ନୂଆଦିଲ୍ଲୀ, ୨୮/୦୫ : କଡ଼ ଲେଉଟାଉଛି ପାଗ। ନୌତପା ତାତିରୁ ମିଳିବ ଆଶ୍ଵସ୍ତି। ଥଣ୍ଡା କରିଦେବ ଝଡ଼ବର୍ଷା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପଶ୍ଚିମା ଝଡ଼ ସକ୍ରିୟ ହେବା ଯୋଗୁଁ ଆଜିଠାରୁ ଉତ୍ତର ଭାରତରେ ଝଡ଼ ବର୍ଷା ସହ ପ୍ରବଳ ପବନ ହେବ। ତାପମାତ୍ରା ହ୍ରାସ ପାଇବ।
ନୌତପା କ'ଣ ?
ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ମେ ମାସ ଅନ୍ତ ଏବଂ ଜୁନ୍ ପହିଲା ମଝିରେ ନଅ ଦିନ ସବୁଠୁ ଅଧିକ ଗରିମ ହୁଏ। ଏହି ନଅ ଦିନକୁ ନୈତପା କୁହାଯାଏ। ଏହି ସମୟରେ ସୂର୍ଯ୍ୟ କର୍କଟ କ୍ରାନ୍ତି ଆଡକୁ ଢଳନ୍ତି। ଏହାଦ୍ଵାରା ପୃଥିବୀରେ ତାପମାତ୍ରା ତୀବ୍ର ଗତିରେ ବୃଦ୍ଧିପାଏ। ତାତି ୪୫ ରୁ ୪୮ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯାଏ। ଏଥର ନୌତପା ଯୋଗୁଁ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଭୀଷଣ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି। ରାତି ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି। ଦିନରେ ଗରମ ଗୁଳୁଗୁଳି ସାନ୍ଧି ଦେଉଛି।
ଆହୁରି ପଢନ୍ତୁ- ୨ ରୁ ୩ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ, ଏମଜେଓର ଶକ୍ତିଶାଳୀ ପ୍ରଭାବ ଯୋଗୁଁ ମନ୍ଥର ହେଉଛି ପ୍ରକ୍ରିୟା
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆଜିଠାରୁ ପାଗ କଡ଼ ଲେଉଟାଇବ। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସର ସକ୍ରିୟତା ଯୋଗୁଁ, ମେ ୨୮ ତାରିଖରୁ ଉତ୍ତର ଭାରତରେ ବର୍ଷା, ବଜ୍ରପାତ ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି। ମେ ୨୯ ରୁ ୩୧ ତାରିଖ ମଧ୍ୟରେ ଅନେକ ରାଜ୍ୟରେ ତାପମାତ୍ରା ୬ ରୁ ୮ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ ବୋଲି ଆକଳନ କରାଯାଉଛି। ଦିଲ୍ଲୀ-ଏନସିଆର, ପଞ୍ଜାବ, ହରିୟାଣା, ରାଜସ୍ଥାନ, ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ଘଡ଼ଘଡ଼ି ଏବଂ କୁଆପଥର ବର୍ଷା ମଧ୍ୟ ହୋଇପାରେ।
ଅଗ୍ରସର ହେଉଛି ମୌସୁମୀ
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଧୀରେ ଧୀରେ ଅଗ୍ରସର ହେଉଛି। କେରଳ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଭଲ ବର୍ଷା ହେଉଛି। ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ଉତ୍ତର ଭାରତରେ ପହଞ୍ଚି ଗରମକୁ ଆଶ୍ଵସ୍ତି ଦେବ ବୋଲି ଆଶା କରାଯାଉଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଚଳିତ ବର୍ଷ ନୌତାପା ଭୀଷଣ ଥିଲା। କାରଣ ମାର୍ଚ୍ଚ ଏବଂ ଏପ୍ରିଲ ମାସ ସାରା ତାପମାତ୍ରା ଅଧିକ ରହିଥିଲା। ତଥାପି, ପଶ୍ଚିମା ବାୟୁ ସମୟ ଅନୁସାରେ ସକ୍ରିୟ ହେଉଛି। ତଥାପି ବର୍ଷା ପରେ କିଛି ଦିନ ପାଇଁ ଆର୍ଦ୍ରତା ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି।