ଭୁବନେଶ୍ୱର,୦୭/୧୧: ବୁଧବାର ସନ୍ଧ୍ୟାରେ ରେଣ୍ଟାଲ କଲୋନି-ଷ୍ଟୁଡିଓ ଛକ ରାସ୍ତାରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି । ଜଣେ ମାତାଲ୍‌ କାର ଚାଳକ ୨ଟି  ବାଇକ୍‌କୁ ସାଇଡ୍‌ ମାରି ଖସି ପଳାଉଥିବା ବେଳେ ଅନ୍ୟ ଏକ କାର୍‌କୁ ଧକ୍କା  ଦେଇ ଓଲଟି ପଡିଛି । ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ସେଥିରୁ ଜଣଙ୍କ  ଅବସ୍ଥା ସଙ୍କଟାପନ୍ନ ଅଛି । 

ଦୁର୍ଘଟଣାଟି ସନ୍ଧ୍ୟା ସାଢ଼େ ୭ଟାରେ ଘଟିଥିଲା । ଷ୍ଟୁଡିଓ  ଛକ ଆଡୁ ରେଣ୍ଟାଲ କଲୋନିରୁ ଏକ କାର(ଓଡି୦୨ଭି ୫୯୭୯) ସିଆର୍‌ପି  ଛକ ଅଭିମୁଖେ ଯାଉଥିଲା । ମାତାଲ ଚାଳକଜଣକ ରାସ୍ତା ସାରା ହର୍ଣ୍ଣ ବଜାଇ  ଦ୍ରୁତଗତିରେ କାର ଚଳାଉଥିଲା । ଅନ୍ୟ ଚାଳକମାନେ ଭୟରେ କାରକୁ ବାଟ  ଛାଡ଼ି ଦେଉଥିଲେ । ଭରତପୁର ବନ ବିଭାଗ କାର୍ଯ୍ୟାଳୟ ସାମ୍ନାରେ କାରଟି ୨ଟି  ବାଇକ୍‌କୁ ସାଇଡ୍‌ ମାରିଥିଲା । ଗୋଟିଏ ବାଇକ୍‌ ଚାଳକ ଭାରସାମ୍ୟ ହରାଇ  ତଳେ ପଡି଼ ଯାଇଥିଲେ । ସେ ଜୋର୍‌ରେ ପାଟିକରି ଉକ୍ତ କାରକୁ ପିଛା କରିବାକୁ  ଲାଗିଲେ । ଏହା ଦେଖି ମାତାଲ୍‌ ଚାଳକ କାର୍‌ ସ୍ପିଡ୍‌କୁ ଆହୁରି ବଢ଼ାଇଥିଲା । ରେଣ୍ଟାଲ ଛକ ରାସ୍ତାରେ ଯାଉଥିବା ଅନ୍ୟ ଏକ କାର (ଓଡି ୨୩କେ ୭୯୪୪) କୁ ପଛ ପଟୁ ଖୁବ୍‌ ଜୋର୍‌ରେ ପିଟି ରାସ୍ତା ମଝିରେ ଓଲଟି ପଡିଥିଲା । ମାତାଲ  ଚାଳକଙ୍କ ସହ କାରରେ ବସିଥିବା ଅନ୍ୟ ଜଣେ ଆହତ ହୋଇଥିଲେ । ଅନ୍ୟ  କାରରେ ଗୋଟିଏ ପରିବାରର ୩ ସଦସ୍ୟ ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସା  ସାରି ଘରକୁ ଫେରୁଥିଲେ । ଦୁର୍ଘଟଣା ଯୋଗୁ ସମସ୍ତେ ଆହତ ହୋଇଥିଲେ ।  ସେମାନେ ଏହି ମାତାଲ୍‌ କାର ଚାଳକ ଯୋଗୁ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।