ଭୁବନେଶ୍ୱର,୧୧/୦୬: ରାଜଧାନୀ ଭୁବନେଶ୍ୱରରେ ଏବେ ମଟନ୍ ଅଭାବ ଦେଖାଦେଇଛି । ଯେତିକି ଆସିବା କଥା, ସେତିକି ଆସୁନି । ଅର୍ଡର କଲେ ଉତ୍ତର ଆସୁଛି, ଷ୍ଟକ୍ ନାହିଁ, ଯାହା ଅଛି ନେଇଯାଆନ୍ତୁ । ଗଲା ମେ’ ମାସ ଅଧାରୁ ଏଭଳି ସ୍ଥିତି ଉପୁଜିଛି । ଆଗକୁ ରଜ । ଏଭଳି ସ୍ଥିତିରେ ବେପାରୀଙ୍କ ମୁଣ୍ଡ ଗୋଲ୍ । ରଜ ପୂର୍ବ ତଥା ପରେ ଘରେ ଘରେ ଆମିଷ ଜମିବ । ହେଲେ ବଜାରରେ ଚାହିଦା ଦୃଷ୍ଟିରୁ ଖାସି କି ମଟନ୍ ନଥିଲେ, ବେପାରୀଙ୍କ ହିଁ ଘାଟା ହେବ । ଏଥିପାଇଁ ବିଭିନ୍ନ ଗାଁରେ ବେପାରୀଙ୍କୁ ଅର୍ଡର ସହ ବଇନା ଦିଆଗଲାଣି । ହେଲେ କେତେ ଆସିବ କିଛି ଠିକ୍ ଠିକଣା ନାହିଁ । ମଟନ୍ ସଙ୍କଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କେତେକ ବେପାରୀ ପଡ଼ୋଶୀ ପଶ୍ଚିମବଙ୍ଗ ସମେତ ସୀମାନ୍ତ ଜିଲ୍ଲାରୁ ଖାସି ଆସୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ମତ ରଖିଛନ୍ତି । ଗତ ପେଟ୍ରୋଲ, ଡିଜେଲ ସଙ୍କଟ ସମୟରେ ମଟନ୍ କେଜି ପ୍ରତି ୧୦୦ ଟଙ୍କା ବଢ଼ିଥିଲା । ଫଳରେ ମଟନ୍ କେଜି ପ୍ରତି ୮୦୦ଟଙ୍କାରୁ ବଢ଼ି ୯୦୦ ଟଙ୍କାରେ ପହଞ୍ଚିଥିଲା । ଏବେ ଯଦି ମଟନ ସଙ୍କଟ ସେମିତି ରୁହେ, ତା ହେଲେ ଦର ଆହୁରି ବଢ଼ିବ ବୋଲି ବେପାରୀ ମତ ଦେଇଛନ୍ତି ।

ମାସେ ତଳେ ପ୍ରତି ସପ୍ତାହରେ ଆମିଷ ବାର ପୂର୍ବରୁ ରାଜଧାନୀକୁ ୧୨ରୁ ୧୪ଟି ଖାସି ବୋଝେଇ ଗାଡ଼ି ଆସିଥାଏ । ପ୍ରତି ଗାଡ଼ିରେ ପ୍ରାୟ ୧୫ କୁଇଣ୍ଟାଲ ମଟନ ମିଳେ । ବେପାର ବି ଜମିକି ହୁଏ । ନୂଆବର୍ଷ, ହୋଲି ଭଳି ପର୍ବମାନଙ୍କରେ ଅଧିକ ମଟନ ବେପାର ହୋଇଥାଏ । ପଶ୍ଚିମବଙ୍ଗରୁ ୭୦ ପ୍ରତିଶତ ଖାସି ଆସୁଥିବା ବେଳେ ଓଡ଼ିଶାର ବାରିପଦା, ଦଶପଲ୍ଲା, ମୟୂରଭଞ୍ଜ, ଜସିପୁରରୁ ଆଉ ବାକି ଛେଳି ଆସେ । ରାଜଧାନୀରେ ମଟନ ବେପାର ୧ କୋଟି ଟପିଥାଏ । ହେଲେ ଏବେ ୯ଟି ଗାଡ଼ି ଆସୁଛି । ଯାହାର ଦାମ ହେଉଛି ୬୫ଲକ୍ଷ ଟଙ୍କାରୁ ଅଧିକ ହେବ । ଗତ ରବିବାର ଦିନ ଭୁବନେଶ୍ୱରରେ ୧୧ଟା ସୁଦ୍ଧା ମଟନ ସରିଯାଇଥିଲା । ଲୋକେ ମାଛ ଓ ଚିକେନ୍ କିଣି ଘରକୁ ଫେରୁଥିଲେ । ବେପାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ନିକଟରେ ସରିଥିବା ନିର୍ବାଚନ ପରେ ଉଭୟ ପଶ୍ଚିମବଙ୍ଗ ଓ ଆସାମ ମଟନର ଚାହିଦା ହଠାତ୍ ବଢ଼ିଯାଇଛି । ଫଳରେ ସେମାନେ ଅନ୍ୟ ରାଜ୍ୟକୁ ମାଂସ ରପ୍ତାନି କରିବା ବଦଳରେ ଓଡ଼ିଶାରୁ ଦେଶୀ ଛେଳି ନେଉଛନ୍ତି । ପଶ୍ଚିମବଙ୍ଗର ଯେଉଁ ବ୍ୟବସାୟୀମାନେ ଓଡ଼ିଶାକୁ ଖାସି ରପ୍ତାନି କରୁଥିଲେ ସେମାନେ ଏବେ ଅଧିକ ଦରରେ ଆସାମକୁ ଖାସି ପଠାଇବାରେ ଲାଗିଛନ୍ତି । ଉଭୟ ପଶ୍ଚିମବଙ୍ଗ ଓ ଆସାମରେ ଖାସି ମାଂସର ଚାହିଦା ବଢ଼ିଥିବା ବେଳେ ଓଡ଼ିଶାର ବ୍ୟବସାୟୀମାନେ ଏବେ ସେହିସବୁ ରାଜ୍ୟକୁ ଖାସି ପଠାଇବା ଆରମ୍ଭ କରିଛନ୍ତି ।

ଅଧିକ ପଢ଼ନ୍ତୁ :-  Humanity News: ଭିନ୍ନକ୍ଷମଙ୍କ ପାଇଁ ମାଗଣା ଅଟୋ ସେବା ଯୋଗାଉଛନ୍ତି ବିନୋଦ, ରୋଗୀଙ୍କ ପାଇଁ ସାଜିଛନ୍ତି ଦରଦୀ ବନ୍ଧୁ

ନିଖିଳ ଉତ୍କଳ ଆମିଷ ବ୍ୟବସାୟୀ ସଂଘର ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ ମଟନ୍ ଅଭାବ ମନୁଷ୍ୟକୃତ ନୁହେଁ ବରଂ ସାଧାରଣ କଥା । ଗ୍ରାହକଙ୍କ ଚାହିଦା ସାମାନ୍ୟ କମିଛି । ତେଣୁ ଅଳ୍ପ ଛେଳି ଆସୁଛନ୍ତି । ରଜ ବେଳକୁ ବେପାର ଜୋରଦାର ହେବ । ସେଥିପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ ।