ବେଙ୍ଗାଲୁରୁ, ୮।୪: କାହା ପାଇଁ ସଫଳତା ମାନେ ମୋଟା ଅଙ୍କର ଦରମା ତ ଆଉ କାହା ପାଇଁ ଏସି ରୁମ୍ର ଆରାମଦାୟକ ଜୀବନ । କିନ୍ତୁ ବେଙ୍ଗାଲୁରୁର ରାକେଶ ବି. ପାଲ୍ଙ୍କ ପାଇଁ ସଫଳତାର ସଂଜ୍ଞା ସମ୍ପୂର୍ଣ୍ଣ ଅଲଗା । ବିଶ୍ୱର ନମ୍ବର-୧ ଟେକ୍ କମ୍ପାନୀ 'ଆପଲ୍' ର ଚାକିରି ଏବଂ ବଡ଼ ବଡ଼ ବ୍ୟାଙ୍କର କର୍ପୋରେଟ୍ ପଦବୀକୁ ପଛରେ ପକାଇ ସେ ଏବେ ବେଙ୍ଗାଲୁରୁ ରାସ୍ତାରେ ଅଟୋ ଷ୍ଟିୟରିଂ ଧରିଛନ୍ତି । ଆଉ ଏହି ଖବର ଏବେ ଇଣ୍ଟରନେଟ୍ରେ ସେନସେସନ୍ ପାଲଟିଛି । ରାକେଶଙ୍କ କ୍ୟାରିୟର ଯେକୌଣସି ଯୁବକଙ୍କ ପାଇଁ ଏକ ସ୍ୱପ୍ନ ଥିଲା । ଆପଲ୍ ଭଳି ଦିଗ୍ଗଜ କମ୍ପାନୀରେ ମୋଟା ଦରମା ଓ ସୁଖସୁବିଧା ଭିତରେ ସେ ଜୀବନ ବିତାଉଥିଲେ । କିନ୍ତୁ, ଏହି ଚମକଧମକ ପଛରେ ସେ ନିଜକୁ ହଜାଇ ଦେଇଥିଲେ । କର୍ପୋରେଟ୍ ଦୁନିଆରେ କାମ କରି ସେ ଅନୁଭବ କଲେ ଯେ ସେ କେବଳ ଏକ ମେସିନ୍ର ଅଂଶ ପାଲଟି ଯାଇଛନ୍ତି । ଅନ୍ୟକୁ ଖୁସି କରିବା ଦୌଡ଼ରେ ସେ ନିଜ ଖୁସିକୁ ଭୁଲି ଯାଇଥିଲେ ।
ଏହା ବି ପଢ଼ନ୍ତୁ... ବୟସକୁ ମାତ୍ ଦେଇଛନ୍ତି ଶତାୟୁ ଶିକ୍ଷକ, ଜାଣନ୍ତୁ ୧୦୭ ବର୍ଷୀୟ ପ୍ୟାର୍ ସିଂହଙ୍କ ଫିଟନେସ୍ ମନ୍ତ୍ର
ଡିପ୍ରେସନରୁ ମୁକ୍ତି ପାଇଁ ସଂଗ୍ରାମ:
କ୍ୟାରିୟର ସହ ବ୍ୟକ୍ତିଗତ ଜୀବନରେ ଝଡ଼ ରାକେଶଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେଇଥିଲା । ସେ ଏତେ ମାତ୍ରାରେ ଡିପ୍ରେସନର ଶିକାର ହୋଇଥିଲେ ଯେ ତାଙ୍କୁ NIMHANS ଭଳି ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ପଡ଼ିଥିଲା । ଦୀର୍ଘ ସମୟ ଧରି ଔଷଧ ଉପରେ ନିର୍ଭର କରିବା ପରେ ସେ ନିଷ୍ପତ୍ତି ନେଲେ ଯେ ସେ ଏହି ଚକ୍ରବ୍ୟୁହରୁ ବାହାରିବେ । ମାନସିକ ଶାନ୍ତି ପାଇଁ ରାକେଶ ନିଜକୁ ବଦଳାଇବା ଆରମ୍ଭ କଲେ । ସେ ମାର୍ଶାଲ ଆର୍ଟ ଶିଖିଲେ ଏବଂ ରାଜ୍ୟ ସ୍ତରୀୟ ଚାମ୍ପିୟନଶିପ୍ରେ ସିଲଭର ମେଡାଲ ମଧ୍ୟ ଜିତିଲେ । ପ୍ରକୃତ ସ୍ୱାଧୀନତା ପାଇଁ ସେ କୌଣସି କାମକୁ ଛୋଟ ମନେ କଲେ ନାହିଁ । ଫୁଡ୍ ଡେଲିଭରି କଲେ । ବାଇକ୍ ଟ୍ୟାକ୍ସି ବି ଚଲାଇଲେ । ଏପରିକି ଜିମ୍ରେ ଚଟାଣ ଓ ଟଏଲେଟ୍ ମଧ୍ୟ ସଫା କଲେ । ଆଜି ୪ ବର୍ଷର କଠିନ ସଂଗ୍ରାମ ପରେ ରାକେଶ ବେଙ୍ଗାଲୁରୁରେ ନିଜର ଏକ ଇଲେକ୍ଟ୍ରିକ୍ ଅଟୋ ଚଲାଉଛନ୍ତି । ଅଟୋ ଚଲାଇବା ସହ ସେ ପେଣ୍ଟିଂ ଏବଂ ଡାନ୍ସ ଭଳି ନିଜର ସଉକ ମଧ୍ୟ ପୂରଣ କରୁଛନ୍ତି । କୌଣସି ମେସିନ୍ର ଅଂଶ ନୁହନ୍ତି, ବରଂ ନିଜ ଜୀବନର ମାଲିକ । ତାଙ୍କର ଏହି କାହାଣୀ ପ୍ରମାଣ କରୁଛି ଯେ ଯଦି ମନରେ ସାହସ ଥାଏ, ତେବେ ଶୂନରୁ ମଧ୍ୟ ଏକ ନୂଆ ଦୁନିଆ ଗଢ଼ାଯାଇପାରେ ।