ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗୁରୁଦେବ ଦୟାକର ଦୀନଜନେ

Published By : Rasmita Pradhan | July 10, 2025 8:37 AM

ମଙ୍ଗଳମୟ ଗୁରୁଦେବଙ୍କ ଦୟା ପ୍ରତ୍ୟେକ ମନୁଷ୍ୟଙ୍କ ପାଇଁ ଅପରିହାର୍ଯ୍ୟ, ସେ କୃପା କଲେ ସଂସାରୀ ଜୀବକୁ ମିଳିଥାଏ ମୋକ୍ଷ । ସେଇଥିପାଇଁ ଶ୍ରୀଗୁରୁ ସ୍ତୋତ୍ରମ୍‌ରେ କୁହାଯାଇଛି– ଧ୍ୟାନ ମୂଳଂ ଗରୋମୂର୍ତ୍ତି ପୂଜା ମୂଳଂ ଗୁରୋର୍ପଦମ୍‌, ମନ୍ତ୍ର ମୂଳଂ ଗୁରୁର୍ବାକ୍ୟଂ ମୋକ୍ଷ ମୂଳଂ ଗୁରୋର୍କୃପା । କୃପାମୟ ଗୁରୁଦେବଙ୍କ କୃପା ସେତିକିବେଳେ ମିଳିବ ଯେତେବେଳେ ଶିଷ୍ୟଟି ଗୁରୁଙ୍କ ମୂର୍ତ୍ତିକୁ ଧ୍ୟାନ କରୁଥିବ, ଶ୍ରୀଗୁରୁଙ୍କ ପାଦପଦ୍ମକୁ ପୂଜା କରୁଥିବ ଆଉ ଶ୍ରୀଗୁରୁଙ୍କ ବାକ୍ୟକୁ ମନ୍ତ୍ର ପରି ପାଳନ କରୁଥିବ । କିଛି ପାଇବାକୁ ହେଲେ କିଛି କରିବାକୁ ପଡ଼ିବ । "କୃପା' ଅର୍ଥ- କରିବା ଆଉ ପାଇବା । କୃପାପ୍ରାର୍ଥୀ ଶିଷ୍ୟ ଶ୍ରୀଗୁରୁଙ୍କ ପାଖରେ ଶରଣ ଗଲେ ଅବଶ୍ୟ ଶ୍ରୀଗୁରୁ ଦୀନ ଜନରେ ଦୟା କରିବେ ଏବଂ ତାଙ୍କ ଜ୍ଞାନାଲୋକରେ ଶିଷ୍ୟକୁ ଉଦ୍ଭାସିତ କରିବେ । ସେଇ ପରମକାରୁଣିକ ଶ୍ରୀଗୁରୁଙ୍କ ଉଦ୍ଦେଶ୍ୟରେ ସାରା ପୃଥିବୀରେ ପାଳିତ ହେଉଛି "ଗୁରୁପୂର୍ଣ୍ଣିମା' । 

ଆଷାଢ଼ ମାସର ପୂର୍ଣ୍ଣିମାକୁ "ଗୁରୁପୂର୍ଣ୍ଣିମା' ବା "ବ୍ୟାସ ପୂର୍ଣ୍ଣିମା' ବୋଲି କୁହାଯାଏ । ଏହି ପବିତ୍ର ଦିନରେ ଦ୍ୱାପରର ଜଗଦ୍‌ଗୁରୁ ବ୍ୟାସଦେବଙ୍କ ଜନ୍ମ ହୁଏ । ବ୍ୟାସଦେବଙ୍କ କୃତ ଅଷ୍ଟାଦଶ ପୁରାଣ, ଉପନିଷଦ, ବେଦ ଓ ଗୀତା ଆଦି ଗ୍ରନ୍ଥ ଯାହା ସାରା ବିଶ୍ୱକୁ ଜ୍ଞାନର ଆଲୋକ ପ୍ରଦାନ କରିଛି ତାହା ଅତୁଳନୀୟ । ସେହି ମହାନ ପ୍ରଜ୍ଞାପୁରୁଷଙ୍କ ଜନ୍ମତିଥି ପବିତ୍ର "ଗୁରୁପୂର୍ଣ୍ଣିମା' ରୂପେ ସାରା ବିଶ୍ୱରେ ପାଳିତ ହେଉଛି । ଗୁରୁ-ଶିଷ୍ୟ ପରମ୍ପରା ଭାରତୀୟ ସଂସ୍କୃତିର ଅନନ୍ୟ ଧାରା । ପ୍ରତି ସଂପ୍ରଦାୟରେ ଏହି ଗୁରୁ-ଶିଷ୍ୟ ପରମ୍ପରା ପ୍ରବାହିତ ହୋଇଆସୁଛି । ସଦ୍‌ଗୁରୁ ସବୁବେଳେ ଚାହାଁନ୍ତି କେମିତି ତାଙ୍କ ଶିଷ୍ୟ ଦିନେ ଗୁରୁରେ ପରିଣତ ହେବ, ଆଉ ସାରା ବିଶ୍ୱକୁ ଦିଗ୍‌ଦର୍ଶନ ଦେବ । ଏହି ପରିପ୍ରେକ୍ଷୀରେ ଦୁଇଟି ଉଦାହରଣ ନିଆଯାଇପାରେ । ସ୍ୱାମୀ ବିବେକାନନ୍ଦଙ୍କୁ କିଏ ବା ନଜାଣେ । ସଦ୍‌ଗୁରୁ ରାମକୃଷ୍ଣ ପରମହଂସ ଅନନ୍ୟ ଶିଷ୍ୟ ନରେନକୁ ବିବେକାନନ୍ଦରେ ପରିଣତ କଲେ, ଫଳରେ ସାରାବିଶ୍ୱରେ ସେ ପ୍ରସାରିତ କଲେ ବେଦାନ୍ତର ତତ୍ତ୍ୱ । ଧନ୍ୟ ତୁମେ ଗୁରୁ ରାମକୃଷ୍ଣ! ଧନ୍ୟ ତୁମର ପ୍ରିୟ ଶିଷ୍ୟ ବିବେକାନନ୍ଦ । 

ଦ୍ୱିତୀୟରେ, କ୍ରିୟାଯୋଗ ପରମ୍ପରାର ଅନନ୍ୟ ଗୁରୁ ହେଲେ ଜ୍ଞାନାବତାର ସ୍ୱାମୀ ଯୁକ୍ତେଶ୍ୱର । ସମ୍ମୁଖରେ ଉଦୀୟମାନ ଶିଷ୍ୟ ମୁକୁନ୍ଦ । ମାଟି ପିଣ୍ଡୁଳାଟିକୁ କେଉଁ ରୂପ ଦେଲେ ତାହା ସର୍ବସାଧାରଣରେ ପ୍ରୟୋଜନୀୟ ହେବ ଏବଂ ଉପଯୋଗୀ ହେବ ତାହା ଜଣାଥାଏ ସେହି କୁମ୍ଭକାର ରୂପୀ ଶ୍ରୀଗୁରୁଦେବଙ୍କୁ । "ମୁକୁନ୍ଦ' ସଦ୍‌ଗୁରୁ ଯୁକ୍ତେଶ୍ୱରଙ୍କ ସାନ୍ନିଧ୍ୟରେ ଆସି ହେଲେ ପରମହଂସ "ଯୋଗାନନ୍ଦ' ଯିଏ ସାରା ବିଶ୍ୱରେ ପ୍ରସାରିତ କଲେ "କ୍ରିୟାଯୋଗ' । ସେଇ ଗୁରୁ-ଶିଷ୍ୟର ପରମ୍ପରାରେ ପ୍ଳାବିତ ସାରା ବିଶ୍ୱ ଆଜି ଗୁରୁପୂର୍ଣ୍ଣିମାରେ ସେଇ ପ୍ରାଜ୍ଞ ଗୁରୁମାନଙ୍କୁ ସମ୍ମାନ ଜଣାଉଛି । ଜୀବନରେ ଗୁରୁ ଗ୍ରହଣ ଅବଶ୍ୟମ୍ଭାବୀ । ଯଦି ସ୍ୱୟଂ ଭଗବାନ ଗୁରୁଗ୍ରହଣ କରୁଛନ୍ତି, ସେଥିରୁ ଆମେ ଶିଖିଯିବା ଥୟ ଯେ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଗୁରୁଗ୍ରହଣ କରିବାର ଆବଶ୍ୟକତା ରହିଛି । ଭଗବାନ ଶ୍ରୀକୃଷ୍ଣ ଗୁରୁରୂପେ ଗ୍ରହଣ କଲେ ଋଷି ସାନ୍ଦିପନୀଙ୍କୁ । ମାତ୍ର ୬୪ ଦିନରେ ଚଉଷଠି କଳାକୁ ଆପଣେଇ ନେଲେ । ଅବତାର ପୁରୁଷ ତ ସର୍ବଜ୍ଞାତା, ତେବେ ସେ ସାନ୍ଦିପନୀଙ୍କୁ କାହିଁକି ଗୁରୁରୂପେ ଗ୍ରହଣ କଲେ? ଗୁରୁ ବିନା ଜୀବନ ଅପୂର୍ଣ୍ଣ । ଜୀବନରେ ପୂର୍ଣ୍ଣତା ଆଣିବାକୁ ହେଲେ ଆମକୁ ଗୁରୁ ଆଶ୍ରିତ ହେବାକୁ ପଡ଼ିବ । 

ବ୍ରହ୍ମଦର୍ଶୀ ଶ୍ରୀଶୁକଦେବ ଯେତେବେଳେ ବ୍ରହ୍ମତତ୍ତ୍ୱକୁ ମୁନିଋଷିମାନଙ୍କୁ କହୁଥିଲେ, ସେ ବସିଥିବା ଜାଗାର ଦ୍ୱାଦଶ ଆଙ୍ଗୁଳ ମାଟି ଅପବିତ୍ର ହେଇଯାଉଥିଲା । ଯେତେବେଳେ ସେ ଏହା ଜାଣିଲେ ସେ ତାଙ୍କ ପୂଜ୍ୟପିତା ବ୍ୟାସଦେବଙ୍କୁ ପଚାରିଲେ "ସେ କାହାକୁ ଗୁରୁ ରୂପେ ଗ୍ରହଣ କରିବେ?' ଅବତାର ପୁରୁଷ ଭଗବାନ ବ୍ୟାସଦେବ ତାଙ୍କୁ ରାଜର୍ଷି ଜନକଙ୍କୁ ଗୁରୁ ରୂପେ ଗ୍ରହଣ କରିବାକୁ ପରାମର୍ଶ ଦେଲେ । ଜଣେ ଆଜନ୍ମ ବ୍ରହ୍ମଚାରୀ ଗୁରୁ ରୂପେ ଗ୍ରହଣ କରିବେ ଜଣେ ସଂସାରୀ ବ୍ୟକ୍ତି ରାଜା ଜନକଙ୍କୁ! ଏହା କିପରି ସମ୍ଭବ ହେବ? ବ୍ୟାସଦେବ ଜାଣିଥିଲେ ରାଜା ଜନକଙ୍କ ଋଷିବତ୍‌ ଜୀବନର ରହସ୍ୟ । ଯିଏ ଅଷ୍ଟାବକ୍ର ଋଷିଙ୍କଠାରୁ କ୍ଷଣକରେ ବ୍ରହ୍ମଜ୍ଞାନ ପ୍ରାପ୍ତ ହୋଇଥିଲେ, ସେଇ ହେଉଛନ୍ତି ରାଜା ଜନକ । ତେଣୁ ସଂସାରରେ ରହିଲେ ବି ଜଣେ ବ୍ରହ୍ମଜ୍ଞାନର ଅଧିକାରୀ ହୋଇପାରିବ- ଏହାକୁ ପ୍ରମାଣିତ କରିଥିଲେ ରାଜା ଜନକ । ବ୍ରହ୍ମଦର୍ଶନରେ ଥିବା ଶ୍ରୀଶୁକଦେବଙ୍କ ଠାରେ ଦେଖାଦେଇଥିବା ସାମାନ୍ୟ ଅହଙ୍କାର ସେତିକିବେଳେ ଚୂର୍ଣ୍ଣ ହେଲା, ଯେତେବେଳେ ତାଙ୍କୁ "ଗୁରୁଦକ୍ଷିଣା' ସ୍ୱରୂପ ତାଙ୍କର ସଂପୂର୍ଣ୍ଣ ଶରୀରକୁ ଶ୍ରୀଗୁରୁଙ୍କ ପାଦପଦ୍ମରେ ସେ ଅର୍ପଣ କଲେ । ଅର୍ଥାତ୍‌ ସଂପୂର୍ଣ୍ଣ "ଶରଣାଗତି' । ଶରଣାଗତିରେ ରହିଲେ ହିଁ ମିଳେ ଗୁରୁକୃପା । "ଗୁରୁଦକ୍ଷିଣା' ଗୁରୁ-ଶିଷ୍ୟ ପରମ୍ପରାର ଏକ ଅନନ୍ୟ ଅଂଶ । ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ଗୁରୁଦକ୍ଷିଣା ଦେବେ ଗୁରୁ ସାନ୍ଦୀପନିଙ୍କୁ । ଗୁରୁପତ୍ନୀଙ୍କ ଇଚ୍ଛାରେ ହିଁ ହେବ ଗୁରୁଦକ୍ଷିଣା- ଏହି କଥା କହିଦେଲେ ଗୁରୁ ସାନ୍ଦୀପନି । ଫଳସ୍ୱରୂପ ଭଗବାନ ଶ୍ରୀକୃଷ୍ଣ ବରୁଣପୁରରୁ ଯାଇ ଯମପୁରରେ ପହଞ୍ଚିଲେ ଏବଂ ମୃତପୁତ୍ରକୁ ଜୀବନ ଦାନ ଦେଇ ଶ୍ରୀଗୁରୁଙ୍କୁ ଦକ୍ଷିଣା ସ୍ୱରୂପ ପ୍ରଦାନ କଲେ । ଗୁରୁଙ୍କ ପ୍ରତି ଅନୁରକ୍ତି ପାଇଁ ହିଁ ଏହି ଗୁରୁଦକ୍ଷିଣାର ପ୍ରଚଳନ । 

ଶିଷ୍ୟ ଏକଲବ୍ୟ ବୃଦ୍ଧାଙ୍ଗଳିକୁ କାଟିଦେଇ ଗୁରୁଦକ୍ଷିଣା ଦେଲେ ଆଉ ଅମର ହୋଇଗଲେ ଚିରଦିନ । ଗୁରୁଦେବଙ୍କ ଦୟାରେ, ଆଶୀର୍ବାଦରେ ଶିଷ୍ୟ ହୁଏ ମହିମାମଣ୍ଡିତ । ସଦ୍‌ଗୁରୁ ସମର୍ଥ ରାମଦାସ ଆଶୀର୍ବାଦ କଲେ ଶିବାଜୀଙ୍କୁ ସେ ହେଲେ "ଛତ୍ରପତି ଶିବାଜୀ', ଜଣେ ସଫଳ ରାଜା । ସେହିପରି ସଦ୍‌ଗୁରୁ ବିଶ୍ୱାମିତ୍ର ଗୁରୁଦକ୍ଷିଣା ଗ୍ରହଣ କରି ରାଜା ହରିଶ୍ଚନ୍ଦ୍ରଙ୍କୁ ଯୁଗ ଯୁଗ ପାଇଁ ଅମର କରିଦେଲେ । ଏସବୁ ଗୁରୁଦେବଙ୍କ ଦୟା । ଶ୍ରୀଗୁରୁ ଦୟା କଲେ କ'ଣ ବା ଅସମ୍ଭବ ରହିବ? "ଗୁରୁ': ଯିଏ ଆତ୍ମଜ୍ଞାନ ପ୍ରଦାନ କରି ଶିଷ୍ୟଠାରୁ ଅଜ୍ଞାନ ଅନ୍ଧକାର ଦୂର କରନ୍ତି ଏବଂ ଜ୍ଞାନାଲୋକ ପ୍ରଦାନ କରନ୍ତି । ଗୁରୁ ଓ ଭଗବାନ ଏକ ଏବଂ ଅଭିନ୍ନ । ସେଇଥିପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ଲେଖିଛନ୍ତି– ମୁହିଁ ବସଇ ଗୁରୁ ଦେହେ । ମୋ ତହୁଁ ଗୁରୁ ଭିନ୍ନ ନୁହେଁ । ଗୁରୁଙ୍କୁ ନ ମଣିବ ନର । ଗୁରୁ ହିଁ ସାକ୍ଷାତ୍‌ ଈଶ୍ୱର । ଆମେ ଜୀବନରେ ଈଶ୍ୱରଙ୍କୁ ଦେଖିନଥାଏଁ । ଯଦି ଭଗବାନ କହୁଛନ୍ତି ମୁଁ ଗୁରୁଙ୍କ ଶରୀରରେ ଅବସ୍ଥାନ କରେ, ତେବେ ଆମେ ଗୁରୁ ଗ୍ରହଣ କରି ତାଙ୍କ ମୂର୍ତ୍ତିକୁ ଧ୍ୟାନ କରି, ତାଙ୍କ ପାଦପଦ୍ମକୁ ପୂଜା କରି ତାଙ୍କ ବାକ୍ୟକୁ ମନ୍ତ୍ର ରୂପେ ପାଳନ କଲେ ଗୁରୁରୂପୀ ଭଗବାନ ଅବଶ୍ୟ ଆମକୁ କୃପା କରିବେ ଆଉ ଆମେ ମୋକ୍ଷପଥର ଯାତ୍ରୀ ହେବା । ଆସନ୍ତୁ ଆଜି ପବିତ୍ର "ଗୁରୁପୂର୍ଣ୍ଣିମା' ବା "ବ୍ୟାସପୂର୍ଣ୍ଣିମା'ରେ ନିଜ ଗୁରୁଙ୍କଠାରେ ଅବତାରପୁରୁଷ ବ୍ୟାସଦେବଙ୍କୁ ଦର୍ଶନ କରି ତାଙ୍କ ପୂଜାର୍ଚ୍ଚନା କରିବା, ସେ ଆମକୁ କୃପା କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.