ଭୁବନେଶ୍ୱର, ୧୭/୦୨ : କେନ୍ଦ୍ର ସରକାର ବଜେଟରେ ରେୟାର ଆର୍ଥ କରିଡର ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଘୋଷଣା ରେୟାର ଆର୍ଥ ସାମଗ୍ରୀ କ୍ଷେତ୍ରରେ ଓଡ଼ିଶା ଲାଗି ନୂଆ ସମ୍ଭାବନା ସୃଷ୍ଟି କରିବାର ଢ଼େର ସମ୍ଭାବନା ରହିଛି । କେନ୍ଦ୍ର ସରକାର କ୍ରିଟିକାଲ୍‌ ମିନେରାଲ ମିଶନ ଘୋଷଣା ଦ୍ୱାରା ଏହି କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି । ଏ କ୍ଷେତ୍ରରେ ଓଡ଼ିଶା ନିଜ ଉପସ୍ଥିତିକୁ ଦୃଢ଼ କରିବାକୁ ଯାଉଛି। ଶିଳ୍ପ ବିଭାଗ ସୂଚନା ମୁତାବକ, ରାଜ୍ୟ ରେୟାର ଆର୍ଥ କ୍ଷେତ୍ରରେ ନିବେଶର ବଡ଼ ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ୨ ନିବେଶକ ରାଜ୍ୟରେ ଏ କ୍ଷେତ୍ରରେ ନିବେଶ ନେଇ ପ୍ରସ୍ତାବ ରଖିଛନ୍ତି । କମ୍ପାନିଗୁଡ଼ିକ ୧୦ ହଜାର କୋଟି ଟଙ୍କାର ନିବେଶ କରିବାକୁ ଯାଉଛନ୍ତି । ଏହି ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକ୍ଷମ ହେବାଦ୍ୱାରା ରାଜ୍ୟ ଦେଶର ରେୟାର ଆର୍ଥ ଖଣିଜ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବ। ଏ କ୍ଷେତ୍ରରେ ଶିଳ୍ପର ବିକାଶ ସହ ନୂଆ ନିବେଶ ଏବଂ ଅଭିବୃଦ୍ଧି କ୍ଷେତ୍ରରେ ଏହା ଯୋଗଦାନ ରଖିବ । 

ଖଣି ମନ୍ତ୍ରଣାଳୟ ତଥ୍ୟ ମୁତାବକ, ଦେଶର ୩୦ ରେୟାର ଆର୍ଥ ମଧ୍ୟରୁ ଓଡ଼ିଶାରେ ୧୧ଟି ଏଭଳି ଖଣିଜ ରହିଛି । ବର୍ତ୍ତମାନ ରାଜ୍ୟରେ ଏହି ଖଣିଜ ଗୁଡ଼ିକ ଉତ୍ତୋଳନ ହୋଇପାରିନାହିଁ । ଏହି ଖଣିଜ ସମ୍ପଦର ଉପଯୁକ୍ତ ବ୍ୟବହାର ଦୀର୍ଘ ମିଆଦି ଭିତ୍ତିରେ ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ସହାୟକ ହୋଇପାରିବ । ରାଜ୍ୟର କେନ୍ଦୁଝର ଏବଂ ଯାଜପୁର ଜିଲାରେ ରହିଛି କୋବାଲଟ । ଏହି ଧାତବ ସାମଗ୍ରୀକୁ ଇଭି, ଇଭି ବ୍ୟାଟେରି, ଘର୍ଷଣ ନିରୋଧି ଧାତବ ସାମଗ୍ରୀ, ମହାକାଶ ଆପ୍ଲିକେସନ, ପିଗ୍‌ମେଣ୍ଟ ଏବଂ ଡାଏସ୍‌ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଏହାବାଦ ରାଜ୍ୟରେ ରହିଛି ଗ୍ରାଫାଇଟ ଖଣିଜ । ଏହି ଧାତବ ସାମଗ୍ରୀର ବ୍ୟବହାର ବ୍ୟାଟେରି, ଲୁବ୍ରିକାଣ୍ଟ, ଇଭି ଲାଗି ଫୁଏଲ ସେଲ୍‌ କ୍ଷେତ୍ରରେ ବ୍ୟବହାର ହୋଇପାରିବ ।ରାଜ୍ୟର ଯାଜପୁର, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲାରେ ରହିଛି ନିକେଲ । ଏହାର ବ୍ୟବହାର ଷ୍ଟେନଲେସ ଷ୍ଟିଲ, ସୋଲାର ପ୍ୟାନେଲ, ପ୍ରତିରକ୍ଷା, ମହାକାଶ ସାମଗ୍ରୀ ଏବଂ ଇଭି କ୍ଷେତ୍ରରେ ବ୍ୟବହାର ହୋଇପାରିବ । 

ଭୁବନେଶ୍ୱରର ୧୭୦ ଉତ୍ତରପୂର୍ବ ଭାଗରେ ବଉଳ ନୂଆ ସାହି ନାମକ ସ୍ଥାନରେ ପ୍ଲାଟିନମ ଗ୍ରୁପ ଏଲିମେଣ୍ଟ ଚିହ୍ନଟ ହୋଇଛି । ଏହା ଅଟୋ କାଟାଲିଷ୍ଟ, ଜୁଏଲାରି, ମେଡିସିନ, ପ୍ରତିରକ୍ଷା ଇଲେକଟ୍ରୋନିକ୍ସ ଯନ୍ତ୍ରାଂଶ କ୍ଷେତ୍ରରେ ବ୍ୟବହାର ହୋଇପାରିବ । ରାଜ୍ୟର ୩ ବେଳାଭୂମି ଯଥା ଗୋପାଳପୁର, ଛତ୍ରପୁର ଏବଂ ବ୍ରହ୍ମଗିରିରେ ରହିଛି ରେୟାର ଆର୍ଥ ଏଲିମେଣ୍ଟ (ଆର୍‌ଇଇ) ରହିଛି । ଏହା ଇଲେକ୍ଟ୍ରିକ ଜେନେରେଟର ଓ ମୋଟର ଲାଗି ସ୍ଥାୟୀ ମ୍ୟାଗନେଟ, କାଟାଲିଷ୍ଟ, ପଲିସିଂ, ବ୍ୟାଟେରି, ଇଲେକ୍‌ଟ୍ରୋନିକ୍ସ, ଡିଫେନ୍ସ ଟେକ୍ନୋଲୋଜି, ପବନ ଶକ୍ତି କ୍ଷେତ୍ର, ମହାକାଶ ଏବଂ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବହୁଳ ଭାବେ ବ୍ୟବହାର ହୋଇଥାଏ । ଏହାବାଦ ରାଜ୍ୟର ସିଲିକନ୍‌ ଖଣିଜ ସେମିକଣ୍ଡକ୍ଟର, ଇଲେକଟ୍ରୋନିକ୍ସ, ପରିବହନ ଯନ୍ତ୍ରାଂଶ, ପେଣ୍ଟସ ଏବଂ ଆଲୁମିନିୟମ ଆଲଏ କ୍ଷେତ୍ରରେ ବ୍ୟବହାର ହୋଇଥାଏ । ମାଲକାନଗିରି ଜିଲାରେ ରହିଛି ଟିଣ ଉତ୍ପାଦନ କ୍ଷେତ୍ରରେ ବ୍ୟବହୃତ ଖଣିଜ । ଯାହାକୁ ମହାକାଶ, ନିର୍ମାଣ, ହୋମ ଡେକୋର ଇଲେକଟ୍ରୋନିକ୍ସ, ଜୁଏଲାରୀ ଏବଂ ଟେଲିକମ ଯନ୍ତ୍ରାଂଶରେ ବ୍ୟବହାର ହୋଇଥାଏ । ସେହିଭଳି ଟିଟାନିୟମ ଖଣିଜ ମହାକାଶ, ପ୍ରତିରକ୍ଷା ଆପ୍ଲିକେସନ, କେମିକାଲ୍‌ସ, ପେଟ୍ରୋକେମିକାଲ୍‌ସ, ପିଗମେଣ୍ଟ ଏବଂ ପଲିମର୍‌ସ କ୍ଷେତ୍ରର ନିବେଶକଙ୍କୁ ଆକୃଷ୍ଟ କରିବ ।

ଅନ୍ୟପଟେ ଭାନାଡିୟମ ଧାତବ ସାମଗ୍ରୀ ଆଲଏ ଏବଂ ବ୍ୟାଟେରି କ୍ଷେତ୍ରରେ ବ୍ୟବହାର ହୋଇଥାଏ । ଜିର୍କନ ଖଣିଜ ଉପରେ ଉଚ୍ଚ ମୂଲ୍ୟ ଯୁକ୍ତ ମାନୁଫାକଚରିଂ ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ର ନିର୍ଭର କରିଥାଏ । ଇଣ୍ଡିଆ ରେୟାର ଆର୍ଥ ଲିମିଟେଡ (ଆଇଆର୍‌ଇଏଲ୍‌) ଗଞ୍ଜାମର ଗୋପାଳପୁରରେ ଏହାର ଫାସିଲିଟି ସହ କାମ କରୁଛି । ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରେୟାର ଆର୍ଥ ଖଣିଜ ଦ୍ୱାରା ରାଜ୍ୟ ବୈଷୟିକ ଜ୍ଞାନକୌଶଳର ପେଣ୍ଠସ୍ଥଳ ହେବ । ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ରାଜ୍ୟର ଏହି କ୍ଷେତ୍ରକୁ ବଳ ଦେବ।

ଏହି ଖବରଟିକୁ ପଢନ୍ତୁ- ଆଜିଠୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଦେଶରେ ପରୀକ୍ଷା ଦେବେ ୪୬ ଲକ୍ଷ ଶିକ୍ଷାର୍ଥୀ