ଲଖନପୁର, ୨୩।୨: ଟାର୍ଗେଟ୍ ଓ ଟୋକନ ସମସ୍ୟା ନେଇ ଆଞ୍ଚଳିକ କୃଷକ ସଂଗଠନର ଅର୍ଥନୈତିକ ଅବରୋଧ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ୍ ଜୋନ୍ ୩ ଅନ୍ତର୍ଗତ ଢୁନଢୁନ ଛକ ନିକଟରେ ଟାର୍ଗେଟ୍ ଓ ଟୋକନ ସମାସ୍ୟା ସମାଧାନ ଦାବିନେଇ ମାଁ ସମଲେଇ ଆଞ୍ଚଳିକ କୃଷକ ସଂଗଠନ ପକ୍ଷରୁ ଧାନରଖି ଅର୍ଥନୈତିକ ଅବରୋଧ କରାଯାଇଛି । ସୂଚନାନୁସାରେ, ଆଜି କୃଷକ ସଂଗଠନ ପକ୍ଷରୁ ସକାଳ ୧୦ଟାରେ ଢୁନଢୁନ ଛକସ୍ଥିତ ରାସ୍ତାରେ ଶତାଧିକ ଧାନ ବସ୍ତା ରଖି ଆର୍ଥିକ ଅବରୋଧକୁ ଆରମ୍ଭ କରିଥିଲେ । ଏହାକୁ ସମର୍ଥନ ଜଣାଇ ଜିଲ୍ଲା କୃଷକ ସଂଗଠନର ସଭାପତି ଦିଲ୍ଲୀପ ବଢ଼େଇ, ସରଣ୍ଡାମାଲ ପ୍ୟାକ୍ସ ସଭାପତି ବସନ୍ତ ପାଢ଼ୀ, ତିଲିଆ ପ୍ୟାକ୍ସ ସଭାପତି ଭୋନାଥ ବଢ଼େଇ ପ୍ରମୁଖ ଆସି ସାମିଲ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ... ମେଡିଆନ୍ ସୌନ୍ଦର୍ଯ୍ୟକରଣ କରିବ ସ୍ମାର୍ଟସିଟି, ବାଣୀବିହାରରୁ ଶିଶୁଭବନ ରାସ୍ତାରେ ଲାଗିବ ଅର୍ଣ୍ଣାମେଣ୍ଟାଲ ଟ୍ରି
ସଂଗଠନର ଦାବି ମୁତାବକ ତିଲିଆ, ରମ୍ପେଲା, କୁମ୍ଭୀରବନ୍ଧ ଓ ପିପିଲିକାନୀ ପଞ୍ଚାୟତର ଚାଷୀଙ୍କୁ ନେଇ ତିଲିଆ ପ୍ରାଥମିକ କୃଷି ସେବା ସମବାୟ ସମିତ(ପ୍ୟାକ୍ସ) ପରିଚାଳିତ । ଚଳିତ ଖରିଫ୍ ଧାନ ବିକ୍ରୟ କରିବାକୁ ୯୯୪ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି । ପଞ୍ଜିକୃତ ଆଧାରରେ ପ୍ୟାକ୍ଟ ପକ୍ଷରୁ ପ୍ରାୟ ୪୫ ହଜାର କ୍ୱିଣ୍ଟାଲ ଧାନ ବିକ୍ରୟର ଲକ୍ଷ୍ୟ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩୧ ହଜାର ୭୧୦ କ୍ଵିଣ୍ଟାଲ ଧାନ କ୍ରୟ କରିବାକୁ ଟାର୍ଗେଟ୍ ଦିଆଯାଇଛି । ଆଉ ଆବଶ୍ୟକ ରହିଛି ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଟାର୍ଗେଟ୍ ।
ଏଥିସହ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବର୍ତ୍ତମାନ ସୁଦ୍ଧା ୮ ରୁ୧୦ ଜଣ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଯାଇଛି । ତାର ସମାଧାନ କରାନଯିବା ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ ଜୀରି ରହିବ ବୋଲି ସଂଗଠନର ବରିଷ୍ଠ ସଦସ୍ୟ ଲିଙ୍ଗରାଜ ବଢ଼େଇ, ଅମୁଲ୍ୟ ହୋତା, ସଦାନନ୍ଦ ବଢ଼େଇ, ସୁନୀଲ ସାହୁ, ରାଧେଶ୍ୟାମ ସାହୁ, ଶୁଶଲ ସାହୁ, କମଳ ଲୋଚନ କରାଲି, ରୋହିତ ପଧାନ, ଅଜିତ ବେହେରା, ଦୁର୍ଯୋଧନ ଗନିକ, ପ୍ରସାନ୍ତ ସାହୁ, ଚୁଡ଼ାମଣି ଚନ୍ଦେଲ, ନିରଞ୍ଜନ ରାଉତ, ଗୋପାଲ ପଧାନ, ଉମେଶ ନାଏକ, ଶୁଭମ ତ୍ରିପାଠୀ, ରୁଦ୍ରାକ୍ଷ ଭୋଇ, ବଳରାମ ସା ପ୍ରମୁଖ ଅନେକ ଚାଷୀ ପ୍ରକାଶ କରିଛନ୍ତି ।