ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ଶ୍ରମଶକ୍ତି : ଯେକୌଣସି ଉତ୍ପାଦନ ସଂସ୍ଥାର ହୃଦୟ ଓ ଆତ୍ମା

Published By : Prameya | May 1, 2025 9:26 AM

    ଶ୍ରମିକ ଦିବସ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ହେମାର୍କେଟ ପ୍ରସଙ୍ଗ, ଯାହା ୧୮୮୬ରେ ଚିକାଗୋରେ ଘଟିଥିଲା । ସେହିବର୍ଷ ମେ ପହିଲାରେ ଶ୍ରମିକମାନେ ହେମାର୍କେଟ ଛକରେ ଆଠ-ଘଣ୍ଟା କାର୍ଯ୍ୟଦିବସ ନିମନ୍ତେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାକୁ ଏକତ୍ରିତ ହୋଇଥିଲେ । ତେବେ ଏକ ବୋମା ବିସ୍ପୋରଣ ଘଟିବାରୁ ଉକ୍ତ ବିରୋଧ ହିଂସାତ୍ମକ ରୂପ ନେଇଥିଲା, ଯଦ୍ଦ୍ୱାରା ଉଭୟ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୃତାହତ ଘଟଣା ଘଟିଥିଲା । 

ସେବେଠାରୁ ଶ୍ରମିକ ଦିବସ ଏକ ବିଶ୍ୱସ୍ତରୀୟ ପାଳନରେ ପରିଣତ ହୋଇଛି, ଏବଂ ଶ୍ରମିକଙ୍କ ଅବଦାନକୁ ସମ୍ମାନ ଜଣାଇବାକୁ ଏବଂ ସେମାନଙ୍କ ଅଧିକାର ସପକ୍ଷରେ ଦାବି ରଖିବାକୁ ନିୟୁତ ନିୟୁତ ଲୋକ ଶୋଭାଯାତ୍ରା, ସମାବେଶ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏହା ଶ୍ରମିକ ଅଧିକାର ଏବଂ ସୁରକ୍ଷା ହାସଲ କ୍ଷେତ୍ରର ଅଗ୍ରଗତି ଏବଂ ତାହାସହିତ ଶ୍ରମିକମାନେ ବିଭିନ୍ନ ଶିଳ୍ପ ଏବଂ ଅଞ୍ଚଳରେ ସମ୍ମୁଖୀନ ହେଉଥିବା ସଂଗ୍ରାମମୂଳକ ପରିସ୍ଥିତି ସମ୍ପର୍କରେ ସ୍ମରଣ କରାଇଦେବା କାର୍ଯ୍ୟ କରୁଛି । 

ଶ୍ରମିକ ଦିବସର ବିଶେଷତ୍ୱ

ଶ୍ରମିକମାନେ କଠିନ ପରିଶ୍ରମ ଜରିଆର ରାଷ୍ଟ୍ର ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି । ଶ୍ରମିକ ଦିବସ କେବଳ ଶ୍ରମିକମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଜଣାଇବା ନୁହେଁ, ତାହାସହିତ ସେମାନଙ୍କୁ ସେମାନଙ୍କର ଅଧିକାର ସମ୍ପର୍କରେ ପ୍ରଶିକ୍ଷିତ କରାଇବା ଏବଂ ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ଲକ୍ଷ୍ୟ ରଖୁଛି । ଏହା ଶ୍ରମିକ ଆନ୍ଦୋଳନର ସଫଳତା ସମ୍ପର୍କରେ ଆଲୋକପାତ କରିବା ଏବଂ ସେମାନଙ୍କର ବୃତ୍ତି ଅଥବା ପୃଷ୍ଠଭୂମି ନିର୍ବିଶେଷରେ ସମସ୍ତ ଶ୍ରମିକଙ୍କର ଗରିମା ଏବଂ ଅଧିକାର ବଜାୟ ରଖିବାର ପ୍ରତିବଦ୍ଧତା ନବୀକରଣ କରିବାକୁ ସୁଯୋଗ ପ୍ରଦାନ କରୁଛି । ଏହା ମଧ୍ୟ ଶ୍ରମିକମାନଙ୍କୁ ଉନ୍ନତ କାର୍ଯ୍ୟ ପରିବେଶ ଯୋଗାଇଦେବା ଏବଂ ସେମାନଙ୍କୁ ପ୍ରଗତି କରିବାରେ ସହାୟତା କରିବାକୁ ପ୍ରେରଣାଦାୟୀ ପ୍ରୟାସକୁ ତ୍ୱରାନ୍ୱିତ କରୁଛି । 

ଅନେକ ରାଷ୍ଟ୍ରରେ ଶ୍ରମିକ ଦିବସ ଏକ ଜାତୀୟ ଛୁଟିଦିବସ ଭାବରେ ପାଳିତ ହେଉଛି । ଏହି ଦିନ ଶ୍ରମିକମାନଙ୍କର ସଫଳତା ଏବଂ ଅବଦାନ ସମ୍ପର୍କରେ ଆଲୋକପାତ କରିବାକୁ ଅନେକ କାର୍ଯ୍ୟକ୍ରମ ଏବଂ ଆଲୋଚନାଚକ୍ର ଆୟୋଜନ କରାଯାଉଛି ।

ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୫ ସମୁଚିତ କାର୍ଯ୍ୟାଭ୍ୟାସ, ଭାରତରେ ଶ୍ରମିକଙ୍କ ଅଧିକାର ଏବଂ ବୈଶ୍ୱିକ ଏକଜୁଟତା ଉପରେ ଗୁରୁତ୍ୱ ଦେଉଛି । 

କାର୍ଯ୍ୟକ୍ଷେତ୍ରରେ ସଂପୃକ୍ତ ଲୋକଶକ୍ତି ଅଥବା ଜନସାଧାରଣ ବିଶେଷକରି ଯେତେବେଳେ ପରିଚାଳନା ଅଥବା ପୁଞ୍ଜି କ୍ଷେତ୍ରରେ ପରିପନ୍ଥୀ ହୋଇଯାଆନ୍ତି, ଅର୍ଥନୀତିରେ ଏହା ଅର୍ଥ ଶ୍ରମ ହେଉଛି ଏକ ପ୍ରୟାସ ଯେଉଁଥିରେ ଲୋମାନେ ସାମଗ୍ରୀ ଅଥବା ସେବା ଉତ୍ପାଦନରେ ଅବଦାନ ରଖନ୍ତି, ‘ଶ୍ରମ’ କହିଲେ କୌଣସି କାର୍ଯ୍ୟ କରିବାକୁ ବୁଝାଏ ଅଥବା କୋ÷ଣସି ପ୍ରୟାସ କରାଯିବାକୁ ବୁଝାଏ, ଯେତେବେଳେ ‘ଶ୍ରମିକ’ କହିଲେ ସେହି ବ୍ୟକ୍ତିଙ୍କୁ ବୁଝାଏ ଯିଏ କାର୍ଯ୍ୟ ସମ୍ପାଦନ କରନ୍ତି ।

ଶ୍ରମିକ ଆଇନ କେତେକ ଆଇନର ସମାହାର ଯାହା ଶ୍ରମିକ ଏବଂ ସେମାନଙ୍କ ନିଯୁକ୍ତିଦାତାଙ୍କ ଅଧିକାର ଏବଂ ଦାୟିତ୍ୱକୁ ନିୟନ୍ତ୍ରିତ କରିଥାଏ ଏବଂ ଶ୍ରମିକ ୟୁନିୟନ ହେଉଛି ସଂଗଠନସମୂହ ଯାହା ଶ୍ରମିକଙ୍କ ସ୍ୱାର୍ଥକୁ ପ୍ରତିନିଧିତ୍ୱ କରେ ।

ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ହେଉଛି ଭାରତ ସରକାରଙ୍କର ଅନ୍ୟତମ ସର୍ବପୁରାତନ ଏବଂ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ । ଏହି ମନ୍ତ୍ରଣାଳୟର ମୁଖ୍ୟ ଦାୟିତ୍ୱ ହେଉଛି ମୋଟାମୋଟି ଭାବରେ ଶ୍ରମିକ ଏବଂ ସମାଜର ଦରିଦ୍ର, ବଞ୍ଚିତ ଏବଂ ଅବହେଳିତ ବର୍ଗ ଭାବରେ ପରିଗଣିତ ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ଏବଂ ନିରାପଦ ରଖିବା ଏବଂ ତାହାସହିତ ଉଚ୍ଚତର ଉତ୍ପାଦନ ଏବଂ ଉତ୍ପାଦିକତା ନିମନ୍ତେ ଏକ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ତଥା ବୃତ୍ତିଗତ କୁଶଳୀ ତାଲିମ ଓ ନିୟୋଜନ ସେବାର ବିକାଶ ଏବଂ ସମନ୍ୱୟ ପ୍ରତି ଯଥାରୀତି ଗୁରୁତ୍ୱ ଦିଆଯିବା । ସରକାରଙ୍କ ଦୃଷ୍ଟି ମଧ୍ୟ ଉଦାରୀକରଣ ପ୍ରକ୍ରିୟା ସହିତ ତାଳଦେଇ ଉଭୟ ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରଗୁଡିକରେ ଶ୍ରମ ଶକ୍ତି ପାଇଁ କଲ୍ୟାଣ ଦିଗକୁ ପ୍ରୋତ୍ସାହନ ଏବଂ ସାମାଜିକ ନିରାପତ୍ତା ଯୋଗାଇଦେବା ଉପରେ କେନ୍ଦ୍ରୀଭୂତ ରହିଛି । ଏହି ଲକ୍ଷ୍ୟଗୁଡିକ ବିଭିନ୍ନ ଶ୍ରମ ଆଇନର ପ୍ରଣୟନ ଏବଂ ତାହାର ରୂପାୟନ ଜରିଆରେ ହାସଲ କରିବାକୁ ପ୍ରୟାସ କରାଯାଉଛି, ଯାହା ଶ୍ରମଶକ୍ତିର ସେବା ଓ ନିଯୁକ୍ତି ସର୍ତ୍ତାବଳୀକୁ ନିୟନ୍ତ୍ରଣ କରୁଛି । ଭାରତୀୟ ସମ୍ବିଧାନରେ ଶ୍ରମ ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ତାଲିକାରେ ଆସୁଥିବାରୁ ରାଜ୍ୟ ସରକାରମାନେ ମଧ୍ୟ ଆଇନ ପ୍ରଣୟନ କରିବାକୁ ସକ୍ଷମ ଅଟନ୍ତି । 

ସମ୍ପ୍ରତି ସର୍ବନିମ୍ନ ମଜୁରୀ, ଦୁର୍ଘଟଣାଜନିତ ଏବଂ ସାମାଜିକ ନିରାପତ୍ତା ଫାଇଦାସମୂହ, ବୃତ୍ତିଗତ ନିରାପତ୍ତା ଓ ସ୍ୱାସ୍ଥ୍ୟ, ନିଯୁକ୍ତି ସର୍ତ୍ତାବଳୀ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଶ୍ରମିକ ୟୁନିୟନ ଗଠନ, ଶିଳ୍ପଗତ ସମ୍ପର୍କ ଆଦି ବିଷୟରେ ଭାରତ ସରକାରଙ୍କ ଦ୍ୱାରା ୪୪ଟି ଶ୍ରମ କାନୁନ ପ୍ରଣୟନ ହେଉଛି । କେନ୍ଦ୍ରୀୟ ଆଇନଗୁଡିକର ତାଲିକା ଏଥିସହିତ ସଂଲଗ୍ନ କରାଯାଇଛି ।

ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ ଦ୍ୱାରା ୨୦୦୯-୧୦ ବର୍ଷରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଦେଶରେ ଉଭୟ ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରରେ ମୋଟ ନିଯୁକ୍ତି ୪୬.୫ କୋଟି ରହିଥିଲା, ଯେଉଁଥିରେ ସଂଗଠିତ କ୍ଷେତ୍ରରେ ପ୍ରାୟ ୨.୮ କୋଟି ଏବଂ ଅବଶିଷ୍ଟ ୪୩.୭ କୋଟି ଅସଂଗଠିତ କ୍ଷେତ୍ରରେ ନିଯୁକ୍ତ ହୋଇଥିଲେ । ଅସଂଗଠିତ କ୍ଷେତ୍ରରେ ଥିବା ୪୩.୭ କୋଟି ଶ୍ରମିକ କର୍ମଚାରୀଙ୍କ ମଧ୍ୟରୁ ୨୪.୬ କୋଟି ଶ୍ରମିକ କୃଷିକ୍ଷେତ୍ରରେ ନିୟୋଜିତ ହୋଇଥିଲେ । ବୁଣାକାର, ହସ୍ତତନ୍ତ୍ର ଶ୍ରମିକ, ମତ୍ସ୍ୟଜୀବୀ ଏବଂ ମତ୍ସ୍ୟଜୀବୀ ମହିଳା, ତାଡି ସଂଗ୍ରହକାରୀ, ଚମଡା କାରିଗର, ବୃକ୍ଷ ଚାରା ରୋପଣକାରୀ ଶ୍ରମିକ, ବିଡି ଶ୍ରମିକ ଆଦି ସାମିଲ ଥିବା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତମ ଶ୍ରମିକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ‘ଅସଂଗଠିତ ଶ୍ରମିକ’ ସାମାଜିକ ନିରାପତ୍ତା ଆଇନ, ୨୦୦୮ ପ୍ରଣୟନ କରାଯାଇଛି । ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଜୀବନ ଓ ଭିନ୍ନକ୍ଷମତା କଭର, ସ୍ୱାସ୍ଥ୍ୟ ଓ ମାତୃତ୍ୱକାଳୀନ ଫାଇଦା, ବାର୍ଦ୍ଧକ୍ୟ ଅବସ୍ଥାରେ ସୁରକ୍ଷା ଭଳି ସାମାଜିକ ନିରାପତ୍ତା ଯୋଜନାଗୁଡିକ ପ୍ରସ୍ତୁତି ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ନିମନ୍ତେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହେବାକୁ ଥିବା ଅନ୍ୟ କୌଣସି ଫାଇଦା ସମ୍ପର୍କରେ ସୁପାରିଶ କରିବାକୁ ଏକ ଜାତୀୟ ସାମାଜିକ ନିରାପତ୍ତା ବୋର୍ଡ ଗଠନ କରାଯାଇଛି ।

ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ସାର୍ବଜନୀନ ଏବଂ ସ୍ଥାୟୀ ଶାନ୍ତି ନିମନ୍ତେ ସାମାଜିକ ନ୍ୟାୟ ଅତ୍ୟାବଶ୍ୟକ ବୋଲି ତାହାର ମୂଳ ଲକ୍ଷ୍ୟକୁ ଆଗେଇନେଇ ସାମାଜିକ ନ୍ୟାୟ ଏବଂ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତ ମାନବ ଓ ଶ୍ରମ ଅଧିକାରକୁ ପ୍ରୋତ୍ସାହିତ କରିବାକୁ ଉତ୍ସର୍ଗୀକୃତ ରହିଛି ।

୧୯୧୯ ଠାରୁ ଏକମାତ୍ର ତ୍ରିପାକ୍ଷିକ ଜାତିସଂଘ ସଂସ୍ଥା ଭାବରେ ଆଇଏଲଓ ଶ୍ରମର ମାନ ନିର୍ଦ୍ଧାରଣ, ନୀତିସମୂହ ପ୍ରସ୍ତୁତି ଏବଂ ସମସ୍ତ ମହିଳା ଓ ପୁରୁଷଙ୍କ ପାଇଁ ଏକ ଶୋଭନୀୟ କାର୍ଯ୍ୟବ୍ୟବସ୍ଥା ପ୍ରୋତ୍ସାହିତ କରୁଥିବା କାର୍ଯ୍ୟକ୍ରମ ପ୍ରସ୍ତୁତି କ୍ଷେତ୍ରରେ ସରକାର, ନିଯୁକ୍ତିଦାତା ଏବଂ ୧୮୭ ସଦସ୍ୟ ରାଷ୍ଟ୍ରଗୁଡିକର ଶ୍ରମିକଙ୍କୁ ଏକତ୍ର କରୁଛି । 

ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ଚାରିଟି ମୂଳ ରଣକୌଶଳାତ୍ମ ଲକ୍ଷ୍ୟକୁ ନେଇ କାର୍ଯ୍ୟ କରୁଛି, ଯଥା: କାର୍ଯ୍ୟସ୍ଥଳରେ ମାନଗତ ଦିଗ ଏବଂ ମୌଳିକ ନୀତିସମୂହ ଏବଂ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ତାହା ହାସଲ କରିବା, ଶୋଭନୀୟ ନିଯୁକ୍ତି ଏବଂ ଆୟ ନିମନ୍ତେ ସୁଯୋଗ ସୃଷ୍ଟି, ସାମାଜିକ ସୁରକ୍ଷାରେ ବୃଦ୍ଧି ଘଟାଇବା ଏବଂ ତ୍ରିପାକ୍ଷିକ ଏବଂ ସାମାଜିକ ଆଲୋଚନା ପ୍ରକ୍ରିୟାକୁ ସୁଦୃଢ କରିବା

ଏଥିରେ ଆନ୍ତର୍ଜାତିକ ଶ୍ରମ ମାନର ବିକାଶ ଏବଂ ତାହାର ପ୍ରବର୍ତ୍ତନ, ସଂଘବଦ୍ଧ ହେବା ଏବଂ ସାମୂହିକ ଭାବରେ ମୂଲଚାଲ କରିବାର ସ୍ୱାଧୀନତା ଭଳି ମୌଳିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଶିଶୁ ଶ୍ରମିକ ଓ ବଳପୂର୍ବକ ଶ୍ରମ କ୍ଷେତ୍ରରେ ନିୟୋଜନ ବିଷୟ ପ୍ରତି ଦୃଷ୍ଟିଦେବା ଆଦି ସାମିଲ ରହିଛି । 

ଆଇଏଲଓ ଶୋଭନୀୟ କାର୍ଯ୍ୟ ସଂସ୍କୃତି  ସୃଷ୍ଟି ଉପରେ ଦୃଷ୍ଟିନିବଦ୍ଧ କରୁଛି, ଯେଉଁଥିରେ ଏଭଳି ନିଯୁକ୍ତି ସାମିଲ ରହିଛି ଯାହା ଉତ୍ପାଦକ, ସମୁଚିତ ପାରିଶ୍ରମିକ ଏବଂ ସାମାଜିକ ସୁରକ୍ଷା ତଥା ସଂଘବଦ୍ଧ ହେବାର ସ୍ୱାଧୀନତା ପ୍ରଦାନ କରୁଥିବ । ଏହା ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ପରିବର୍ଦ୍ଧିତ ଏବଂ ସୁଦୃଢ କରୁଛି, ଯଦ୍ଦ୍ୱାରା ବ୍ୟକ୍ତିବିଶେଷ ସାମାଜିକ ନିରାପତ୍ତା, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟ ଅତ୍ୟାବଶ୍ୟକ ସେବାଗୁଡିକର ଯେଭଳି ସୁଯୋଗ ନେଇପାରିବେ ତାହା ସୁନିଶ୍ଚିତ କରୁଛି ।

ଆଇଏଲ୍‍ଓ ଶ୍ରମ ସମ୍ପର୍କିତ ପ୍ରସଙ୍ଗଗୁଡିକ ପ୍ରତି ଦୃଷ୍ଟିଦେବା ଏବଂ ଶୋଭନୀୟ ଶ୍ରମ ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ସରକାର, ନିଯୁକ୍ତିଦାତା ଏବଂ ଶ୍ରମିକଙ୍କ ମଧ୍ୟରେ ସହଭାଗୀତାକୁ ପ୍ରୋତ୍ସାହିତ କରୁଛି । ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ଅନୁଯାୟୀ ନିମ୍ନ ମାନର କାର୍ଯ୍ୟ ପରିବେଶ ମୁଖ୍ୟ ବୈଶ୍ୱିକ ନିଯୁକ୍ତିଗତ ଚାଲେଞ୍ଜ ହୋଇଛି ।” ବିଶ୍ୱବ୍ୟାପୀ ପ୍ରାୟ ୬୧ ପ୍ରତିଶତ ଶ୍ରମିକ, ପ୍ରାୟ ୨୦୦ କୋଟି ଲୋକ ସମ୍ପ୍ରତି ଏକ ଅନୌପଚାରିକ ଚାକିରୀରେ ଅଛନ୍ତି ଯେଉଁଥିରେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ନିଯୁକ୍ତି ନିୟମାବଳୀ ଅନୁପାଳନ କରାଯାଉନାହିଁ । ଶ୍ରମିକ ବଜାରଗୁଡିକ ହଲଚଲ କଲାଭଳି ଅତି ବୃହତ ଧାରାରେ ପ୍ରଭାବିତ ହେଉଛି ଯାହା ମାତ୍ର ଏକ ଦଶନ୍ଧି ପୂର୍ବରୁ ଆମ ଦୃଶ୍ୟପଟ୍ଟରେ ନଥିଲା, ଯେଉଁଥିରେ ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିତ ଡିଜିଟାଲାଇଜେସନ ଏବଂ କୃତ୍ରିମ ବୁଦ୍ଧିମତାର ଦ୍ରୁତ ବୃଦ୍ଧି ଭଳି ଚାଲେଞ୍ଜଗୁଡିକ ରହିଛି । ବେତନ, ବୋନଓ, ନିୟମିତ କାର୍ଯ୍ୟ ସମୟ ଏବଂ ଚାକିରୀ ନିରାପତ୍ତା ଆଦି ସର୍ବାଧିକ ଏବଂ ବାରମ୍ବାର ସମ୍ମୁଖୀନ ହେଉଥିବା ଶ୍ରମ ଚାଲେଞ୍ଜଗୁଡିକ ମଧ୍ୟରେ ରହିଛି । ଚାକିରୀରେ ସନ୍ତୁଷ୍ଟି ଏବଂ ପ୍ରଦର୍ଶନ ଏଗୁଡିକ ମଧ୍ୟରୁ ଯେକୌଣସି କାରଣ ଦ୍ୱାରା ପ୍ରଭାବିତ ହୋଇପାରିବ । 

୨୦୨୫ରେ ଚାଲେଞ୍ଜସମୂହ

୨୦୨୫ରେ ବୈଶ୍ୱିକ ଶ୍ରମଶକ୍ତି ଏକ ପ୍ରତିଯୋଗିତାମୂଳକ ବଜାରରେ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଏବଂ ବଜାୟ ରଖିବା, କୁଶଳତାର ତାଲିମ ଏବଂ ପୁନଃକୁଶଳୀ କରିବା ପ୍ରୟାସସମୂହ, ହାଇବ୍ରିଡ ଏବଂ ରିମୋର୍ଟ କାର୍ଯ୍ୟ ଶୈଳୀକୁ ଆପଣେଇବା ଏବଂ କାର୍ଯ୍ୟସ୍ଥଳରେ ଏଆଇକୁ ସମନ୍ୱିତ କରିବା ଆଦି ଚାଲେଞ୍ଜର ସମ୍ମୁଖୀନ ହେବ । ଏଥିସହିତ ଅର୍ଥନୈତିକ ଅନିଶ୍ଚିତତା, କର୍ମଚାରୀ ନିୟୋଜନ ଏବଂ ପରିବର୍ତ୍ତନଶୀଳ ଶ୍ରମ ଆଇନ ଅନୁପାଳନ ଭଳି ପ୍ରସଙ୍ଗଗୁଡିକ ବ୍ୟବସାୟ ସଂସ୍ଥାଗୁଡିକ ନିମନ୍ତେ ପ୍ରତିବନ୍ଧକ ସୃଷ୍ଟି କରିବ । 

କୁଶଳୀ ଶ୍ରମିକ ନିମନ୍ତେ ଚାହିଦା ଯୋଗାଣ ତୁଳନାରେ ଅଧିକ ରହିବ, ଯାହା ଶୀର୍ଷ ପ୍ରତିଭାମାନଙ୍କୁ ଆକୃଷ୍ଟ କରିବା ଏବଂ ବଜାୟ ରଖିବା କଷ୍ଟକର କରି ଗଢିତୋଳିବ । 

ଦ୍ରୁତ ପ୍ରଯୁକ୍ତିଗତ ଉନ୍ନତି ନୂଆ କୌଶଳର ଆବଶ୍ୟକତା ସୃଷ୍ଟି କରିବ, ଯେଉଁଥିପାଇଁ ବ୍ୟବସାୟ ସଂସ୍ଥାଗୁଡିକ କୌଶଳ ସ୍ତରରେ ବୃଦ୍ଧି ଘଟାଇବା ଏବଂ ପୁନଃ କୌଶଳତାର ତାଲିମ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଆବଶ୍ୟକ ପଡିବ ।

ଏକ ସକାରାତ୍ମକ ଏବଂ ନିୟୋଜନକାରୀ କାର୍ଯ୍ୟ ପରିବେଶ ସୃଷ୍ଟି କର୍ମଚାରୀଙ୍କୁ ଆକୃଷ୍ଟ କରିବା ଏବଂ ସେମାନଙ୍କୁ ବଜାୟ ରଖିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେବ ।

ହାଇବ୍ରିଡ ଏବଂ ରିମୋର୍ଟ କାର୍ଯ୍ୟ ପରିବେଶ ପରିଚାଳନା ପାଇଁ ଯୋଗାଯୋଗ, ସହଯୋଗୀତା ଏବଂ ଉତ୍ପାଦିକତା ବଜାୟ ରଖିବାକୁ ନୂତନ ରଣକୌଶଳ ଆବଶ୍ୟକ ପଡିବ। 

କାର୍ଯ୍ୟସ୍ଥଳ ସହିତ ଏଆଇକୁ ସମନ୍ୱିତ କରିବାକୁ ଯତ୍ନର ସହିତ ଯୋଜନା ପ୍ରସ୍ତୁତି ଏବଂ ତାଲିମ ପ୍ରଦାନ ଆବଶ୍ୟକ ହେବ, ଯଦ୍ଦ୍ୱାରା ଏହାର ସଫଳତା ଏବଂ ନୈତିକତାର ସହିତ ବ୍ୟବହାରକୁ ସୁନିଶ୍ଚିତ କରାଯାଇପାରିବ । 

ପରିବର୍ତ୍ତନଶୀଳ ପ୍ରଯୁକ୍ତିସମୂହ, କାର୍ଯ୍ୟ ଢାଞ୍ଚା ଏବଂ କର୍ମଚାରୀଙ୍କ ଆଶା ଆକାଂକ୍ଷା ଆଦି ଆପଣେଇବାକୁ ମଜଭୁତ ପରିବର୍ତ୍ତନ ପରିଚାଳନା କୌଶଳ ଆବଶ୍ୟକ ହେବ । 

ଅନ୍ୟାନ୍ୟ ଚାଲେଞ୍ଜ : 

ଅର୍ଥନୈତିକ ପରିବର୍ତ୍ତନ ଏବଂ ଅସ୍ଥର ଅବସ୍ଥା କର୍ମଚାରୀଙ୍କୁ ନିଯୁକ୍ତ କରିବା, ସେମାନଙ୍କୁ ବଜାୟ ରଖିବା ଏବଂ କର୍ମଚାରୀଙ୍କ ନୈତିକତା ଆଦିକୁ ପ୍ରଭାବିତ କରିପାରେ । ନିରନ୍ତର ପରିବର୍ତ୍ତନ ଏବଂ ଅନିଶ୍ଚିତତା କ୍ଷେତ୍ରରେ କର୍ମଚାରୀଙ୍କ ନିୟୋଜନତା ବଜାୟ ରଖିବା ଏକ ଉଲ୍ଲେଖନୀୟ ଚାଲେଞ୍ଜ ହେବ । ପରିବର୍ତ୍ତନଶୀଳ ଶ୍ରମ ଆଇନକୁ ନେଇ ଆଗକୁ ବଢିବା ଏବଂ ତାହାର ଅନୁପାଳନ ଆବଶ୍ୟକତା ଜଟିଳ ଏବଂ ସମୟସାପେକ୍ଷ ହେବ । ଏକ ବିବିଧ ଏବଂ ସମାବେଶୀ କାର୍ଯ୍ୟସ୍ଥଳକୁ ପ୍ରୋତ୍ସାହିତ କରିବା ପ୍ରତିଭାମାନଙ୍କୁ ଆକୃଷ୍ଟ କରିବା ଏବଂ ବଜାୟ ରଖିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହେବ । କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ସମର୍ଥନ କରିବା ମଧ୍ୟ ଅଧିକରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ । 

ସମସ୍ତ ଶ୍ରମ ଶକ୍ତିଙ୍କୁ ସେମାନଙ୍କର କଲ୍ୟାଣ ନିମନ୍ତେ ଏହି ମହାନ ଦିବସରେ ଶୁଭକାମନା ଜଣାଉଛି ।

ସୁଧି ରଞ୍ଜନ ମିଶ୍ର

କର୍ପୋରେଟ୍‌ ବ୍ୟାପାର ମୁଖ୍ୟ

ପାରାଦୀପ ଫସ୍‌ଫେଟସ୍‍ ଲିମିଟେଡ୍‌


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.