ଦ୍ରୁତଗତିରେ ବୃଦ୍ଧି ପାଉଥିବା ଶୁଷ୍କ ଓ ପତିତ ଜମି ଅବକ୍ଷୟର ଅନେକ ପାରିବେଶିକ ଓ ସାମାଜିକ ତଥା ଅର୍ଥନୈତିକ ପ୍ରଭାବ ରହିଛି । ସେଗୁଡ଼ିକ ହେଲା- ଆର୍ଦ୍ର ଲ୍ୟାଣ୍ଡସ୍କେପର, ଶୁଷ୍କ ତଥା ନିରସ ରୂପ, ଅସୁରକ୍ଷିତ ଖାଦ୍ୟ ଓ ପାନୀୟଜଳ, ଦାରିଦ୍ର୍ୟ ବୃଦ୍ଧି, ଜମିର ଉର୍ବରତା ହ୍ରାସ, ଫସଲ ହାନି, ଉତ୍ପାଦକତାରେ ଅବନତି, ଜୈବବିବିଧତା ହ୍ରାସ, ପରିସଂସ୍ଥା ଅବକ୍ଷୟ, ତୀବ୍ର ଧୂଳିଝଡ଼, ବନାଗ୍ନି, ସ୍ୱାସ୍ଥ୍ୟହାନି, ବହୁସଂଖ୍ୟାରେ ଲୋକମାନଙ୍କର ସ୍ଥାନାନ୍ତରୀକରଣ ଇତ୍ୟାଦି ।
ମୃତ୍ତିକା ଓ ଜଳ ପୃଥିବୀର ଉଭୟ ସଜୀବ ଓ ନିର୍ଜୀବମାନଙ୍କ ପାଇଁ ଦୁଇଟି ଅମୂଲ୍ୟ, ପ୍ରାକୃତିକ ମୌରସୀ ସମ୍ପଦ, ଯାହାକୁ ଯୁଗ ଯୁଗ ଧରି ବଂଶାନୁକ୍ରମିକ ଭାବେ ଆମେ ନିରନ୍ତର, ନିର୍ବିଚାରରେ ଉପଭୋଗ କରିଆସିଛେ । କିନ୍ତୁ ଏହି ସମ୍ବଳ ସୀମିତ, ଅସୀମ ନୁହେଁ । ବିଗତ କିଛି ଦଶକ ଧରି ଅବାରିତ ଭାବେ ବଢ଼ିଚାଲିଥିବା ଜନସଂଖ୍ୟା ପୃଥିବୀର ମୃତ୍ତିକା ଜମି, ଜଳ ଓ ଜଙ୍ଗଲ ଉପରେ ଚାପ ସୃଷ୍ଟି କରିଛି । ମୃତ୍ତିକାର ଅବକ୍ଷୟ ଓ ଅପମୃତ୍ୟୁ ଏହି ପ୍ରକ୍ରିୟାର ପରିପ୍ରକାଶ । ଜମି ଅଧଃପତିତ ହେବାର କେତେକ ପ୍ରମୁଖ କାରଣ ହେଲା- ଜଙ୍ଗଲ ଅବକ୍ଷୟ, ଅତ୍ୟଧିକ ଗୋଚାରଣ, ମୃତ୍ତିକା କ୍ଷୟ, ପ୍ରଦୂଷଣ, ସହରୀକରଣ, ଜଳବାୟୁ ପରିବର୍ତ୍ତନ, ପାଣିପାଗର ଚରମ ସ୍ଥିତି ଏବଂ ମନୁଷ୍ୟକୃତ କାର୍ଯ୍ୟକଳାପରୁ ସୃଷ୍ଟି ହେଉଥିବା ଚାପ । ମାଟିର ସ୍ୱାସ୍ଥ୍ୟରେ ଅବନତି କ୍ଷିପ୍ରଗତିରେ ବଢ଼ିଚାଲିଛି । ଏହା ଏକ ବିଶ୍ୱବ୍ୟାପୀ ସମସ୍ୟା । ପୃଥିବୀର ଜନସଂଖ୍ୟା ବୃଦ୍ଧି ଏହା ପଛର ମୂଳ କାରଣ । ୧୯୫୦ ମସିହାରେ ପୃଥିବୀର ଜନସଂଖ୍ୟା ୨୫୦କୋଟି ଥିଲାବେଳେ ଗତ ୭୦ବର୍ଷରେ ପ୍ରାୟ ତିନିଗୁଣା ବଢ଼ି ୨୦୨୨ ବେଳକୁ ପାଖାପାଖି ୮୦୦କୋଟିରେ ପହଞ୍ଚିଛି । ଭାରତର ଜନସଂଖ୍ୟା ୧୯୫୦ରେ ୩୬କୋଟି ଥିଲାବେଳେ ଏ ଭିତରେ ପ୍ରାୟ ୪ଗୁଣା ବଢ଼ି ୧୪୦କୋଟି ଟପିସାରିଲାଣି । ଅନ୍ୟ ଦିଗରୁ ବିଚାର କଲେ, ଆମ ଦେଶରେ ଥିବା ଜମିର ଆୟତନ ପୃଥିବୀର ମୋଟ୍ ଭୂଭାଗର ୪୦ଭାଗରୁ ୧ଭାଗ, ଅର୍ଥାତ୍ ପାଖାପାଖି ୨.୪ ପ୍ରତିଶତ । କିନ୍ତୁ ଏତିକି ଜମିରେ ଆମେ ପୃଥିବୀର ଲୋକସଂଖ୍ୟାର ୧୭.୫ ପ୍ରତିଶତ ଓ ୧୫ ପ୍ରତିଶତରୁ ଅଧିକ ଗୋରୁ, ମହିଷାଦି ପାଳନ କରୁଛେ ।
ମୃତ୍ତିକା ଅବକ୍ଷୟ ଘଟି ପତିତ ହେବା ସମସ୍ୟା କେବଳ ଆମ ଭାରତର ନୁହେଁ, ଏହା ସମଗ୍ର ପୃଥିବୀରେ ପରିବ୍ୟାପ୍ତ । ପୃଥିବୀର ପ୍ରାୟ ସମସ୍ତ ଦେଶ ଓ ମହାଦେଶ ଆଜି ମୃତ୍ତିକା ଅବକ୍ଷୟ ଜନିତ ସମସ୍ୟାରେ କବଳିତ । ୧୯୯୦ ମସିହାର ୩୦ ବର୍ଷ ପୂର୍ବ ତୁଳନାରେ ବର୍ତ୍ତମାନ ପର୍ଯ୍ୟନ୍ତ, ବିଶ୍ୱର ପ୍ରାୟ ୭୮ ଗୁଣା ଅଧିକ ଜମି ଶୁଷ୍କ ଓ ପତିତ ହେବାରେ ଲାଗିଛି । ଏହି ସମୟ ମଧ୍ୟରେ ଶୁଷ୍କ ଓ ଅର୍ଦ୍ଧଶୁଷ୍କ ଜମିର ଆୟତନ ୪.୩ ନିୟୁତ ବା ୪୩ ଲକ୍ଷ ବର୍ଗ କିଲୋମିଟର ବଢ଼ିଛି, ଯାହାକି ଆମ ଦେଶର ଭୂଭାଗ ଜମିର ଆୟତନଠାରୁ ଏକ-ତୃତୀୟାଂଶ ଅଧିକ । ଆଣ୍ଟାର୍କଟିକାକୁ ବାଦ୍ ଦେଇ ପୃଥିବୀରେ ଥିବା ଜମିର ୪୧% ଜମି ଶୁଷ୍କ ଅଥବା ଅର୍ଦ୍ଧଶୁଷ୍କ ହୋଇସାରିଲାଣି । ସାରା ପୃଥିବୀରେ ଶୁଷ୍କ ଓ ପତିତ ଜମିରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୧୯୯୦ ମସିହା ବେଳକୁ ୧୨୦ କୋଟି ଥିଲାବେଳେ, ୨୦୨୪ରେ ୩୨୦ କୋଟିରେ ପହଞ୍ଚିଲାଣି । ଯାହାକି ପୃଥିବୀର ମୋଟ୍ ଲୋକସଂଖ୍ୟାର ୪୦% ଅଟେ । ଏକବିଂଶ ଶତାବ୍ଦୀ ବେଳକୁ ଏହି ଧାରା ଜାରି ରହିଲେ ଶୁଷ୍କ ଓ ପତିତ ଜମିରେ ବସବାସ କରୁଥିବା ୫୦୦ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । କେବଳ ୨୦୫୦ ମସିହା ସୁଦ୍ଧା ବିଶ୍ୱର ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବାକୁ ହେଲେ ଖାଦ୍ୟଶସ୍ୟ ଉତ୍ପାଦନ ଦ୍ୱିଗୁଣିତ କରିବା ଆବଶ୍ୟକ । ଏହା ସମସ୍ତ ବିଶ୍ୱବାସୀଙ୍କ ପାଇଁ ଏକ ବଡ଼ ଆହ୍ୱାନ କହିଲେ ଅତ୍ୟୁକ୍ତି ହେବନାହିଁ । ପୃଥିବୀସାରା ପତିତ ବା ଅର୍ଦ୍ଧଶୁଷ୍କ ଜମିରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଏସିଆ ଏବଂ ଆଫ୍ରିକା ମହାଦେଶର ଅଧିବାସୀ । ଏସିଆର ଅଧିକାଂଶ ପ୍ରପୀଡ଼ିତ ବ୍ୟକ୍ତି ଭାରତ ଏବଂ ଉତ୍ତର-ପୂର୍ବ ଚାଇନାରେ ରୁହନ୍ତି ।
ଆମ ଦେଶ ଭାରତ ଏକ କୃଷିପ୍ରଧାନ ଦେଶ । କୃଷି ଅନେକ ରାଜ୍ୟରେ ମୁଖ୍ୟତଃ ବର୍ଷା ଉପରେ ନିର୍ଭରଶୀଳ । ଯଦିଚ ଦେଶର ଅର୍ଥନୀତିରେ ଧୀରେ ଧୀରେ ବ୍ୟାପକ ପରିବର୍ତ୍ତନ ଘଟୁଛି, ତେବେବି କୃଷି ଏକ ପ୍ରମୁଖ ଭୂମିକା ତୁଲାଉଛି । କିନ୍ତୁ ସମୟକ୍ରମେ ଦେଶର ୩୦% ଅଞ୍ଚଳରେ ଦେଖାଯାଉଥିବା ମୃତ୍ତିକା ଅବକ୍ଷୟ କୃଷିର ବିକାଶ ଓ ଉତ୍ପାଦନ ବୃଦ୍ଧିରେ ବାଧା ସୃଷ୍ଟି କରୁଛି । ଅହମଦାବାଦ ସ୍ଥିତ ‘ମହାକାଶ ପ୍ରୟୋଗ କେନ୍ଦ୍ର’ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ୨୦୨୧ ମସିହା ସୁଦ୍ଧା ଆମ ଦେଶର ମୋଟ୍ ଭୌଗୋଳିକ ଆୟତନ ୩୨୮ ନିୟୁତ ହେକ୍ଟର ପ୍ରାୟ ୩୨%, ଅର୍ଥାତ୍ ୧୦୫ ନିୟୁତ ହେକ୍ଟର ଜମିରେ ଅବକ୍ଷୟମୁଖୀ ପ୍ରକ୍ରିୟା ତ୍ୱରାନ୍ୱିତ ହେବାରେ ଲାଗିଛି । ତନ୍ମଧ୍ୟରୁ ୮୧.୪ ନିୟୁତ ବା ୮୧୪ ଲକ୍ଷ ହେକ୍ଟର ଜମି ମରୁଭୂମିରେ ପରିଣତ ହୋଇସାରିଲାଣି । ମୃତ୍ତିକା ଅବକ୍ଷୟ ବା ପତିତ ହେବାର ଅନ୍ୟତମ ପରିପ୍ରକାଶ ହେଉଛି ମରୁଭୂମିକରଣ, ଯେଉଁଠି ଉର୍ବର ଜମି ନିଷ୍ଫଳା ବା ମରୁଭୂମି ପାଲଟିଯାଏ କିମ୍ବା ମୃତ୍ତିକାର ଉତ୍ପାଦନ କ୍ଷମତା ଯଥେଷ୍ଟ କମିଯାଏ । ଦେଶରେ ଅବକ୍ଷୟିତ ବା ପତିତ ହୋଇଯାଇଥିବା ଜମିର ମୁଖ୍ୟ ଭାଗ ହେଉଛି ଜଙ୍ଗଲ ଜମି ଏବଂ ବର୍ଷାଜଳ ଉପରେ ନିର୍ଭରଶୀଳ ଚାଷଜମି । ପ୍ରାୟତଃ ବୃଷ୍ଟିଜଳ ଉପରେ ନିର୍ଭରଶୀଳ ଚାଷଜମି ହିଁ ଆମକୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେଇଥାଏ । ଦେଶ ସ୍ୱାଧୀନତା ପାଇବା ପରଠାରୁ ଅଦ୍ୟାବଧି, ସ୍ୱାଧୀନତା ପୂର୍ବବର୍ତ୍ତୀ ବର୍ଷ ତୁଳନାରେ ତିନିଗୁଣା ଅଧିକ ଚାଷଜମି, ଅଣକୃଷି କାର୍ଯ୍ୟରେ ପରିବର୍ତ୍ତିତ ହୋଇସାରିଲାଣି । ଭବିଷ୍ୟତରେ ଏହା ଅଧିକ ପରିମାଣରେ ଏବଂ ଦ୍ରୁତଗତିରେ ବଢ଼ିବାର ସମ୍ଭାବନା ରହିଛି । ଫଳତଃ କୃଷି ଉତ୍ପାଦନ ହ୍ରାସ ପାଇବ ଏବଂ ଜଳଉତ୍ସଗୁଡ଼ିକ ଶୁଖିଯିବ । ଦେଶରେ ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବା ପ୍ରଚେଷ୍ଟା ପ୍ରତି ଏହା ଏକ ସତର୍କ ସୂଚନା ।
ଦେଶରେ ଯେଉଁ ପାଞ୍ଚଟି ରାଜ୍ୟ ମୃତ୍ତିକା ଅବକ୍ଷୟ ହେତୁ ମରୁଡ଼ିପ୍ରବଣତା ଆଡ଼କୁ ଗତି କରୁଛି, ତନ୍ମଧ୍ୟରେ ରାଜସ୍ଥାନ ପ୍ରଥମ। ଏହା ପଛକୁ କ୍ରମାନ୍ୱୟରେ ଗୁଜରାଟ, ମହାରାଷ୍ଟ୍ର ଓ ଜାମ୍ମୁ କାଶ୍ମୀରରେ ସର୍ବାଧିକ ଜମିଶୁଷ୍କ ହୋଇସାରିଲାଣି । ଆମ ରାଜ୍ୟ ଓଡ଼ିଶାର ସ୍ଥାନ ପଞ୍ଚମ । ଓଡ଼ିଶାରେ ରହିଥିବା ଶୁଷ୍କ, ଅର୍ଦ୍ଧଶୁଷ୍କ ଓ ପତିତ ଜମିର ଆୟତନ ରାଜ୍ୟର ଭୌଗୋଳିକ ଆୟତନର ଏକ-ତୃତୀୟାଂଶରୁ ସାମାନ୍ୟ ଅଧିକ । ମୃତ୍ତିକା ଶୁଷ୍କ ବା ପତିତ ହେବାର ମୁଖ୍ୟ କାରଣ ହେଉଛି ମୃତ୍ତିକା କ୍ଷୟ । ଏହା ପବନ, ବର୍ଷା ବା ଗଭୀର ଚାଷ ହେତୁ ହୋଇଥାଏ । ଓଡ଼ିଶାରେ ମଧ୍ୟ ବର୍ଷକୁ ପ୍ରାୟ ୩୫୦ ନିୟୁତ ଟନ୍ ଉପର ମାଟି ଧୋଇ ହୋଇଯାଏ ବା ମୃତ୍ତିକା କ୍ଷୟ ଘଟି ନଷ୍ଟ ହୋଇଯାଏ । ମୃତ୍ତିକା କ୍ଷୟ ବ୍ୟତୀତ ଓଡ଼ିଶାରେ ଜମି ପତିତ ହେବାର ଅନ୍ୟ କାରଣ ହେଉଛି ଖଣିଜ ଦ୍ରବ୍ୟ ଉତ୍ତୋଳନ, ବ୍ୟାପକ ଜଙ୍ଗଲ ନଷ୍ଟ, ଅତ୍ୟଧିକ ଚାରଣ ଓ ଜଳସେଚନ । ଏସବୁ ବ୍ୟତୀତ ମୃତ୍ତିକା ଅବକ୍ଷୟ ପ୍ରକ୍ରିୟା ପଛରେ ଥିବା ଅନ୍ୟ କାରଣ ମଧ୍ୟରେ ରହିଛି ଅଣବୈଜ୍ଞାନିକ ବା ଭୁଲ୍ କୃଷି ପଦ୍ଧତି, କ୍ରମବର୍ଦ୍ଧିଷ୍ଣୁ ସନ୍ତସନ୍ତିଆ ବା ଜଳମଗ୍ନ ଜମି, ବୃଦ୍ଧି ପାଉଥିବା ଲବଣାକ୍ତ ଓ କ୍ଷାରୀୟ କୃଷିଜମି, ବନ୍ୟା, ବାତ୍ୟା, ମୃତ୍ତିକାର ପୋଷକତତ୍ତ୍ୱ ଓ ଜୈବିକ ପଦାର୍ଥ କ୍ଷୟ ଯୋଗୁଁ ଅନୁପଯୁକ୍ତ ଚାଷଜମିର ପରିମାଣ ବୃଦ୍ଧି, ଅଧିକ ରାସାୟନିକ ସାର ପ୍ରୟୋଗ, ଏକଫସଲି ଚାଷ ଏବଂ ଅବିଚାରିତ ଢଙ୍ଗରେ ଭୂପୃଷ୍ଠ ଓ ଭୂତଳ ଜଳର ବ୍ୟବହାର, ମନୁଷ୍ୟକୃତ କାର୍ଯ୍ୟକଳାପରୁ ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ସବୁଜ ଗୃହ ବାଷ୍ପ ମାଟିରୁ ଅଣୁଜୀବ ଓ ପୋଷକ ତତ୍ତ୍ୱକୁ ନଷ୍ଟ କରି, ଜମି ପତିତ ହେବା ଦିଗରେ ଉତ୍ପ୍ରେରକ ଭାବେ କାମ କରିଥାଏ ।
୨୦୨୪ ମସିହାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼େ ଯେ, ଓଡ଼ିଶାର ୪୩% ଜମିରେ ମଧ୍ୟମରୁ ଅତି ତୀବ୍ର ଧରଣର ମୃତ୍ତିକା କ୍ଷୟ ପରିଲକ୍ଷିତ ହୋଇଥାଏ । ଓଡ଼ିଶାରେ ମୃତ୍ତିକା କ୍ଷୟର ଉତ୍ତପ୍ତ ସ୍ଥଳ ହେଉଛି କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ୧୦%ରୁ ଅଧିକ ଗଡ଼ାଣିଆ ଥିବା ଉନ୍ମୁକ୍ତ ଢାଲୁ ଓ ନଣ୍ଡା ପାହାଡ଼ ।
ଦ୍ରୁତଗତିରେ ବୃଦ୍ଧି ପାଉଥିବା ଶୁଷ୍କ ଓ ପତିତ ଜମି ଅବକ୍ଷୟର ଅନେକ ପାରିବେଶିକ ଓ ସାମାଜିକ ତଥା ଅର୍ଥନୈତିକ ପ୍ରଭାବ ରହିଛି । ସେଗୁଡ଼ିକ ହେଲା- ଆର୍ଦ୍ର ଲ୍ୟାଣ୍ଡସ୍କେପର, ଶୁଷ୍କ ତଥା ନିରସ ରୂପ, ଅସୁରକ୍ଷିତ ଖାଦ୍ୟ ଓ ପାନୀୟଜଳ, ଦାରିଦ୍ର୍ୟ ବୃଦ୍ଧି, ଜମିର ଉର୍ବରତା ହ୍ରାସ, ଫସଲ ହାନି, ଉତ୍ପାଦକତାରେ ଅବନତି, ଜୈବବିବିଧତା ହ୍ରାସ, ପରିସଂସ୍ଥା ଅବକ୍ଷୟ, ତୀବ୍ର ଧୂଳିଝଡ଼, ବନାଗ୍ନି, ସ୍ୱାସ୍ଥ୍ୟହାନି, ବହୁସଂଖ୍ୟାରେ ଲୋକମାନଙ୍କର ସ୍ଥାନାନ୍ତରୀକରଣ ଇତ୍ୟାଦି । ମିଳିତ ଜାତିସଂଘର ମରୁଭୂମିକରଣ ପ୍ରତିରୋଧକ ସଂସ୍ଥାର ଆକଳନ ମୁତାବକ ପ୍ରତିବର୍ଷ ବିଶ୍ୱରେ ମରୁଡ଼ି କାରଣରୁ ୧୮୦ କୋଟି ଜନତାଙ୍କର ଜୀବନ ଜୀବିକା ବିପର୍ଯ୍ୟୟ ହେଉଛି । ଏହି କ୍ଷୟକ୍ଷତିର ବାର୍ଷିକ ମୂଲ୍ୟାୟନ ୩୦୦ ବିଲିୟନ ଆମେରିକୀୟ ଡଲାର । ମୃତ୍ତିକା ଅପମୃତ୍ୟୁର ଏହା ଏକ କରୁଣ ପରିଣତି । ୨୦୩୦ ମସିହା ସୁଦ୍ଧା ହାସଲ କରିବା ପାଇଁ ମିଳିତ ଜାତିସଂଘ ଦ୍ୱାରା ପ୍ରସ୍ତାବିତ ୧୭ଟି ‘ସହନୀୟ ବିକାଶ ଲକ୍ଷ୍ୟ’ ମଧ୍ୟରୁ ୧୫ ନମ୍ବରରେ ସ୍ଥାନ ପାଇଛି ‘ଭୂପୃଷ୍ଠରେ ଜୀବନ’ । ଏହାକୁ ବ୍ୟାଖ୍ୟା କଲେ ଜଣାଯାଏ, ପାର୍ଥିବ ପରିସଂସ୍ଥାର ସୁରକ୍ଷା, ସଂରକ୍ଷଣ ତଥା ପୋଷଣୀୟ ବ୍ୟବହାର, ଜଙ୍ଗଲ ସମ୍ପଦର ସୁପରିଚାଳନା ଏବଂ ମରୁଭୂମିକରଣର ପ୍ରତିରୋଧ କରି ଶୁଷ୍କ, ଅର୍ଦ୍ଧଶୁଷ୍କ ଓ ପତିତ ଜମିର ଅଧିକ ଅବନତି ରୋକିପାରିଲେ ସହନୀୟ ବିକାଶର ପ୍ରଥମ ଓ ଦ୍ୱିତୀୟ ଲକ୍ଷ୍ୟ– ଦାରିଦ୍ର୍ୟ ମୁକ୍ତି ଓ କ୍ଷୁଧା ମୁକ୍ତି ଅଚିରେ ହାସଲ କରିହେବ ।