କେନ୍ଦ୍ରାପଡ଼ା/ଓଳାଭର,୨୩/୦୨: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଦେଉଳତରା ଅଞ୍ଚଳର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଉଠିଥିଲା । ଛାତ୍ରୀଙ୍କ ପରିବାର ଶିଶୁ ମଙ୍ଗଳ କମିଟି(ସିଡବ୍ଲୁସି) ନିକଟରେ ଅଭିଯୋଗ କରିବା ଓ ପରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହି ଘଟଣାରେ ଏବେ ଶିକ୍ଷା ବିଭାଗ ତଦନ୍ତ ପାଇଁ ଅଣ୍ଟା ଭିଡ଼ିଛି । ସ୍କୁଲ୍‌ର ଭୂମିକା ସମ୍ପର୍କରେ ଶିକ୍ଷା ବିଭାଗର ଏହି ଟିମ୍ ତଦନ୍ତ କରିବ ।

ଆହୁରି ପଢ଼ନ୍ତୁ :- କେନ୍ଦ୍ରାପଡ଼ା ଛାତ୍ରୀ ଗଣଦୁଷ୍କର୍ମ ମାମଲା ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ, SOP ଅନୁଯାୟୀ ତଦନ୍ତ କରିବେ ସ୍ବତନ୍ତ୍ର ଟିମ୍

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ନେତୃତ୍ୱାଧୀନ ଏକ ୩ ଜଣିଆ ଟିମ୍ ସ୍କୁଲ୍‌କୁ ଯାଇ ତଦନ୍ତ କରିବେ ବୋଲି ଡିଇଓ ସୂଚନା ଦେଇଛନ୍ତି । ଡିଇଓଙ୍କ କହିବା କଥା ଏହା ଘରୋଇ ସ୍କୁଲ୍ ଥିବାରୁ ଏହାର ଶିକ୍ଷକମାନଙ୍କ ଉପରେ ଆମର ନିୟନ୍ତ୍ରଣ ନାହିଁ । ମାମଲା ଥାନାକୁ ଯିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଏହାର ତଦନ୍ତ ତ୍ୱରାନ୍ୱିତ ହେବ । ମାମଲାର ଶୁଣାଣି ଚାଲିବ । ତେବେ ସ୍କୁଲର ସ୍ୱୀକୃତି ବାବଦରେ ଆମେ ସରକାରଙ୍କୁ ସୁପାରିସ୍ କରିପାରିବୁ । ସ୍ୱୀକୃତି ମିଳିବା ସମୟରେ ଧାର୍ଯ୍ୟ ଗାଇଡ୍ଲାଇନ୍ ପୂରଣ କରୁଥିବା ସ୍କୁଲ୍ ଦର୍ଶାଇଥିଲା । ବର୍ତ୍ତମାନ ତା’ର ତାହାର ପାଳନ କରୁଛି କି ନାହିଁ ଅନୁଧ୍ୟାନ କରାଯିବ । ସ୍କୁଲ୍ ଏହାର ଖିଲାପ କରୁଥିଲେ ସରକାରଙ୍କୁ ଏ ବାବଦରେ ରିପୋର୍ଟ ପ୍ରଦାନ କରାଯିବ । ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ବାବଦରେ ଆମେ କେବଳ ସୁପାରିସ୍ କରିପାରିବୁ । ହେଲେ ସ୍ୱୀକୃତି ପ୍ରତ୍ୟାହାର ନିଷ୍ପତ୍ତି ସରକାରଙ୍କ ଉଚ୍ଚସ୍ତରୀୟ କମିଟି ନେଇପାରିବେ ।

ଅନ୍ୟପକ୍ଷେ ପୀଡ଼ିତାଙ୍କ ପରିବାର ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରଠାରୁ ସ୍କୁଲ୍ କର୍ତ୍ତୃପକ୍ଷ ମାମଲାକୁ ଯଥାସମ୍ଭବ ଚପାଇବା ପାଇଁ ଲାଗିପଡ଼ିଛନ୍ତି । ପୀଡ଼ିତାଙ୍କ ପରିବାରକୁ ଧମକଚମକ ଦେବା ଓ ଥାନାକୁ ମାମଲା ଯିବା ସତ୍ତେ୍ୱ ଘଟଣାକୁ ଟାଳିବାକୁ ଉଦ୍ୟମ କରିବା କର୍ତ୍ତୃପକ୍ଷଙ୍କ ଭୂମିକାକୁ କେଉଁଠି ନାଁ କେଉଁଠି ସନ୍ଦେହ ଘେରକୁ ଟାଇନେଇଛି । ପୁଲିସ ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କୁ କୋର୍ଟଚାଲାଣ ପୂର୍ବରୁ ସ୍କୁଲ୍ କର୍ତ୍ତୃପକ୍ଷ ରବିବାର ସତ୍ତେ୍ୱ ଅଭିଭାବକ ବୈଠକ ଡକାଇଥିଲେ । ଅଭିଭାବକଙ୍କ ସହଯୋଗ ଲୋଡ଼ିଥିଲେ ସ୍କୁଲ୍ କର୍ତ୍ତୃପକ୍ଷ । ଯାହା ପଛରେ ମୂଳ କାରଣ ଜନମାନସରୁ ଧ୍ୟାନ ହଟାଇବା ଓ ସ୍କୁଲ୍ ସପକ୍ଷରରେ ଜନମତ ସୃଷ୍ଟି କରିବା । ତେଣୁ ଅଭିଭାବକଙ୍କ ଥାନା ଘେରାଉ କାର୍ଯ୍ୟକ୍ରମ ପ୍ରାୟୋଜିତ ଥିଲା ବୋଲି ର୍ଚଚ୍ଚା ହେଉଛି । ତଥାପି ବୈଠକରେ କ’ଣ ଆଲୋଚନା କରାଯାଇଥିଲା ତାହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ । ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହିତ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ନୈତିକ ସମର୍ଥନ ଦେବାକୁ ଅନୁରୋଧ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି । ବୈଠକ ଶେଷ ହେବା ପରେ ସମସ୍ତେ ମିଳିତ ଭାବେ ଥାନାକୁ ଯାଇ ଶିକ୍ଷକଙ୍କ ସପକ୍ଷରେ ଯୁକ୍ତିବାଢ଼ି ସେମାନଙ୍କୁ ଛାଡ଼ି ଦେବାକୁ ଦାବି କରିଥିଲେ । ଯାହା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।