ଏକ ସୁସ୍ଥ ପ୍ରାପ୍ତବୟସ୍କ ମଣିଷ ଦିନକୁ ମାତ୍ର ୨୦ରୁ ୨୫ ମିଲିଲିଟର ତେଲ ଦରକାର କରିଥାଏ, ଯାହାକି ମାସକୁ ୭୫୦ ରୁ ୯୦୦ ମିଲିଲିଟର ପର୍ଯ୍ୟନ୍ତ ହୋଇଥାଏ । ମାତ୍ର ହୃଦୟ ରୋଗ ବା ଡାଇବେଟିସ୍ରେ ପୀଡ଼ିତ ବ୍ୟକ୍ତି ପାଇଁ ଏହା ଦିନକୁ ୧୫ ମିଲିଲିଟର ବା ମାସକୁ ପ୍ରାୟ ଅଧଲିଟରରେ ସୀମିତ ରଖିବାକୁ ହୁଏ ।
ଯେନତେନ ପ୍ରକାରେଣ ସଉଦାପତ୍ର ସଙ୍ଖୁଳାସଙ୍ଖୁଳି କରୁ କରୁ ଅଧଘଣ୍ଟାଏ ଉପରେ । ପବନର ଜୋର ବି ବଢ଼ିବାରେ ଲାଗିଥାଏ ସେତେବେଳକୁ, ଭୀତତ୍ରସ୍ତ ମଣିଷ ଯେତେ ବାହୁଡ଼ି ଗଲେଣି ପ୍ରାୟତଃ, ଅଳ୍ପ କିଛିଙ୍କୁ ବାଦ୍ ଦେଇ । ରାସ୍ତାଘାଟ ଯଥେଷ୍ଟ ଫାଙ୍କା, କାଁ ଭାଁ ଲୋକେ ଘରମୁହାଁ ଛୁଟିଥାନ୍ତି ଫୁଲ୍ ଦମ୍ରେ । ନଣ୍ଡା ପିଚୁ ରାସ୍ତାରେ ପାଖାପାଖି ଏକ କିଲୋମିଟର ଧାଇଁଛି କି ନାହିଁ ମେଘରାଣୀ ଆଉ ମହଲତ ଦେବାକୁ ମନା କରିଦେଇ ଏମିତି ନିର୍ଘାତ ଛେଚିଲେ ଯେ ପ୍ରାଣ ବିକଳେ ରାସ୍ତାକଡ଼ ଦି’ଟା ଝୁପୁଡ଼ିରୁ ଗୋଟାକ ଆଗରେ ବାଇକ୍ ଲଗେଇ ଦେବାକୁ ହେଲା, ଆଗପଛ କିଛି ଭାବିନପାରି । ନାଳକଡ଼ ସେ ଝୁପୁଡ଼ିଟି ହେଉଛି ଆରିସା ପିଠା ତିଆରି କରି ବିକ୍ରି କରୁଥିବା ଏକ ଦମ୍ପତିଙ୍କର । ମୁଁ ଆଗ୍ରହରେ ତାଙ୍କର ସେ ପିଠା ଛାଣିବାର କଳାକୁ ତ ଅନେଇଥାଏ, ହେଲେ ଚାଳ-ଖୋସା ସେଇ ନିହାତି ଶସ୍ତା ତେଲର ପ୍ଲାଷ୍ଟିକ୍ ଖୋଳ ସବୁକୁ ବି ମୋ ନଜର ଯାଉଥାଏ ରହି ରହି । ଏଣେ ଅବୋଲକରା ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ପୁଣି ବିଜୁଳି, ଜମାରୁ ଥମିବାର ନାଁ ନେଉନଥାଏ । ଏତେସବୁ ଭିତରେ ମାଇପି-ଗେରସ୍ତ ଦି’ଜଣ ଆଉ ଅପେକ୍ଷା କରିବା ଠିକ୍ ହେବନାହିଁ ଜାଣି ଜିନିଷପତ୍ର ଗୋଟାଇବା ଆରମ୍ଭ କରନ୍ତି । ଗରମ ତେଲକୁ ନେଇ କଣରେ ଥିବା ତେଲଟିଣଟିରେ ଭର୍ତ୍ତି କରିଦିଅନ୍ତି, ହୁଏତ ତା’ ପରଦିନର ଛଣାଛଣି କାର୍ଯ୍ୟକ୍ରମ ପାଇଁ । ମତେ ମିଶାଇ ସେଠି ମୁଣ୍ଡ ଗୁଞ୍ଜିଥିବା ଚାରିଜଣରୁ ଦି’ଜଣ ସେଇ ସାଙ୍ଗେ ସାଙ୍ଗେ ନିଜ ହିସାବର ଆରିସା ଅର୍ଡର କରିନିଅନ୍ତି।
କୃତସ୍ନାନ ସନ୍ଧ୍ୟାଟିରେ ମୋ ଆଖିଆଗର ଚୁଲିଉତୁରା ପିଠାର ଚିନ୍ତାଟି ପାଟିକୁ ଲାଳୁଆ କରିଦେଉଥିଲେ ହେଁ, ଚାଳ ଦେହର ଜରିଖୋଳ ତଥା ପୋଡ଼ା ତେଲର ସେ ଚିଟୁଆ ଗନ୍ଧ ଦି’ପଟରୁ ମୋ ଜିଭଟିକୁ ଏମିତି ଜାବୁଡ଼ି ଧରିଥାନ୍ତି ଯେ ବିଚରା ଅର୍ଡର ଦେବାପାଇଁ ଲେଉଟିବାକୁ ଯୁ' ପାଉନଥାଏ । ଟୋପା ପଡ଼ିବା ପୂରା ବନ୍ଦ ହେବାକୁ ଅପେକ୍ଷା କରିବାପାଇଁ ଆଉ କାହାରି ଧୈର୍ଯ୍ୟ ଥିବାଭଳି ଜଣାପଡୁନଥିଲା ଘଣ୍ଟାଏ ପାଖାପାଖି ରହିଲା ପରେ । ମୁଁ ବି ସଉଦା ବେଗ୍ ସ୍କୁଟି ଆଗରେ ଥୋଇ ଧାଇଁଲି ଘର ପଟେ, ଆରିସା ସ୍ୱାଦର କଳ୍ପନା ଆଉ ଗରମ ତେଲ ରୂପକ ପ୍ରତାରଣାର ମାନସିକ ଦ୍ୱନ୍ଦ୍ୱ ଭିତରେ ଚାପିହୋଇ । ନାକ ଗେଣଗେଣା ଛୁଙ୍କ ହେଉ କି କଡା ମସ ମସ ଭଜା, ସବୁଠି ବିଶେଷକରି ଉଦ୍ଜାନ ଏବଂ କାର୍ବନରେ ଗଠିତ ଏ ସ୍ନେହସାର ଜାତୀୟ ପୋଷକତତ୍ତ୍ୱଟିର ବେଶ୍ ପ୍ରଭାବ । ଖାଇବା ତେଲଗୁଡ଼ିକର ରାସାୟନିକ ବିଶ୍ଳେଷଣରୁ ଜଣାଯାଏ ଯେ ଏମାନେ ମୁଖ୍ୟତଃ ଟ୍ରାଇଗ୍ଲିସେରାଇଡ୍ ନାମକ ଯୌଗିକରେ ତିଆରି, ଯାହାର ମୂଳ ଉପାଦାନ ହେଉଛି ‘ଫେଟି ଏସିଡ୍' ଏବଂ ‘ଗ୍ଲିସେରଲ୍' ନାମକ ଦୁଇଟି ଜୈବିକ ପଦାର୍ଥ । ମାତ୍ର ଭିଟାମିନ୍-ଇ, ଷ୍ଟେରଲ୍, ବର୍ଣ୍ଣକଣିକା, ଫିନଲିକ୍ ପଦାର୍ଥ ଆଦି ମଧ୍ୟ ଏଥିରେ ଅଳ୍ପ ପରିମାଣରେ ମିଶି ରହିଥିବାର କଥାଟି ବି ଆଜି ବେଶ୍ ସ୍ପଷ୍ଟ ।
ଏ ତେଲଗୁଡ଼ା ଆମ ଶରୀର ପାଇଁ କେତେ ଦରକାରୀ ସେକଥା ବୁଝାଇବାକୁ ବ୍ରୁସେଲ୍ସ ସ୍ଥିତ ‘ଫେଡିଓଲ୍' ନାମକ ସଂସ୍ଥା ତରଫରୁ ପ୍ରକାଶିତ ଏକ ବୁକଲେଟ୍ ଏବଂ ଆମେରିକାର ନେସେନାଲ୍ ରିସର୍ଚ୍ଚ କାଉନସିଲ୍ ପ୍ରକାଶ କରିଥିବା ‘ଡାଏଟ୍ ଏଣ୍ଡ୍ ହେଲ୍ଥ' ନାମକ ବହି ପ୍ରଦାନ କରୁଥିବା ତଥ୍ୟ ଉପରେ ନିର୍ଭର କରିବା ଉଚିତ ହେବ ବୋଲି ମୋର ମନେହୁଏ । ଆମ ଶରୀର ତିଆରି କରିପାରୁନଥିବା, ହେଲେ ଶରୀର ତଥା ତାର ଅଙ୍ଗ ସବୁର ବିକାଶ ପାଇଁ ନିହାତି ଆବଶ୍ୟକ ଥିବା ଓମେଗା-୩ ବା ଓମେଗା-୬ ପରି ଫେଟି ଏସିଡ୍କୁ ଆମେ ବ୍ୟବହାର କରୁଥିବା ବୃକ୍ଷାଦିର ତେଲ ମାଧ୍ୟମରୁ ହିଁ ପାଇଥାଉ । ଅନେକ ଭିଟାମିନ ତେଲ ଭଳିଆ ତରଳରେ ଦ୍ରବୀଭୂତ ହୋଇଯିବା ହେତୁ ଏମାନେ ଆମ ଶରୀର ମଧ୍ୟକୁ ଭିଟାମିନଗୁଡ଼ିକର ପ୍ରବେଶକୁ ସୁନିଶ୍ଚିତ କରିଥାନ୍ତି । ଏଥିସହ ପ୍ରକାରାନ୍ତରେ ଏହି ବୃକ୍ଷଜାତ ତେଲ, ଶରୀରରେ ଭଲ ଓ ଖରାପ କୋଲଷ୍ଟେରଲ୍ର ଭାଗମାପକୁ ସଜାଡ଼ିବା ସହ ରକ୍ତରେ କୋଲଷ୍ଟେରଲ୍ର ମାତ୍ରାକୁ କମାଇବାରେ ସାହାଯ୍ୟ କରିଥାନ୍ତି, ସେମାନେ ସାଇତି ରଖିଥିବା ଅନ୍ସେଚୁରଟେଡ୍ ଫେଟି ଏସିଡ୍(ପୁଫା ଓ ମୁଫା)କୁ ଅସ୍ତ୍ର କରି । ଏକଥା ବି ସତ୍ୟ ଯେ ଏସବୁ ସ୍ନେହସାର ଜାତୀୟ ଖାଦ୍ୟ ଶକ୍ତିର ଉତ୍ସ ଭାବରେ କାର୍ଯ୍ୟ କରିଥାନ୍ତି । ଏହା ସହିତ ଆଲ୍ଫା-ଲିନୋଲେନିକ୍ ଏସିଡ୍ ବା ସେଠୁ ତିଆରି ଇପିଏ ବା ଡିଏଚ୍ଏ ପରି କିଛି ଫେଟି ଏସିଡ୍ ଆଖିର ରେଟିନା ଓ କେନ୍ଦ୍ରୀୟ ସ୍ନାୟୁ ସଂସ୍ଥାନର ବିକାଶ ତଥା ତେଲରେ ଥିବା ଫସ୍ଫୋଲିପିଡ୍ ନାମକ ଏକ ଜୈବିକ ପଦାର୍ଥର ମସ୍ତିଷ୍କ ଓ ସ୍ନାୟୁ ସଂସ୍ଥାନ ସହ ଘନିଷ୍ଠ ସମ୍ପର୍କ ଥିବା କଥାଟି ବି ଆମକୁ ଏହି ଆଲେଖ୍ୟରୁ ଜାଣିବାକୁ ମିଳିଥାଏ । ବେଶି ଗହୀରକୁ ନଯାଇ ସାଧାରଣ ଭାବରେ କହିବାକୁ ଗଲେ ତେଲର ରାସାୟନିକ ଗୁଣ ହିଁ ସିଏ ଖାଦ୍ୟପୋଯୋଗୀ କି ନୁହେଁ ତାହା ସୂଚାଇଥାଏ । ଏହାର ଫେଟି ଏସିଡ୍ ନାମକ ଉପାଦାନକୁ ବିଚାରକୁ ନେଲେ ଏହା ସଂପୃକ୍ତ (ସେଚୁରଟେଡ୍) ବା ଅସଂପୃକ୍ତ (ଅନ୍ସେଚୁରଟେଡ୍) ପରି ଦୁଇ ପ୍ରକାରର । ପ୍ରଥମଟିରେ କୌଣସି ଦ୍ୱି-ବନ୍ଧ ନଥିବା ହେତୁ ଏହା ସନ୍ତୁଳିତ ହୋଇଥିବା ବେଳେ ଦ୍ୱିତୀୟଟି ଦ୍ୱି-ବନ୍ଧ ଧାରଣ କରି ଅସ୍ଥିର ହୋଇଥାଏ ଏବଂ ଏହା ଅମ୍ଳଜାନ ସଂସ୍ପର୍ଶରେ ଆସିଲେ ବିଭାଜିତ ହୋଇଯିବାର ଆଶଙ୍କା ଦେଖାଯାଏ । ଆଉ ଏକ କଥା, ଯିଏ ଯେତେ ଅଧିକ ଏହିପରି ଦ୍ୱି-ବନ୍ଧ ଧାରଣ କରିଥାଏ ସିଏ ସେତେ ବେଶି ଅସ୍ଥିର ହୋଇଥାଏ ।
ଏପରି ଅସଂପୃକ୍ତ ଦ୍ୱି-ବନ୍ଧ ଭାଙ୍ଗିଗଲେ ଫ୍ରି-ରେଡିକାଲ୍ ନାମକ ବିଧ୍ୱଂସକାରୀ ପଦାର୍ଥ ସବୁ ସୃଷ୍ଟି ହୋଇଥାନ୍ତି । ଏହି ଫ୍ରି-ରେଡିକାଲ୍ ଶରୀର ମଧ୍ୟରେ ତିଆରି ହେଲେ ବା ଏହା ଶରୀର ମଧ୍ୟକୁ ପ୍ରବେଶ କଲେ ଅନ୍ୟ ଜୈବିକ ଅଣୁ ଯଥା ପୁଷ୍ଟିସାର, ସ୍ନେହସାର ବା ଡିଏନ୍ଏ ଆଦିକୁ ବିକୃତ କରିଦେବାର ସାମର୍ଥ୍ୟ ରଖନ୍ତି । ଫଳତଃ, ଆମ କୋଷୀୟ ସଂସ୍ଥାନଗୁଡ଼ିକରେ ଅହେତୁକ ପରିବର୍ତ୍ତନ ହୋଇ ଶରୀରରେ ଘାତକ ରୋଗ ସବୁ ଜାତ ହୋଇଥାଏ ବୋଲି ଫାରମାକୋଗ୍ନୋସି ରିଭିଉଜ୍ ନାମକ ଏକ ପତ୍ରିକାରେ ୨୦୧୦ ମସିହାରେ ଲୋବୋ ଏବଂ ସାଥୀ ଗବେଷକଙ୍କ ଏକ ଲେଖାରୁ ବୁଝାପଡ଼େ । ସେହିପରି ଅନିତା ତେଲି ନାମ୍ନୀ ଗବେଷିକାଙ୍କ ତରଫରୁ ଜର୍ଣ୍ଣାଲ ଅଫ୍ ଦ ସାଇଣ୍ଟିଫିକ୍ ସୋସାଇଟିର ସଂପାଦକଙ୍କୁ ଲେଖାଯାଇଥିବା ପତ୍ରଟିରେ ଏ ବିଷୟକୁ ନେଇ ଏକ ସୁନ୍ଦର କିନ୍ତୁ ସଂକ୍ଷିପ୍ତ ବର୍ଣ୍ଣନା ଆମେ ପାଇପାରିବା । ରାନ୍ଧିବା ବେଳକୁ ତେଲକୁ ଖୁବ୍ ଗରମ କରିବା ଅନେକ ସମୟରେ ଆବଶ୍ୟକ ହୋଇଥାଏ । ଏହି ତାପ ଦ୍ୱି-ବନ୍ଧଧାରୀ ବା ସହଜରେ ଭାଙ୍ଗି ଯାଉଥିବା ସ୍ନେହସାର ଜାତୀୟ ପଦାର୍ଥରୁ ଆରାମରେ ଫ୍ରି-ରେଡିକାଲ ସୃଷ୍ଟି କରିଦେଇଥାଏ । ଏ ଧର୍ମ ସହ ତେଲଟିରେ ଓମେଗା-୩ ଏବଂ ଓମେଗା-୬ ଫେଟି ଏସିଡର ଅନୁପାତ, ଏଣ୍ଟିଅକ୍ସିଡେଣ୍ଟ ନାମକ ଜୈବିକ ପଦାର୍ଥ ତଥା ତେଲର ସ୍ମୋକ ପଏଣ୍ଟ ଅବା ଏହାର ଗ୍ଲିସେରଲ୍ ନାମକ ଉପାଦାନର ବିଖଣ୍ଡନ ବି ତେଲକୁ ଖାଇବାଯୋଗ୍ୟ କରିଥାଏ ବୋଲି କୁହାଯାଇପାରେ । ବଜାରରେ ମିଳୁଥିବା ଏତେ ଗୁଡିଏ ତେଲ ଭିତରୁ କେଉଁ ତେଲକୁ ତାହେଲେ ବ୍ୟବହାର କଲେ ଭଲ ହେବ ବୋଲି ପ୍ରଶ୍ନଟିର ଉତ୍ତରଟି ଏବେ ଖୋଜିବା । ଅବଶ୍ୟ ଏହାର ଠିକ୍ ଉତ୍ତରଟିଏ ପାଇବାକୁ ହେଲେ ଆମକୁ ବହୁତ ପହଁରିବାକୁ ହେବ ମତାମତର ମହୋଦଧିରେ ।
ଅନିତା ତେଲିଙ୍କ ବିଶ୍ଳେଷଣରୁ ଏହା ମଧ୍ୟ ଜଣାଯାଏ ଯେ କମ୍ ଦ୍ୱିବନ୍ଧ, ପୋଲିଫିନଲ୍ ପରି ଏଣ୍ଟିଅକ୍ସିଡେଣ୍ଟର ଧାରଣ ତଥା କମ୍ ଓମେଗା-୬, ଓମେଗା-୩ ଫେଟି ଏସିଡ୍ର ଅନୁପାତ ଭଳି ସ୍ଥିର ରାସାୟନିକ ଗୁଣ ହେତୁ ଏକଷ୍ଟ୍ରା ଭର୍ଜିନ ଅଲିଭ ତେଲଟି ରାନ୍ଧଣା ପାଇଁ ବେଶ୍ ଭଲ । ସେହିପରି ପ୍ରାୟ ୮୭ ପ୍ରତିଶତ ସଂପୃକ୍ତ ଫେଟି ଏସିଡ ଓ କମ୍ ଓମେଗା ୬-ଓମେଗା ୩ ଫେଟି ଏସିଡର ଅନୁପାତ ହେତୁ ନଡିଆ ତେଲ ବି ଏଥିପାଇଁ ଯୋଗ୍ୟ । ବଜାରରେ ମିଳୁଥିବା ଅତି ଶସ୍ତା ତେଲ କଥା ଛାଡନ୍ତୁ, ବହୁଳ ଭାବରେ ବ୍ୟବହାର ହେଉଥିବା ସୂର୍ଯ୍ୟମୂଖୀ ତେଲ ଭଳି ତେଲ ବି ଏମାନଙ୍କ ପାଖକୁ ଆସି ପାରନ୍ତିନାହିଁ ସେମାନଙ୍କର ଅସ୍ଥିର ରାସାୟନିକ ଗୁଣ ଯୋଗୁଁ । ଏହି ଲେଖାଟିରୁ ଆହୁରି ଜଣାଯାଏ ଯେ ଏହି ବୃକ୍ଷଜାତ ତେଲଗୁଡ଼ିକର ମାତ୍ରାଧିକ୍ୟ ପ୍ରୋସେସିଙ୍ଗ୍ ତାଙ୍କଠେଇଁ ଥିବା ଦ୍ୱି-ବନ୍ଧଗୁଡ଼ିକୁ ଭାଙ୍ଗିଦେବା ସହ ଧାରଣ କରିଥିବା ପ୍ରାକୃତିକ ଏଣ୍ଟିଅକ୍ସିଡେଣ୍ଟକୁ ନଷ୍ଟ କରିଦିଏ ଫଳରେ ରନ୍ଧା ସମୟରେ ଫ୍ରି-ରେଡିକାଲ ସୃଷ୍ଟି କରି ମସ୍ତିଷ୍କ କ୍ଷୟ ବା କ୍ୟାନ୍ସର ପରି ରୋଗର କାରଣ ହୋଇଥାନ୍ତି । ମଧ୍ୟମ ତାପଯୁକ୍ତ ରାନ୍ଧଣା ପାଇଁ ଅଲିଭ୍ ବା ଏଭୋକାଡୋ ତେଲକୁ ଠିକ୍ ବୋଲି ଓ ଉଚ୍ଚତାପଯୁକ୍ତ ରନ୍ଧାରନ୍ଧି ପାଇଁ ନଡ଼ିଆ ତେଲ ବା ଘିଅକୁ ନିଆଯାଇପାରେ ବୋଲି ମଧ୍ୟ ଏଥିରେ ଲେଖାଯାଇଅଛି । ସୋରିଷ ତେଲ ବି ଏହି ରାନ୍ଧଣା ଦୌଡ଼ରେ ପଛରେ ନଥିଲେ ହେଁ ଏଥିରେ ଥିବା ଇରୁସିକ୍ ଏସିଡ୍ ନାମକ ଏକ ପଦାର୍ଥ ସହିତ ହୃଦୟ ରୋଗର ସମ୍ବନ୍ଧ କଥା ଜର୍ଣ୍ଣାଲ ଅଫ୍ କ୍ଲିନିକାଲ୍ ଲିପିଡୋଲୋଜିରେ ପ୍ରକାଶିତ କେ. ପୋଦ୍ଦାର ଓ ସାଥିଙ୍କ ଲେଖା ଏତଦ୍ଭିନ୍ନ ଅନ୍ୟ ଗବେଷଣା ପ୍ରବନ୍ଧମାନଙ୍କରେ ମଧ୍ୟ ପ୍ରତିଫଳିତ ହୋଇଥାଏ । ଏବେ ଭିନ୍ନ ଏକ ଦୃଷ୍ଟିକୋଣକୁ ଆଲୋଚନାର ପରିସରକୁ ଆଣି ତେଲର ମାତ୍ରା ବିଷୟରେ ଟିକିଏ ଜାଣିନେବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ୨୦୧୫ ମସିହାରେ ପ୍ରକାଶିତ ଏକ ରିପୋର୍ଟରେ ଆମେ ଦରକାର କରୁଥିବା ଶକ୍ତିରୁ ଅତି ବେଶିରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଏହିପରି ପୋଷକତତ୍ତ୍ୱରୁ ଆସିବା ଉଚିତ ବୋଲି କୁହାଯାଇଅଛି । ୨୦୨୫ ଜାନୁଆରୀ ମାସରେ ଦ ଇଣ୍ଡିଏନ୍ ଏକ୍ସପ୍ରେସ୍ରେ ପ୍ରକାଶିତ ରିଙ୍କୁ ଘୋଷଙ୍କ ଲେଖାରୁ ଆମେ ଜାଣିପାରିବା ଯେ ଏକ ସୁସ୍ଥ ପ୍ରାପ୍ତବୟସ୍କ ମଣିଷ ଦିନକୁ ମାତ୍ର ୨୦ରୁ ୨୫ ମିଲିଲିଟର ତେଲ ଦରକାର କରିଥାଏ, ଯାହାକି ମାସକୁ ୭୫୦ ରୁ ୯୦୦ ମିଲିଲିଟର ପର୍ଯ୍ୟନ୍ତ ହୋଇଥାଏ । ମାତ୍ର ହୃଦୟ ରୋଗ ବା ଡାଇବେଟିସ୍ରେ ପୀଡ଼ିତ ବ୍ୟକ୍ତି ପାଇଁ ଏହା ଦିନକୁ ୧୫ ମିଲିଲିଟର ବା ମାସକୁ ପ୍ରାୟ ଅଧଲିଟରରେ ସୀମିତ ରଖିବାକୁ ହୁଏ ।
ପ୍ରତ୍ୟେକ ବୃକ୍ଷଜାତ ତେଲରେ ସ୍ୱାସ୍ଥ୍ୟକୁ ନେଇ ଭଲ ଓ ଖରାପ ଗୁଣ ମିଶି ରହିଥାଏ । ଏହିସବୁ ବିଷୟକୁ ବିଚାରକୁ ଆଣିବା ସମୟରେ ଅନେକ ମତପାର୍ଥକ୍ୟ ବି ଦେଖାଯାଏ ଆଲୋଚନାରେ । ଅସ୍ଥିର ଗୁଣ ହେଉ ଅବା ହେଉ ମାତାଧିକ୍ୟ ବ୍ୟବହାର, ନିଶ୍ଚିତ ରୂପେ ହୃଦୟ ରୋଗ, ସ୍ନାୟୁତନ୍ତ୍ରର ବିକାର ପରି ରୋଗଠୁଁ ଆରମ୍ଭକରି ସ୍ଥଳବିଶେଷରେ କ୍ୟାନସର୍ ଭଳି ଜଟିଳ ଶାରୀରିକ ବିକୃତିଗୁଡ଼ିକୁ ଜନ୍ମ ଦେଇଥାଏ । ଏ ବିବଦମାନ ପରିସ୍ଥିତିରେ ତେଲର ଉପାଦାନଗୁଡ଼ିକ ଉପରେ କିଞ୍ଚିତ ଜ୍ଞାନ ଜରୁରି ହେଲେ ମଧ୍ୟ ସାଧାରଣ ମଣିଷଟିଏ କ'ଣ ଯେ କରିବା ଉଚିତ ବୋଲି କିଏ ପଚାରିଲେ ହୁଏତ କୁହାଯାଇପାରେ ଯେ, ଶସ୍ତା ଓ ରିଫାଇନ୍ ତେଲର ବର୍ଜନ, କୋଲ୍ଡ ପ୍ରେସ୍ଡ୍ ତେଲର ଚୟନ, କିଛି ଦିନ ଅନ୍ତରରେ ଭଲ ତେଲଗୁଡ଼ିକୁ ବଦଳାଇ ବା ଭଲ ତେଲଗୁଡ଼ିକର ମିଶ୍ରଣର ବ୍ୟବହାର ସହ ତେଲକୁ ଅତି ବେଶୀ ଗରମ ବା ବାରମ୍ବାର ବ୍ୟବହାରରୁ ନିବୃତ୍ତ ରହି ନିର୍ଦ୍ଧାରିତ ମାତ୍ରା ଭିତରେ ସେବନ କଲେ ସମ୍ଭବତଃ ଏହାର କୁପ୍ରଭାବ ବଳୟରୁ ନିଜକୁ ଦୂରେଇ ଦେଇହେବ ।