ନୂଆଦିଲ୍ଲୀ,୧୦।୧୦: ପରଲୋକରେ ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା। ତାଙ୍କର ମୃତ୍ୟୁ ସାରା ଦେଶକୁ ଶୋକାକୂଳ କରିଛି। ସେ ଖୁବ୍ ଶାନ୍ତ ଓ ସୌମ୍ୟ ସ୍ବଭାବର ଥିଲେ। ଏହି ସଂସ୍କାର ଓ ଗୁଣ ସବୁ ତାଙ୍କର ଜେଜେ ମା’ ପିଲାବେଳୁ ଦେଇଥିଲେ। ୨୮ ଡିସେମ୍ବର ୧୯୩୭ ରେ ପାର୍ସି ପରିବାରରେ ଜନ୍ମିତ ରତନ ଟାଟାଙ୍କ ପିଲାବେଳ ସମସ୍ତଙ୍କଠାରୁ ଥିଲା ଟିକେ ଭିନ୍ନ। ରତନ ଯେତେବେଳେ ଛୋଟ ଥିଲେ ସେତେବେଳେ ତାଙ୍କ ବାପା-ମା’ଙ୍କ ବିବାହ ବିଚ୍ଛେଦ ହୋଇଥିଲା। ନଭଲ ଟାଟା ଓ ସୁନି ଟାଟାଙ୍କ ପୁଅ ଥିଲେ ରତନ ଓ ତାଙ୍କ ସାନ ଭାଇ ଜିମି। ମୁମ୍ବାଇରେ ଦୁହିଁଙ୍କର ଲାଳନପାଳନ କରିଥିଲେ ତାଙ୍କ ଜେଜେ ମା’ ନଓ୍ବାଜବାଇ ଆର.ଟାଟା। ସ୍କୁଲରେ ପଢିବା ବେଳେ ରତନଙ୍କ ସାଙ୍ଗମାନେ ଏହି କଥା କହି ଚିଡାଉଥିଲେ ଯେ, ତୁମ ମା’ ଦ୍ବିତୀୟ ବିବାହ କରିଛନ୍ତି। ଏହା ଶୁଣି ସେ ସହପାଠୀଙ୍ଗ ଉପରେ ରାଗି ଯାଉଥିଲେ, କିନ୍ତୁ ଜେଜେ ମା’କୁ ତାଙ୍କୁ ଶାନ୍ତ ଓ ସହନଶୀଳ ହେବାକୁ ଶିକ୍ଷା ଦେଇଥିଲେ।
ରତନ ଟାଟାଙ୍କ ବାପା ନଭଲ ଟାଟାଙ୍କୁ ରତନଜୀ ଟାଟା ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ। ସେଭଳି ତାଙ୍କ ମା’ ସୁନି ଟାଟା, ଟାଟା ଗ୍ରୁପର ସଂସ୍ଥାପକ ଜମଶେଦଜୀ ଟାଟାଙ୍କ ଝିଅରୀ ଥିଲେ। ଯେତେବେଳେ ରତନ ଟାଟାଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା, ସେତେବେଳେ ନଭଲ ଓ ସୁନିଙ୍କ ଛାଡପତ୍ର ହୋଇଥିଲା। ଏହାପରେ ନଭଲ ଟାଟା ସ୍ବିସ୍ ମହିଳା ସିମୋନି ଟାଟାଙ୍କୁ ବିହାର କରିଥିଲ, ଯିଏକି ଫ୍ରେଞ୍ଚ କହୁଥିଲେ। ନଭଲଙ୍କଠାରୁ ସିମୋନି ୨୬ ବର୍ଷ ସାନ ଥିଲେ। ରତନଙ୍କ ସାନ ଭାଇ ଜିମି ଟାଟା ସାର୍ବଜନୀକ ଚର୍ଚ୍ଚାଠାରୁ ସବୁବେଳେ ଦୂରେଇ ରୁହନ୍ତି। ସେ ଶାନ୍ତ ଓ ସରଳ ଜୀବନ ବିତାନ୍ତି। ଜିମି ମୁମ୍ବାଇରେ ଏକ ସାଧାରଣ ଦୁଇ ବେଡ୍ରୁମ୍ ଥିବା ଆପାର୍ଟମେଣ୍ଟରେ ରୁହନ୍ତି।
ସେଭଳି ରତନ ଟାଟାଙ୍କର ସବୁବେଳେ ତାଙ୍କ ବାପା ନଭଲଙ୍କ ସହ ମତଭେଦ ରହି ଆସିଛି। ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ତାଙ୍କ ବାପାଙ୍କ ସହ ଗଭୀର ମତଭେଦ ଥିଲା। କାରଣ ସେ ପିଲାବେଳେ ଭାଓଲିନ୍ ଶିଖିବାକୁ ଚାହୁଁଥିଲେ, ହେଲେ ତାଙ୍କ ବାପା ତାଙ୍କୁ ପିଆନୋ ଶିଖିବାକୁ କହିଥିଲେ। ଏହାଛଡା ରତନ ଆମେରିକାରେ ପଢିବାକୁ ଚାହୁଁଥିବା ବେଳେ ତାଙ୍କ ବାପା ତାଙ୍କୁ ପଢିବାକୁ ଇଂଲଣ୍ଡ ପଠାଇବାକୁ ଚାହୁଁଥିଲେ। ରତନ ଆର୍କିଟେକ୍ଟ ହେବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ବାପା ତାଙ୍କୁ ଇଞ୍ଜିନିୟର କରିବାକୁ ଇଛା ରଖିଥିଲେ। ଶେଷରେ ରତନ ନିଜ ଜେଜେ ମା’ଙ୍କ ସହଯୋଗରେ ପଢିବାକୁ ଆମେରିକା ଯାଇଥିଲେ। ସେ ତାଙ୍କ ବାପାଙ୍କ କଥାକୁ ସମ୍ମାନ ଦେଇ ମେକାନିକାଲ ଇଞ୍ଜିନିୟରିଂରେ ଆଡମିସନ୍ କରିଥିଲେ, କିନ୍ତୁ ପରେ ନିଜର ସବଜେକ୍ଟ ବଦଳାଇ ଦେଇଥିଲେ ଓ ଆର୍କିଟେକ୍ ପଢିଥିଲେ।
ରତନ ଟାଟା ଆମେରିକାର ନ୍ୟୁୟର୍କର ଇଥାକାରେ କର୍ନେଲ ୟୁନିଭର୍ସିଟିରୁ ୧୯୬୨ ରେ ଆର୍କିଟେକ୍ଟରେ ବ୍ୟାଚଲର ଇନ୍ ସାଇନ୍ସରେ ଡିଗ୍ରୀ କରିଥିଲେ। ଏହାଫଳରେ ତାଙ୍କ ବାପା ଆହୁରି ରାଗି ଯାଇଥିଲେ, କିନ୍ତୁ ରତନ ଯାହା କରିବାକୁ ଚାହୁଁଥିଲେ ତାହା କରିଥିଲେ। ସେ ଦୁଇ ବର୍ଷ ଲସ୍ ଆଞ୍ଜେଲସ୍ରେ ଏକ ଆର୍କିଟେକଚର ଫାର୍ମରେ ଚାକିରୀ କରିଥିଲେ। ଏହି ସମୟରେ ସେ ଜଣେ ମହିଳାଙ୍କ ପ୍ରେମରେ ପଡିଥିଲେ, କିନ୍ତୁ ଏହି ଦୁହିଁଙ୍କ ବିବାହ ସମ୍ଭବ ହୋଇନଥିଲା। ଏହାର କାରଣ ହେଉଛି ୧୯୬୨ ରେ ଭାରତ-ଚୀନ୍ ଯୁଦ୍ଧ। ରତନ ଭାରତ ଆସିବା ବେଳେ ତାଙ୍କ ବାନ୍ଧବୀଙ୍କୁ ସାଙ୍ଗରେ ଆଣିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ପରିବାର ଲୋକ ଯୁଦ୍ଧ ପାଇଁ ତାଙ୍କ ଝିଅକୁ ଭାରତ ଛାଡିନଥିଲେ।