ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଜଣେ ଗୃହିଣୀଙ୍କ ମୃତ୍ୟୁ ମାମଲାରେ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଜଣେ ଗୃହିଣୀ କେବଳ ଘର ସମ୍ଭାଳନ୍ତି ନାହିଁ, ବରଂ ସେ ମଧ୍ୟ ଦେଶ ଗଠନ ବା ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭାଗିଦାର । ସେମାନଙ୍କ ଘରୋଇ କାର୍ଯ୍ୟର ଅବଦାନ ସ୍ୱରୂପ କ୍ଷତିପୂରଣ ବାବଦକୁ ମାସିକ ଅନ୍ୟୂନ ୩୦,୦୦୦ ଟଙ୍କା ମିଳିବା ଉଚିତ୍ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସଡ଼କ ଦୁର୍ଘଟଣା ମାମଲାରେ ଜଣେ ଗୃହିଣୀଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ହେଲେ, ପରିବାରକୁ ମିଳୁଥିବା ଘରୋଇ ସେବାର କ୍ଷତିକୁ କ୍ଷତିପୂରଣର ଏକ ସ୍ୱତନ୍ତ୍ର କ୍ୟାଟେଗୋରୀ ଭାବେ ମାନ୍ୟତା ଦିଆଯିବ । ଅଦାଲତ ଏହି କ୍ଷତିର ସର୍ବନିମ୍ନ ମୂଲ୍ୟ ମାସିକ ୩୦,୦୦୦ ଟଙ୍କା ନିର୍ଦ୍ଧାରଣ କରିଛନ୍ତି ।

ଗୃହିଣୀ ହେଉଛନ୍ତି 'ନେସନ ବିଲ୍ଡର':

ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମୋଟର ଦୁର୍ଘଟଣା କ୍ଷତିପୂରଣ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୟ କରୋଲ କହିଛନ୍ତି, "ଗୃହିଣୀମାନଙ୍କ ଅବଦାନ କେବଳ ଚାରିକାନ୍ଥ ଭିତରେ ସୀମିତ ନୁହେଁ । ସେମାନେ ଆଗାମୀ ପିଢ଼ିର ଗଠନ ଏବଂ ସମାଜର ବିକାଶରେ ଅହରହ ଭୂମିକା ଗ୍ରହଣ କରୁଛନ୍ତି । ତେଣୁ ସେମାନଙ୍କୁ ‘ନେସନ ବିଲ୍ଡର’ ବା ରାଷ୍ଟ୍ର ନିର୍ମାତା ଭାବେ ଉଚିତ ସମ୍ମାନ ଓ ପରିଚୟ ମିଳିବା ଆବଶ୍ୟକ । ପରିବାରର ଯତ୍ନ, ପିଲାମାନଙ୍କ ପାଳନ-ପୋଷଣ ଓ ସଂସାର ଚଳାଇବା ଦ୍ୱାରା ଦେଶର ପ୍ରତ୍ୟକ୍ଷ ବିକାଶ ହୁଏ, ତେଣୁ ଏହି କ୍ଷତିକୁ କେବଳ ସାଙ୍କେତିକ ଭାବେ ଦେଖାଯାଇପାରିବ ନାହିଁ ।

କ’ଣ ଥିଲା ପୂରା ମାମଲା ?

ଏହି ମାମଲାଟି ପଞ୍ଜାବର ଏକ ସଡ଼କ ଦୁର୍ଘଟଣା ସହ ଜଡ଼ିତ, ଯେଉଁଠି ୨୦୦୧ ମସିହାରେ 'ରେଶମା' ନାମକ ଜଣେ ମହିଳାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ମୃତ ମହିଳାଙ୍କ ସ୍ୱାମୀ ଏବଂ ତିନି ପିଲା କ୍ଷତିପୂରଣ ପାଇଁ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଦୁଃଖର ବିଷୟ ଏହି ମାମଲାଟି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଭିନ୍ନ ଅଦାଲତରେ ପଡ଼ି ରହିଥିଲା । ମାମଲା ଏତେ ଦିନ ବିଳମ୍ବ ହେବା ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି । ସାଧାରଣତଃ ମୋଟର ଦୁର୍ଘଟଣା କ୍ଷତିପୂରଣ ମାମଲାଗୁଡ଼ିକର ସମାଧାନ ବର୍ଷେ ଭିତରେ ହେବା ଉଚିତ୍ ବୋଲି କୋର୍ଟ କହିଛନ୍ତି । ଏଥିସହ ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ଏଭଳି ମାମଲାର ନିୟମିତ ମନିଟରିଂ କରିବାକୁ କୋର୍ଟ ଅନୁରୋଧ କରିଛନ୍ତି ।

ବଦଳିବ କ୍ଷତିପୂରଣର ନିୟମ, ବଢ଼ିବ ଅର୍ଥରାଶି:

ପୂର୍ବରୁ ଅନେକ ମାମଲାରେ ଗୃହିଣୀମାନଙ୍କର ଆୟକୁ କେବଳ ଦୈନିକ ମଜୁରୀ କିମ୍ବା କୁଶଳୀ ଶ୍ରମିକଙ୍କ ଦରମା ଆଧାରରେ ଆକଳନ କରାଯାଉଥିଲା, ଯାହା ସେମାନଙ୍କ ପ୍ରକୃତ ଅବଦାନର ସଠିକ ମୂଲ୍ୟାଙ୍କନ କରୁନଥିଲା । ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏଣିକି ସାରା ଦେଶରେ ଗାଡ଼ି ଦୁର୍ଘଟଣା ମାମଲାରେ ଗୃହିଣୀମାନଙ୍କ ମୃତ୍ୟୁ ଜନିତ କ୍ଷତିପୂରଣ ରାଶିରେ ବଡ଼ ଧରଣର ବୃଦ୍ଧି ଘଟିବ । ଏହାସହ ଘରୋଇ କାର୍ଯ୍ୟର ସାମାଜିକ ଓ ଆର୍ଥିକ ଗୁରୁତ୍ୱକୁ ଏକ ନୂଆ ସାମ୍ବିଧାନିକ ମାନ୍ୟତା ମିଳିଛି ।

ଆହୁରି ପଢ଼ନ୍ତୁୁ... Indians Death in US attack: ଆମେରିକା ସେନା ଆକ୍ରମଣରେ ୩ ଭାରତୀୟ ନିହତ, ଭାରତର କଡ଼ା ନିନ୍ଦା