ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବହୁ ଜଲଦି ଭାରତ ଗସ୍ତରେ ଆସୁଛନ୍ତି। ଏନେଇ ଋଷ ଗୁରୁବାର ଆଧିକାରିକ ସ୍ତରରେ ସମ୍ମତି ପ୍ରଦାନ କରିଛି। ଗତବର୍ଷ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ୍କୋ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ପିଏମ୍ ମୋଦି ପୁଟିନଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ତେବେ ୨୦୨୨ ମସିହା ପରଠୁ ଋଷ ଓ ୟୁକ୍ରେନ ଯୁଦ୍ଧ ଲାଗିବା ପରେ ଏହା ପୁଟିନଙ୍କ ପ୍ରଥମ ବିଦେଶ ଗସ୍ତ ହେବାକୁ ଯାଉଛି।
ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ପୁଟିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ସୂଚନା ଦେଇଛନ୍ତି। ତେବେ ପୁଟିନ କେବେ ଭାରତ ଗସ୍ତ କରିବେ ସେନେଇ ସେ କୌଣସି ସୂଚନା ପ୍ରଦାନ କରିନାହାନ୍ତି। ଲାଭରୋଭ ସ୍ଥାନିୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ “ପ୍ରେସିଡେଣ୍ଟ ଭ୍ଲାଦିମିର ପୁଟିନ ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ପିଏମ ମୋଦି ତାଙ୍କ ତୃତୀୟ ପାଳିରେ ପ୍ରଥମ ବିଦେଶ ଗସ୍ତ ଋଷକୁ କରିଥିଲେ। ବର୍ତ୍ତମାନ ଆମର ପାଳି।”
ଭାରତ ଯୁକ୍ରେନ ଯୁଦ୍ଧରେ ନିରପେକ୍ଷତା ଅବଲମ୍ବନ କରିଛି। ପିଏମ ମୋଦି ମଧ୍ୟ ପୁଟିନକୁ ଭେଟିବା ସମୟରେ ଏହି ସମୟ ଯୁଦ୍ଧର ନୁହେଁ ବୋଲି କହିଥିଲେ। ୟୁଏନରେ ଋଷ ବିପକ୍ଷରେ ହୋଇଥିବା ଭୋଟ୍ ରୁ ମଧ୍ୟ ଭାରତ ଓହରି ଯାଇଥିଲା। ୨୦୨୪ରେ ପିଏମ ମୋଦି ଉଭୟ ମସ୍କୋ ଓ କିଭ୍ ଗସ୍ତ କରିଥିଲେ। ସେ କିଭ୍ ଗସ୍ତ କରି ଯୁକ୍ରେନିୟ ରାଷ୍ଟ୍ରପତି ଜେଲେନ୍ସିଙ୍କୁ ମଧ୍ୟ ଭେଟିଥିଲେ। ଏହା ସହ ସେ ବ୍ରିକ୍ସ ସମ୍ମିଳନି ପାଇଁ ଗତ ଅକ୍ଟୋବର ମାସରେ ଋଷିଆର କଜାନ ପ୍ରଦେଶକୁ ଗସ୍ତ କରିଥିଲେ।
ଭାରତ ଓ ଋଷର ସମ୍ପର୍କ ଦଶନ୍ଧି ପୁରୁଣା। ପ୍ରତିବର୍ଷ ଭାରତ ଋଷ ନିକଟରୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିଥାଏ। ସେହିଭଳି ଯୁକ୍ରେନ ଯୁଦ୍ଧ ପରେ ପାଶ୍ଚାତ୍ୟ ଦେଶ ଗୁଡିକ ଋଷ ଉପରେ ତୈଳ ବିପଣନ ଉପରେ ରହିତାଦେଶ ଲଗାଇଥିଲେ। ଏହାର ବିକଳ୍ପରେ ଋଷ ଭାରତକୁ ନିର୍ଦ୍ଧାରିତ ମୁଲ୍ୟରେ ତେଲ ଯୋଗାଇ ଆସୁଛି। ଗତବର୍ଷ ପିଏମ ମୋଦିଙ୍କ ଋଷ ଗସ୍ତ ସମୟରେ ଉଭୟ ଦେଶ ପରସ୍ପର ସହ ୧୦୦ ବିଲିୟନ ଆମେରିକୀୟ ଡଲାର ମୁଲ୍ୟର ବାଣିଜ୍ୟ କରିବା ପାଇଁ ଚୁକ୍ତି କରିଥିଲେ।