ନୂଆଦିଲ୍ଲୀ,୧୧/୦୬; ନିର୍ବନ୍ଧ ସରିବା ପରେ ପ୍ରି-ୱେଡିଂ ଫଟୋସୁଟ୍ ଗୋଟିଏ ଟ୍ରେଣ୍ଡ ପାଲିଟିଛି । ଜୀବନସାଥୀ ହେବାକୁ ଯାଉଥିବା କପୁଲ୍ ବିଭିନ୍ନ ସ୍ଥାନକୁ ଯାଇ ଫଟୋସୁଟ୍ କରିଥାନ୍ତି । କିନ୍ତୁ ଏହି ପ୍ରି-ୱେଡିଂ ଫୋଟସୁଟ୍ ଏକ ଯୋଡି ପାଇଁ କାଳ ହୋଇଛି । ମୃତ୍ୟୁ ହୋଇ ମାଡି ଆସିଲା ବିବାହ ପୂର୍ବରୁ ଫଟୋସୁଟ୍ । ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ଦିୱାରରେ ଏକ ଦୁଃଖଦ ଘଟଣା ଘଟିଛି । ବିବାହ ପୂର୍ବ ଫଟୋସୁଟ୍ ସମୟରେ ଜଣେ ଯୁବକ ଗଭୀର ପାଣିରେ ବୁଡ଼ି ଆଖିବୁଜିଛନ୍ତି । ଆନନ୍ଦର ମୁହୂର୍ତ୍ତ କିଛି ସେକେଣ୍ଡ ମଧ୍ୟରେ ଶୋକରେ ପରିଣତ ହୋଇଛି । ବାଘାନାର ପ୍ରସିଦ୍ଧ ଗୌରୀ ଧାମ କୁଣ୍ଡରେ ଏହି ଦୁର୍ଘଟଣା ଘଟିଛି । ଚିତ୍ତୋରଗଡ଼ର ବାସିନ୍ଦା ଅର୍ଜୁନ ଦମାନି ତାଙ୍କ ଭାବିପତ୍ନୀଙ୍କ ସହିତ ବିବାହ ପୂର୍ବ ଫଟୋସୁଟ୍ ପାଇଁ ଆସିଥିଲେ ।

ଅର୍ଜୁନ ତାଙ୍କ ବିବାହ ପୂର୍ବରୁ ସ୍ମରଣୀୟ ଫଟୋ ଉଠାଇବା ପାଇଁ ଗୌରୀ ଧାମ କୁଣ୍ଡ ଯାଇଥିଲେ । ଫଟୋସୁଟ୍ ସମୟରେ, ସେ କୁଣ୍ଡର କଡ଼ ପାଖରେ ଛିଡ଼ା ହୋଇ ଫଟୋ ପାଇଁ ପୋଜ୍ ଦେଉଥିଲେ । ହଠାତ୍, ସେ ଭାରସାମ୍ୟ ହରାଇ ଖସିଗଲେ ଏବଂ ଗଭୀର ପାଣିରେ ପଡ଼ିଗଲେ । ସେଠି ଉପସ୍ଥିତ କେହି ବୁଝିବା ପୂର୍ବରୁ ଅର୍ଜୁନ ବୁଡ଼ି ଯାଇଥିଲେ । ଦୁର୍ଘଟଣା ଯୋଗୁଁ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ଅର୍ଜୁନଙ୍କ ଭାବିପତ୍ନୀ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ପ୍ରଶାସନ ଏବଂ ପୁଲିସକୁ ତୁରନ୍ତ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା । ସିଭିଲ ଡିଫେନ୍ସ ଏବଂ ଏସଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କୁଣ୍ଡର ଗଭୀରତା ଏବଂ କଷ୍ଟକର ପରିସ୍ଥିତି ଉଦ୍ଧାର କାର୍ଯ୍ୟକୁ ଏକ ଚ୍ୟାଲେଞ୍ଜିଂ ପାଲଟିଥିଲା ।  ଉଦ୍ଧାରକାରୀ ଦଳ କିଛି ଘଣ୍ଟା ଧରି ଯୁବକଙ୍କୁ ଖୋଜାଖୋଜି କରିଥିଲେ । ୧୦-୧୫ ଘଣ୍ଟା ଖୋଜାଖୋଜି ପରେ, ଶେଷରେ ଅର୍ଜୁନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅର୍ଜୁନଙ୍କ ମୃତଦେହ ଦେଖିବା ପରେ ତାଙ୍କ ପରିବାର ସଦସ୍ୟମାନେ ଅସହ୍ୟ ହୋଇ ପଡ଼ିଥିଲେ ।

ଏହା ବି ପଢନ୍ତୁ...Supreme Court: ରାଷ୍ଟ୍ରନିର୍ମାଣରେ ଗୃହିଣୀଙ୍କର ରହିଛି ଭୂମିକା, ମାସିକ ୩୦ ହଜାର ଟଙ୍କାର ହକଦାର !  

ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମର୍ଚ୍ୟୁରୀରେ ରଖିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁର୍ଘଟଣାର ମୁଖ୍ୟ କାରଣ ଖସିଯିବାରୁ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ଘଟଣାର ସମସ୍ତ ଦିଗ ବିଷୟରେ ସୂଚନା ସଂଗ୍ରହ କରୁଛି । ଏହି ଦୁଃଖଦ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଉଭୟଙ୍କ ପରିବାର ପାଇଁ ଖୁସି ଆଣିଥିବା ପ୍ରି-ୱେଡିଂ ଫୋସୁଟ୍ ସେମାନଙ୍କ ଜୀବନର ସବୁଠାରୁ ବଡ଼ ଦୁଃଖଦ ଘଟଣା ପାଲଟିଯାଇଛି । ଭାବିପତ୍ନୀଙ୍କ ସାମ୍ନାରେ ଘଟିଥିବା ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ଭାବପ୍ରବଣ କରିଦେଇଛି । ଗୌରୀ ଧାମ କୁଣ୍ଡ ଅତ୍ୟନ୍ତ ଗଭୀର । ଭବିଷ୍ୟତରେ ଏପରି ଦୁଃଖଦ ଘଟଣା ଏଡାଇବା ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍।