କୁ ବଳ ପ୍ରୟୋଗ ଭାବରେ କଲମା ଆସୁଛି ତ ପଢ଼, ପ୍ୟାଣ୍ଟ ଖୋଲି ଦେଖିବା ଭଳି ଛୋଟ କାର୍ଯ୍ୟ କରିବା, କାହା ନୂଆ ସଂସାର ଉଜାଡ଼ିଦେବା କେବଳ ଭୀରୁତାର ପରିଚୟ ଦିଏ । ଯୋଉ ଥାଳିରେ ଖାଉଛ ରୋଜି ରୋଟି ସେହି ଥାଳିରେ ଗୋଇଠା ମାରିବା ଦ୍ୱାରା ନିଜ ଅର୍ଥନୀତିର ପତନ ହେବ, ଦୁଇ ଦେଶ ଭିତରେ ସମ୍ପର୍କ ଛିନ୍ନ ହେବାଦ୍ୱାରା ବିକାଶ କାର୍ଯ୍ୟରେ ଅନ୍ତରାୟ ଘଟିବ, ଏହା କେଉଁ ବୀରତ୍ୱର ଲକ୍ଷଣ?
ଧର୍ମ ମାର୍ଗରେ ପରିଚାଳିତ ବ୍ୟକ୍ତି ଅନ୍ୟ ସମ୍ପ୍ରଦାୟ ପ୍ରତି ସହନଶୀଳ ହୁଏ । ନିଜର ଧର୍ମକୁ ଶ୍ରେଷ୍ଠ ବିଚାର କରିବା ଦ୍ୱାରା ଅନ୍ୟ ଧର୍ମ ପ୍ରତି ବିଦ୍ୱେଷ ଭାବ ବଢ଼ାଇବା ଏବଂ ନିରୀହ ମଣିଷଙ୍କୁ ପ୍ରହାର କରି ନିଜେ ଅଶାନ୍ତି କିଣିବା ଏବଂ ରାଷ୍ଟ୍ରର ଶାନ୍ତି ଓ ବିକାଶ କ୍ଷେତ୍ରରେ ଅନ୍ତରାୟ ହେବା, ରାଷ୍ଟ୍ରକୁ ହାଣ ମୁହଁରେ ପକାଇବା । ନିଜର ଅହଂ ଭାବକୁ ଅନ୍ୟ ଉପରେ ଲଦିଦେବା । ବିଧର୍ମୀ, ଆତଙ୍କବାଦୀ, ସନ୍ତ୍ରାସବାଦୀ କେବେ ଈଶ୍ୱରଙ୍କୁ ଡରନ୍ତି ନାହିଁ କି ଭଲପାଆନ୍ତି ନାହିଁ । ସେମାନେ ନିଜ ସ୍ୱାର୍ଥକୁ ଚିହ୍ନିଥାନ୍ତି, ନିଜକୁ ପ୍ରଚାର କରି ଅଜ୍ଞାନ ଅନ୍ଧକାରରେ ବୁଡ଼ି ରହିଥିବା ଶାସକମାନଙ୍କୁ ପ୍ରଭାବିତ କରନ୍ତି ଏବଂ ବାହାବା ନିଅନ୍ତି ତାଙ୍କର ସ୍ୱକୀୟ ହୀନକର୍ମ ଦ୍ୱାରା । ଶିକ୍ଷାର ଅଭାବ, ପରିଣତିର ଭୟାବହତା ଉପରେ ସେମାନଙ୍କର ସଚେତନତା ନଥାଏ । ଧର୍ମକୁ ପୁଞ୍ଜି କରି ଚଳୁଥିବା ମଣିଷ ଅନ୍ୟ ଧର୍ମ ପ୍ରତି ସହନଶୀଳ ହେବା ଦରକାର, ନହେଲେ ଯୋଉ ଡାଳର ଆଶ୍ରାରେ ବସିଛ ସେହି ଡାଳକୁ କାଟି ନିଜ ସହ ନିଜ ରାଷ୍ଟ୍ରର ମୁଣ୍ଡକୁ ନୁଆଁଇବା ପରି କାର୍ଯ୍ୟରେ ପରିଗଣିତ ହେବା ସହ ସମାନ । ନିଜେ ସବୁବେଳେ ଭାବିବା ଦରକାର ରାଷ୍ଟ୍ର ତଥା ସମାଜ ପ୍ରତି ତୁମର ଅବଦାନ କ’ଣ ।
ପ୍ରକୃତି ଦେଇଛି ସୃଷ୍ଟିକୁ ଅନେକ ଜିନିଷ, ହେଲେ ତାକୁ ଧ୍ୱଂସ କରି ମଣିଷ ପାଉଛି କ’ଣ? ବରଂ ଦୁଃଖ କିଣି ଦୁଃଖରେ ବଞ୍ଚିବା ହିଁ ସାର ହେଉଛି, ଧନ ଜୀବନ ନଷ୍ଟ ହେଉଛି । ରାଜନୀତିଜ୍ଞମାନେ ବି ଜାଣିରଖିବା ଉଚିତ ଯେ, ପ୍ରତ୍ୟେକ ଭୋଟର ସେମାନଙ୍କୁ ଦେଶର ବିକାଶ କାର୍ଯ୍ୟରେ, ମଣିଷର ହିତରେ ସେମାନଙ୍କୁ ରାଷ୍ଟ୍ର ପରିଚାଳନାର ଦାୟିତ୍ୱ ଦେଇଛନ୍ତି ସ୍ୱେଚ୍ଛାଚାରୀ, ମନୋମୁଖୀ, ଅର୍ଥଲୋଭୀ, ସମ୍ପ୍ରଦାୟ ପାଇଁ ନୁହେଁ। ରାଷ୍ଟ୍ରର ଏକତା ଓ ସାର୍ବଭୌମତା ଓ ଶାନ୍ତି ବଜାୟ ରଖିବା ଦ୍ୱାରା ନିଜ ଶାସନ ଗୌରବାନ୍ୱିତ ହୁଏ, ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲେଖାହୁଏ ତାଙ୍କର ବୀରତ୍ୱ ଓ ସୁଶାସନ । ଧର୍ମର ବାହୁ ବିସ୍ତାର କଲେ ରାଷ୍ଟ୍ର କେବେ ଆଗକୁ ବଢ଼ିପାରିବନାହିଁ, ବରଂ ଧର୍ମର ଶ୍ରେଣୀ ବିଭାଜନ ହୋଇ ସାମ୍ପ୍ରଦାୟିକତା ବୃଦ୍ଧିପାଇବ, ଆତଙ୍କବାଦ ଚେର ଲମ୍ବିବ, ରାଷ୍ଟ୍ର ଯୁଦ୍ଧ ମନୋବୃତ୍ତିକୁ ଟାଣିବ ଆଉ ପୃଥିବୀ ଧ୍ୱଂସର ବିଭୀଷିକା ରଚିବ ।