ଏସ୍ସିଓ ସମ୍ମିଳନୀ ବିବୃତିରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ କାଣ୍ଡ ସ୍ଥାନିତ ନହେବା ପଛର ମାଷ୍ଟରମାଇଣ୍ଡ ଯେ ଚୀନ୍ ଏହା କାହାକୁ ଅଛପା ନାହିଁ । ଦୀର୍ଘମିଆଦି ଭିତ୍ତିରେ ଚୀନ୍ ଭାରତ ବିରୋଧରେ ଷଡ଼ଯନ୍ତ୍ର ପରେ ଷଡ଼ଯନ୍ତ୍ର ରଚୁଛି । ଭାରତର ପ୍ରଭାବରେ ରୋକ୍ ଲଗାଇବାକୁ ଏହା ହେଉଛି ବେଜିଂର ସୁଚିନ୍ତିତ ଚାଲ୍ ।
ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ । ଜଳୁଛି ପଡ଼ୋଶୀ ଚୀନ୍ । ଭାରତ ପ୍ରତି ଅସୂୟା ଓ ଈର୍ଷା ଭାବରେ ଛଟପଟ ହେଉଛି । ଛଳନାର ଡ୍ରାମା କରୁଥିବା ଡ୍ରାଗନ୍ର ଅସଲ ମୁଖା ଧରାପଡ଼ିଛି । ଭାରତ ପ୍ରତି ବଇରୀ ଭାବ ଟିକେ ବି ଊଣା ହୋଇନି । କଳେ ବଳେ କୌଶଳେ ଭାରତକୁ କୋଣଠେସା କରିବାକୁ ବେଜିଂ ଚଳାଉଛି ଗୋଟି । ଜଳଜଳ ଦିଶୁଛି ଷଡ଼ଯନ୍ତ୍ର । ନିକଟରେ ବସିଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ସମ୍ମିଳନୀରୁ ମିଳିଛି ପ୍ରମାଣ । ଏସିଆ ମହାଦେଶରେ ଭାରତର ପ୍ରଭାବରେ ବ୍ରେକ୍ ଲଗାଇବାକୁ ଦିନରାତି କସରତ କରୁଛି ଚୀନ୍ । ଆମର ପାରମ୍ପରିକ ଶତ୍ରୁ ପାକିସ୍ତାନ ସହ ହାତ ମିଳାଇଛି । ସୁପର ପାୱାର୍ ହେବାର ନିଶା ଉତୁରୁନି ।
ପିଓକେ ମାମଲାରେ ବେଜିଂର ପ୍ରବେଶ
ଭାରତ ବିରୋଧୀ ଅଭିଯାନକୁ ତେଜିବାକୁ ପାକିସ୍ତାନକୁ ମାଧ୍ୟମ କରୁଛି ଡ୍ରାଗନ୍ । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଉପରେ ଭାରତର ଦାବି ମଧ୍ୟରେ ଚାଇନାକୁ କାଶ୍ମୀର ବିବାଦରେ ପ୍ରବେଶ କରିବାକୁ ଅନୁମତି ଦେଇଛି । ପାକିସ୍ତାନ ଖୋଲାଖୋଲି କହୁଛି, କେବଳ ଭାରତ କି ପାକିସ୍ତାନ ନୁହଁ ଚାଇନା ମଧ୍ୟ କାଶ୍ମୀର ବିବାଦର ଏକ ପକ୍ଷ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ତୁରନ୍ତ ପାକ ଅଧିକୃତ କାଶ୍ମୀର ଖାଲି କରିବାକୁ ଦାବି କରି ଆସୁଛି । ଆମ ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ମଧ୍ୟ ପାକିସ୍ତାନକୁ ପିଓକେ ଖାଲି କରିବାକୁ କହିଛନ୍ତି । ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ପାକିସ୍ତାନ ଉପରେ ଏପରି ଚାପ ପକାଯାଉଛି । ପିଓକେ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୭୩ ବର୍ଷ ପରେ ଚାଇନା ପ୍ରବେଶ ପଛର ରହସ୍ୟ କ’ଣ? ଭାରତ ଅନୁମାନ ଲଗାଉଛି, ପ୍ରଥମତଃ ଏହି ଲଢ଼େଇକୁ ମଜଭୁତ କରିବା ପାଇଁ ପାକିସ୍ତାନ ଚାଇନାର ସାହାଯ୍ୟ ନେଉଛି । ଚାଇନା ହେଉଛି ପାକିସ୍ତାନର ସବୁଠାରୁ ବଡ଼ ବନ୍ଧୁ । ସାମ୍ପ୍ରତିକ ବିବାଦରେ ବେଜିଂ ଖୋଲାଖାଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲା । ଗତ ୫ ବର୍ଷ ମଧ୍ୟରେ ପାକିସ୍ତାନ କିଣିଥିବା ଯୁଦ୍ଧାସ୍ତ୍ର ମଧ୍ୟରୁ ୮୧ ପ୍ରତିଶତ ଚାଇନାର । କେବଳ ସେତିକି ନୁହେଁ, ଚାଇନା ପିଓକେରେ ପ୍ରାୟ ୩୦୦ ନିୟୁତ ଡଲାର ନିବେଶ କରିଛି । ଯଦି ଭାରତ ଏଠାରେ କୌଣସି ପଦକ୍ଷେପ ନିଏ, ତେବେ ଏହା ସିଧାସଳଖ ଚାଇନାକୁ କ୍ଷତି ପହଞ୍ଚାଇବ । ‘ଅପରେସନ ସିନ୍ଦୂର’ ପରେ ସମଗ୍ର ବିଶ୍ୱରେ ଭାରତର ଦବଦବା ବଢ଼ିଛି । ବିଶ୍ୱ ଯୁଦ୍ଧାସ୍ତ୍ର ବଜାରରେ ଭାରତର ଭାଗ ଉପରମୁହାଁ ଧରିଛି । ଏହାକୁ ହଜମ କରିପାରୁନାହାନ୍ତି ଜିନ୍ ପିଙ୍ଗ୍ । ଭାରତକୁ କୌଣସି ଉପାୟରେ ଚେକ୍ ଦେବାକୁ ବେଜିଂ ତିଆରି କରୁଛି ନୂଆ ଷଡ଼ଯନ୍ତ୍ର ।
ଏକ ଘରିକିଆ ପାଇଁ ଗୋଟି ଚାଳନା
ଚାଇନା ଓ ପାକିସ୍ତାନର ନୂଆ ମିଶନ । ଗଠନ କରିବେ ନୂଆ ଆଞ୍ଚଳିକ ସଂଗଠନ । ସାର୍କ (‘ଦି ସାଉଥ ଏସିଆନ୍ ଆସୋସିଏସନ ଫର ରିଜିଓନାଲ କର୍ପୋରେସନ’)ର ବିକଳ୍ପ ଭାବେ ଏହି ସଂଗଠନ ମୁଣ୍ଡ ଟେକିବ । ସାର୍କ ଦେଶମାନଙ୍କୁ ନେଇ ଗଠିତ ବ୍ଲକ୍ରେ ଭାରତ ହେଉଛି ଓଜନିଆ ସଦସ୍ୟ । ଭାରତକୁ ଏକଘରିକିଆ କରି ଡ୍ରାଗନ୍ ପାକିସ୍ତାନ ସହାୟତାରେ ଆଉ ଏକ ସଂଗଠନ ଛିଡ଼ା କରାଇବାକୁ ଚାହୁଁଛି । ଏଥିରେ ବାଂଲାଦେଶକୁ ମଧ୍ୟ ସାମିଲ କରିବାକୁ ଦୁଇ ରାଷ୍ଟ୍ର ଦିନ ରାତି ଏକ କରିଛନ୍ତି ।
ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ କହୁଛି, ନୂଆ ସଂଗଠନ ଗଢ଼ିବାକୁ ଚୀନ-ପାକ୍ ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ । ନିକଟରେ କୁନମିଙ୍ଗରେ ବସିଥିବା ବୈଠକରେ ବେଜିଂ ଓ ଇସଲାମାବାଦ ଛଡ଼ା ବାଂଲାଦେଶ ମଧ୍ୟ ସାମିଲ ହୋଇଥିଲା । ସାର୍କରେ ଥିବା ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ନୂଆ ଗ୍ରୁପ୍ରେ ସାମିଲ ପାଇଁ ନିମନ୍ତ୍ରଣ କରିବା ହିଁ କୁନମିଙ୍ଗ ବୈଠକର ମୂଳ ଲକ୍ଷ୍ୟ ଥିଲା । ଏପରିକି ଏ ବୈଠକ ପୂର୍ବରୁ ଚାଇନା-ପାକିସ୍ତାନ- ଆଫଗାନିସ୍ତାନ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା କାଳେ ହୋଇଛି । ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର୍କୁ ତାଲିବାନ ଶାସିତ ଆଫଗାନିସ୍ତାନ ଯାଏ ବିସ୍ତାର କରିବା ସଂପର୍କରେ ବିଶଦ ଚର୍ଚ୍ଚା ହୋଇଥିଲା ।
୧୯୮୫ରେ ବାଂଲାଦେଶର ଢାକାରେ ସାର୍କ ଗଠନ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ସାର୍କରେ ୭ଟି ଦେଶ ରହିଥିଲେ । କିନ୍ତୁ ୨୦୦୭ରେ ସାର୍କ ସହ ଆଫଗାନିସ୍ତାନ ଯୋଡ଼ି ହେଲା । ସାର୍କ ୨୦୧୬ରୁ କିନ୍ତୁ ଏକପ୍ରକାର ଅଚଳ ହୋଇଯାଇଛି । ୨୦୧୪ କାଠମାଣ୍ଡୁ ଶିଖର ସମ୍ମିଳନୀ ପରେ ସାର୍କ ଦେଶର ନେତାମାନେ ପରସ୍ପରକୁ ଭେଟି ନାହାନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ କୋଭିଡ୍ ସମୟରେ ପ୍ରଥମ ଥର ପାଇଁ ସାର୍କ ଶିଖର ସମ୍ମିଳନୀ ଭିଡିଓ କନଫରେନ୍ସିଂରେ ଆୟୋଜନ କରିଥିଲେ । ସେ କୋଭିଡ୍-୧୯ ଜରୁରୀକାଳୀନ ପାଣ୍ଠି ଗଠନର ପ୍ରସ୍ତାବ ଦେଇ ଭାରତର ୧୯ ମିଲିୟନ ଡଲାର ଯୋଗଦାନର ଘୋଷଣା କରିଥିଲେ । ଏପରିକି ସେହି ବର୍ଷ ନଭେମ୍ବରରେ ୧୯ତମ ସାର୍କ ଶିଖର ସମ୍ମିଳନୀ ପାକିସ୍ତାନରେ ଆୟୋଜନ ହେବାର ଥିଲା । କିନ୍ତୁ ପାକିସ୍ତାନ ପ୍ରାୟୋଜିତ ଉରି ହମ୍ଲା ଯୋଗୁଁ ଭାରତ ଏହି ସମ୍ମିଳନୀ ବର୍ଜନ କରିଥିଲା । ଭାରତ ଛଡ଼ା ଆଫଗାନିସ୍ତାନ, ବାଂଲାଦେଶ ଓ ଭୁଟାନ ମଧ୍ୟ ଶିଖର ସମ୍ମିଳନୀରୁ ଓହରି ଯାଇଥିଲେ । ସେବେଠାରୁ ଆଉ ଏହି ସମ୍ମିଳନୀ ଆୟୋଜିତ ହୋଇନାହିଁ ।
ଏବେ ଏହାର ଫାଇଦା ଉଠାଇ ଭାରତକୁ କୋଣଠେସା କରିବାକୁ ଚାଇନା ଓ ପାକିସ୍ତାନ ଯୋଜନା କରିଛନ୍ତି । ଉଭୟ ପାକିସ୍ତାନ ଓ ଚାଇନା ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ ବର୍ତ୍ତମାନ ଆଞ୍ଚଳିକ ଯୋଗାଯୋଗ ଓ ସହଭାଗିତା ପାଇଁ ଗୋଟିଏ ନୂଆ ଗ୍ରୁପ ବା ସଂଗଠନର ଆବଶ୍ୟକତା ରହିଛି । ସାର୍କରେ ଥିବା ଶ୍ରୀଲଙ୍କା, ମାଳଦୀପ ଓ ଆଫଗାନିସ୍ତାନ ମଧ୍ୟ ନୂଆ ବ୍ଲକ୍ରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଢାକା ପକ୍ଷରୁ ଏହା ଖଣ୍ଡନ କରାଯାଇଛି ସତ । ମାତ୍ର ଭିତରେ ଭିତରେ ବେଜିଂ ଯେ ଚାଲ୍ ଚଳାଇଛି ତାହା ଜଳଜଳ ।
ଭାରତ ନଛୋଡ଼ବନ୍ଧା
କିଙ୍ଗ୍ଦାଓରେ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ) ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସମ୍ମିଳନୀରେ ଚୀନ୍ ଭାରତକୁ ଦେଇଛି ଝଟ୍କା । ଏସ୍ସିଓର ମିଳିତ ବିବୃତିରେ ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସାମିଲ କରାଗଲାନି । ପାକିସ୍ତାନର ବେଲୁଚିସ୍ତାନର ଆତଙ୍କବାଦୀ ହମ୍ଲା ଘଟଣା ବାବଦରେ କିନ୍ତୁ ଉଲ୍ଲେଖ ରହିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆପତ୍ତି ଉଠାଇବା ସହ ଏ ବିବୃତିରେ ସ୍ୱାକ୍ଷର କରିବାକୁ ରୋକଠୋକ୍ ମନା କଲେ । ଦମ୍ଭର ସହ ପାକିସ୍ତାନକୁ କାଠଗଡ଼ାରେ ଛିଡ଼ା କରାଇ ରାଜନାଥ ନାଁ ନନେଇ ପାକିସ୍ତାନର ମୁଖା ଖୋଲିଛନ୍ତି । କିଛି ଦେଶ ସୀମା ପାର୍ ଆତଙ୍କବାଦକୁ ନିଜ ନୀତି ମାନୁଛନ୍ତି । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି । ପୁଣି ଆତଙ୍କବାଦ ବିରୋଧରେ ବୟାନ ବି ଦେଉଛନ୍ତି । ଏଭଳି ଦୋମୁହାଁ ନୀତି କ’ଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜନାଥ ସିଧା କହିଲେ, ଯେଉଁ ଦେଶ ଆତଙ୍କବାଦର ପ୍ରସାର କରୁଛନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଜରୁରି । ଏସ୍ସିଓ ସମ୍ମିଳନୀ ବିବୃତିରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ କାଣ୍ଡ ସ୍ଥାନିତ ନହେବା ପଛର ମାଷ୍ଟରମାଇଣ୍ଡ ଯେ ଚୀନ୍ ଏହା କାହାକୁ ଅଛପା ନାହିଁ । ଦୀର୍ଘମିଆଦି ଭିତ୍ତିରେ ଚୀନ୍ ଯେ ଭାରତ ବିରୋଧରେ କିଛି ଷଡ଼ଯନ୍ତ୍ର କରୁଛି ତାହା ଜଳଜଳ । ଅତୀତରେ ଆଶଙ୍କା ଉପୁଜିଥିଲା ଯେ ବେଜିଂ ଗୁଇନ୍ଦାଗିରି କରି ‘ହାଇବ୍ରିଡ୍ ୱାରଫେୟାର’ ସାମରିକ କୌଶଳ ଆପଣାଇଛି । ଭବିଷ୍ୟତରେ ଏ ବ୍ୟକ୍ତିଗତ ତଥ୍ୟକୁ ଆଧାର କରି ଚୀନ୍ ଚାହିଁଲେ ଦେଶରେ ଅସ୍ଥିରତା ସୃଷ୍ଟି କରିପାରିବ । ଯେ କୌଣସି ସହରରେ ଦଙ୍ଗା ଓ ହିଂସା ସୃଷ୍ଟି ପାଇଁ ବେଶି କଷ୍ଟ କରିବାକୁ ପଡ଼ିବନି । ମାତ୍ର ଭାରତର ଡାଟା ସୁରକ୍ଷା ଆଇନ କଡ଼ାକଡ଼ି ହେବା ପରେ ଏହା ଫୁସକି ଯାଇଛି ।
ଭାରତ ଭୂ-ଖଣ୍ଡ ଉପରେ ଚୀନର ସବୁବେଳେ ଆଖି । ସୀମାରେ ଅସ୍ଥିରତାର ବାତାବରଣ ଛିଡ଼ା କରାଉଥିବା ବେଳେ ଏବେ ପାକିସ୍ତାନକୁ ଧରି ଭାରତ ବିରୋଧରେ ରଚୁଛି ବଡ଼ ଷଡ଼ଯନ୍ତ୍ର । ହଁ...ଏହା ସତ ଯେ ଏକବିଂଶ ଶତାଦ୍ଦୀ ଏସିଆର ହେବାକୁ ଯାଉଛି । ଚୀନ୍, ଜାପାନ ଓ ଭାରତ ଏବେ ବିଶ୍ୱର ନୂଆ ଶକ୍ତି । ଚୀନ୍ ସୁପର ପାୱାର୍ ଭାବେ ଉଭା ହୋଇଛି । ଭାରତ ମଧ୍ୟ ରାଇଜିଂ ସୁପର ପାୱାର୍ ଭାବେ ନିଜକୁ ପରିଚିତ କରାଇପାରିଛି । ଏସିଆ ମହାଦେଶରେ ନିଜ ପ୍ରଭାବ ଓ ସ୍ୱାର୍ଥ ପାଇଁ ଚୀନ ଭାରତ ସହ ଦ୍ୱିପାକ୍ଷିକ ସଂପର୍କରେ ତିକ୍ତତା ଆଣିବନି । ମାତ୍ର ଭାରତକୁ ଚାପଗ୍ରସ୍ତ କରି ରଖିବାକୁ ସବୁପ୍ରକାର ଗେମ୍ ପ୍ଲାନ୍ ଆପଣାଇବ । ନଛୋଡ଼ବନ୍ଧା ଭାରତ ମଧ୍ୟ ସବୁ ପରିସ୍ଥିତିକୁ ସମ୍ଭାଳିବାକୁ ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ।