ବାରିପଦା ୧୧/୦୬ (ସଞ୍ଜୟ କୁମାର ଚୌଧୁରୀ) : ସେବାକୁ ନିଜ ଜୀବନର ବ୍ରତ ଭାବି ଜଣେ ୩୮ ବର୍ଷର ଯୁବକ ଅନ୍ୟମାନଙ୍କ ପାଇଁ ମାନବତାର ଉଦାହରଣ ପାଲଟିଛନ୍ତି । ନାଁ ତାଙ୍କର ବିନୋଦ ଲୋହାର । ଘର ବାରିପଦା ପୌରପରିଷଦ ଅନ୍ତର୍ଗତ ତଖତପୁର ଅଞ୍ଚଳରେ । ପାରିବାରିକ ଦୁଃସ୍ଥିତି ଯୋଗୁଁ ଯୁକ୍ତ ୩ରେ ପଢୁଥିବା ବେଳେ ପାଠରୁ ଅଧାରେ ଡୋରି ବାନ୍ଧି ଥିବା ଏଇ ଯୁବକ ଜଣକ ଏବେ ଜୀବନଜୀବିକା ପାଇଁ ଅଟୋ ଚଳାଉଛନ୍ତି । ତେବେ ଦିନଯାକ ଭିନ୍ନକ୍ଷମଙ୍କ ପାଇଁ ମାଗଣା ସେବା ଯୋଗାଉଥିବା ବେଳେ ରାତ୍ରି ସମୟରେ ଅଟୋରୁ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ଗୁଜୁରାଣ ମେଣ୍ଟିଯାଏ ବୋଲି କହିଛନ୍ତି ବିନୋଦ ।
ତାଙ୍କ ଅଟୋରେ ବଡ ବଡ ଅକ୍ଷରରେ ଲେଖାଅଛି ଭିନ୍ନକ୍ଷମଙ୍କ ପାଇଁ ସଂପୂର୍ଣ୍ଣ ମାଗଣା ସେବା । ବାରିପଦା ବସଷ୍ଟାଣ୍ଡ ପାଖ ସତ୍ୟସାଇ ଛକରେ ନିଜର ଚକାଚକ ଅଟୋ ଛିଡା କରି ଯିଏ ଯାତ୍ରୀଙ୍କୁ ମାଗଣାରେ ସେବା ଦେବା ପାଇଁ ଡାକନ୍ତି ଆସନ୍ତୁ ମାଗଣାରେ ବସି ହସ୍ପିଟାଲ ଯାଆନ୍ତୁ । ବିନୋଦ କହନ୍ତି, ‘ମୁଁ ଖାଏ ନ ଖାଏ, ସେବା ମୋ ପାଇଁ ପୁଣ୍ୟ ବ୍ରତ, ସେଥିପାଇଁ ସବୁବେଳେ ସେବାକୁ ପ୍ରାଧାନ୍ୟ ଦେଇଆସିଛି । ମୋ ଗାଡିରେ ଏଲସିଡି ଲାଗିଛି । ଗାଡିକୁ ସୁନ୍ଦର ଭାବରେ ସଜାଇଛି । ମୋ ଗାଡିରେ ବସିଲେ ଯାତ୍ରୀ ଯେପରି ଆରାମ ଅନୁଭବ କରିବେ ସେଥିପାଇଁ ସବୁ ବ୍ୟବସ୍ଥା କରିଛି । ମୋ ଗାଡିର ଚାକଚକ୍ୟ ଦେଖି ଅଧିକାଂଶ ଯାତ୍ରୀ ଚଢିବାକୁ ରାଜି ହୁଅନ୍ତିନି । ସେମାନେ ଭାବନ୍ତି ମୁଁ କାଳେ ତାଙ୍କ ଠାରୁ ଅଧିକ ଭଡା ନେବି । କିନ୍ତୁ ଯେତେବେଳେ ମୁଁ ତାଙ୍କୁ କହେ ଯେ ଅଟୋରେ ଯିବା ସଂପୂର୍ଣ୍ଣ ମାଗଣା । ସେତେବେଳେ ସେମାନେ ବିଶ୍ୱାସ କରନ୍ତି ନାହିଁ । ବହୁତ ବୁଝାଇବା ପରେ ସେମାନେ ଅଟୋରେ ଚଢ଼ନ୍ତି । ପ୍ରାୟ ପ୍ରତ୍ୟେକ ଯାତ୍ରୀ ଓହ୍ଲାଇବା ବେଳେ କୋଟିଏ ଟଙ୍କାର ଆଶୀର୍ବାଦ ଦେଇ ଯାଆନ୍ତି । ଯାହା ତାଙ୍କ ପାଇଁ ସବୁଠୁ ବଡ଼ ରୋଜଗାର ବୋଲି ବିନୋଦ କୁହନ୍ତି ।
ଅଧିକ ପଢ଼ନ୍ତ :- Nandankanan : ଆସନ୍ତା ସୋମବାର ନନ୍ଦନକାନନ ଖୋଲା, ମଙ୍ଗଳବାର ବନ୍ଦ
ଦିନରେ କେବଳ ମାନବ ସେବା ଉପରେ ଅଧିକ ଜୋର ଦେଉଥିବା ବିନୋଦ ରାତି ସମୟରେ ନିଜ ପରିବାର ପ୍ରତିପୋଷଣ ପାଇଁ ଭଡା ଟାଣନ୍ତି । ସେ କହନ୍ତି, ରାତିରେ ମୋର ସବୁ କଣ୍ଟାକ୍ଟ ଭଡା ଥାଏ, ସେଥିରୁ ମୁଁ ବେଶ୍ ଭଲ ଦି’ପଇସା ରୋଜଗାର କରେ, ଏପରିକି କେହି କେହି ମୋ ସେବା ବାବଦରେ ଶୁଣିବା ପରେ ଭଡା ଶହେ ଟଙ୍କା ହୋଇଥିଲେ, ଦୁଇ ଶହ ଟଙ୍କା କିଏ ପୁଣି ତା ଠୁ ଅଧିକ ଦେଇଯାଆନ୍ତି । ସେହି ଟଙ୍କାରେ ମୁଁ ଯାତ୍ରୀଙ୍କ ପାଇଁ ପାଣି ବଟଲ୍, କେତେବେଳେ କେତେବେଳେ ଖାଦ୍ୟ ବ୍ୟବସ୍ଥା କରିଥାଏ । ଗରିବ ଲୋକ ବୃଦ୍ଧବୃଦ୍ଧା, ରୋଗୀ ଏବଂ ବିଶେଷ କରି ଭିନ୍ନକ୍ଷମଙ୍କ ମାଗଣା ସେବା ପାଇଁ ମୋ ଗାଡି ପ୍ରସ୍ତୁତ ଥିଲେ ବି ଭଗବାନଙ୍କ ଇଚ୍ଛାରେ ସବୁ ଠିକ୍ ଚାଲିଛି । ଘରେ ସ୍ତ୍ରୀ ସମେତ ନବମ ଶ୍ରେଣୀରେ ପଢୁଥିବା ଝିଅ ଏବଂ ତୃତୀୟ ଶ୍ରେଣୀରେ ପଢୁଥିବା ପୁଅ ଅଛନ୍ତି ।
ଏଭଳି ମାଗଣା ସେବା ପ୍ରଦାନ ପଛର କାରଣ ସଂପର୍କରେ କହିବାକୁ ଯାଇ ବିନୋଦ କହିଛନ୍ତି ଯେ, ‘ମୋ ବାପାଙ୍କ ଦେହ ଖରାପ ସମୟରେ ମୁଁ ଅଟୋରେ ତାଙ୍କୁ ହସ୍ପିଟାଲ ନେବାକୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲି । ତେଣୁ ନିଜେ ଅଟୋ କିଣିବା ପରେ ବାରିପଦା ବସଷ୍ଟାଣ୍ଡରୁ ହସପିଟାଲ ଯାଉଥିବା ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ମାଗଣା ସେବା ଯୋଗାଇବା ପାଇଁ ମନସ୍ଥ କଲି । ଦୀର୍ଘ ବର୍ଷେ ହେବ ପ୍ରତିଦିନ ଦିନ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସତ୍ୟସାଇ ଛକରୁ ହସ୍ପିଟାଲ୍ ପର୍ଯ୍ୟନ୍ତ ପୁଣି ହସ୍ପିଟାଲ୍ରୁ ବସଷ୍ଟାଣ୍ଡ ଆସୁଥିବା ଯାତ୍ରୀଙ୍କ ପାଇଁ ମାଗଣା ଅଟୋସେବା ସେ ଯୋଗାଇ ଆସୁଛନ୍ତି ।
ତାଙ୍କ ବିଷୟରେ ସମାଜସେବୀ ଡଃ ନିରୋଜ ପୋଥାଳ କହନ୍ତି, ବିନୋଦ କେବଳ ମାଗଣା ଅଟୋ ସେବାରେ ସୀମିତ ନୁହେଁ, ସେ ନିଜେ ଜଣେ ନିୟମିତ ରକ୍ତଦାତା ମଧ୍ୟ । ପୁଣି ନିରୁଦ୍ଦିଷ୍ଟ, ବେସାହାରା ଓ ପାଗଳଙ୍କ ପାଇଁ ସେ ସାହାରା ପାଲଟି ସେମାନେ କିଭଳି ନିଜ ଠିକଣା ଫେରି ପାଇବେ ସେଥିପାଇଁ ସେ ବ୍ୟବସ୍ଥା କରନ୍ତି । ବିନୋଦଙ୍କ ଏହି ସମାଜସେବା ମନୋଭାବ ପାଇଁ ପ୍ରଥମେ ନାରାୟଣ ସେବା ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିବା ବେଳେ ସେ ଏବେ ବହୁ ଅନୁଷ୍ଠାନରୁ ସମ୍ମାନିତ ହୋଇ ଜଣେ ସମାଜସେବୀ ଭାବରେ ସୁନାମ ଅର୍ଜନ କଲେଣି ।