ନୂଆଦିଲ୍ଲୀ,୧୦/୦୪: ମଧ୍ୟପ୍ରାଚ୍ୟରେ  ଯୁଦ୍ଧର ତାଣ୍ଡବଲୀଳାରେ କତାରର ଶକ୍ତି  ପ୍ଲାଣ୍ଟଗୁଡ଼ିକ ହୋଇଯାଇଛି ଛାରଖାର ।  ଫଳରେ ବିଶ୍ୱ ଶକ୍ତି (ତୈଳ ଏବଂ ପ୍ରାକୃତିକ  ଗ୍ୟାସ୍‌) ଯୋଗାଣର ଏକ ପଞ୍ଚମାଂଶ ଅଂଶ  ପ୍ରଭାବିତ ହୋଇଛି । ଯୋଗାଣ ବାଧାପ୍ରାପ୍ତ  ହେବା ଦ୍ୱାରା ଗ୍ୟାସ୍‌ ବଜାର ଅସ୍ତବ୍ୟସ୍ତ  ହୋଇଯାଇଛି ଏବଂ ଦର ବଡ଼ ମାତ୍ରାରେ  ବୃଦ୍ଧି ପାଇଛି । ଭାରତ ଭଳି ଅନେକ  ରାଷ୍ଟ୍ରରେ ଏଲ୍‌ପିଜି ଅଭାବ ସ୍ଥିତି ଉପୁଜିଛି । ଏହା ମଧ୍ୟରେ ରୁଷ ଖେଳୁଛି ପ୍ରକୃତ ଖେଳ ।  ପରିସ୍ଥିତିର ଫାଇଦା ଉଠାଇବା ପାଇଁ ଏହା  ହୋଇଯାଇଛି ତତ୍ପର ।  

ବ୍ଲୁମ୍‌ବର୍ଗର ଏକ ରିପୋର୍ଟ ଅନୁସାରେ,  ରୁଷ ବିଶ୍ୱ ଗ୍ୟାସ୍‌ ସଂକଟର ଲାଭ  ଉଠାଇବାକୁ ଉଦ୍ୟମ ଚଳାଇଛି । ଶକ୍ତି ପାଇଁ  ଡହଳ ବିକଳ ଦକ୍ଷିଣ ଏସିଆକୁ ଗ୍ୟାସ ବିକ୍ରି  କରିବାକୁ ଏହା ଏବେ ଦେଉଛି ଲୋଭନୀୟ  ଅଫର । ରୁଷ୍‌ର ଗ୍ୟାସ ଆମେରିକା  ଦ୍ୱାରା ପ୍ରତିବନ୍ଧିତ । ଏଭଳି ସ୍ଥିତିରେ ଏହା  ଏ ଗ୍ୟାସ୍‌କୁ ବମ୍ପର ଅଫରରେ ବିକ୍ରି  କରିବା ପାଇଁ ଉଦ୍ୟମ କରୁଛି । ରିପୋର୍ଟ  ଅନୁସାରେ, ରୁଷ ଏଲ୍‌ଏନ୍‌ଜିକୁ ସ୍ପଟ୍‌ ବଜାର  ଦର ତୁଳନାରେ ୪୦ଧ ରିହାତିରେ ବିକ୍ରି  କରିବାକୁ ଅଫର ଦେଉଛି ।  ରିପୋର୍ଟରେ ଆହୁରି କୁହାଯାଇଛି ଯେ,  ଗତ ସପ୍ତାହରେ ଚୀନ୍‌ ଏବଂ ରୁଷସ୍ଥିତ  କେତେକ ଅଜଣା ମଧ୍ୟସ୍ଥ କମ୍ପାନିଗୁଡ଼ିକ  ମାଧ୍ୟମରେ ଏହି ଗ୍ୟାସ୍‌ର ଖେପଗୁଡ଼ିକୁ  ସ୍ପଟ ବଜାର ଦରଠାରୁ ୪୦% ରିହାତିରେ  ବିକ୍ରି କରାଯାଇଥିଲା । ସୂତ୍ର ଅନୁସାରେ,  ବିକ୍ରି କରିଥିବା କମ୍ପାନି ଦାବି କରିଛନ୍ତି  ଯେ, ସେମାନେ ଏଭଳି ଦସ୍ତାବିଜ ଉପଲବ୍ଧ  କରିପାରିବେ, ଯାହାଦ୍ୱାରା ଏହା ଜଣାଯିବ  ଯେ, ଏହି ଗ୍ୟାସ ଖେପ ଅଣ-ରୁଷ ଉତ୍ସ  ଯେପରି ଓମାନ ଏବଂ ନାଇଜେରିଆରୁ  ଆସିଛି ।

 ପ୍ରକାଶଯୋଗ୍ୟ, ହୋର୍ମୁଜ ବନ୍ଦ  ହେବା ଏବଂ କତାରରେ ବିଶ୍ୱର ସର୍ବବୃହତ୍‌  ଏଲ୍‌ଏନ୍‌ଜି ରପ୍ତାନି ପ୍ଲାଣ୍ଟରେ ହୋଇଥିବା  ହମ୍‌ଲା କାରଣରୁ ବିଶ୍ୱ ଗ୍ୟାସ ଯୋଗାଣର  ପ୍ରାୟ ଏକ ପଞ୍ଚମାଂଶ ଠପ୍‌ ହୋଇଯାଇଛି ।  ଫଳରେ ପ୍ରାକୃତିକ ଗ୍ୟାସ ବଜାରରେ  ଅସ୍ଥିରତା ଦେଖାଦେଇଛି ଏବଂ ଦର ବଡ଼  ମାତ୍ରାରେ ବଢ଼ିଯାଇଛି । କତାରର ଯୋଗାଣ  ଅଟକିବା ଫଳରେ ବାଂଲାଦେଶ-ଭାରତ  ସମେତ କେତେକ ଏସୀୟ ଦେଶ ବିକଳ୍ପ  ଉତ୍ସରୁ ଉଚ୍ଚ ଦରରେ ଗ୍ୟାସ କ୍ରୟ କରୁଛନ୍ତି   । ରିପୋର୍ଟରେ କୁହାଯାଇଛି ଯେ, ଏସବୁକୁ  ଦେଖି ରୁଷ ବଡ଼ ଅଫର ଦେଇଛି ।  ବାଂଲାଦେଶ ସ୍ପଟ୍‌ ବଜାରରୁ  ଏଲ୍‌ଏନ୍‌ଜିର ଖେପ କିଣିବା ଆରମ୍ଭ  କରିଦେଲାଣି ଏବଂ ଅନେକ ସମୟରେ  ଏହାକୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ସହ  ନିଜର ଦୀର୍ଘକାଳୀନ ଚୁକ୍ତି ଅଧୀନରେ  ଲାଗୁଥିବା ରାଶିଠାରୁ ପ୍ରାୟ ଦୁଇଗୁଣା ଖର୍ଚ୍ଚ  କରିବାକୁ ପଡୁଛି । ଏଲ୍‌ଏନ୍‌ଜି ଯୋଗାଣରେ  ହ୍ରାସ ଯୋଗୁ ବାଂଲାଦେଶ ଏବଂ ଭାରତ ଭଳି  ଦେଶଙ୍କୁ ନିଜ ନିଜର ସାର ଶିଳ୍ପକୁ ଗ୍ୟାସ  ଯୋଗାଣ କମାଇବାକୁ ପଡ଼ିଛି ।  

ଆହୁରି ପଢନ୍ତୁ-ପରିବେଶ ପ୍ରତି ବଡ଼ ଆହ୍ୱାନ;ନଦୀରେ ଢାଳିଦେଲେ ୧୧ ହଜାର ଲିଟର କ୍ଷୀର,ଭିଡ଼ିଓ ଭାଇରାଲ

ପ୍ରକାଶଯୋଗ୍ୟ, ପ୍ରତିବନ୍ଧିତ ସାମଗ୍ରୀକୁ  ନେଇ ଭାରତ ସତର୍କତା ଅବଲମ୍ବନ  କରିଆସିଛି ଏବଂ ସରକାର ପୂର୍ବରୁ ହିଁ  କହିଛନ୍ତି ଯେ, ଭାରତ ପ୍ରତିବନ୍ଧିତ ସାମଗ୍ରୀ  ଆଡ଼କୁ ଯିବ ନାହିଁ । ତେବେ ଆମେରିକା  ରୁଷ ତେଲ କ୍ରୟ ଉପରେ ସାମୟିକ ଭାବେ  କଟକଣା ଉଚ୍ଛେଦ କରିବା ପରେ ଭାରତ  ରୁଷ ଏବଂ ଇରାନ ତେଲ କ୍ରୟ କରିଛି ।  ଅନ୍ୟପକ୍ଷରେ, ପ୍ରତିବନ୍ଧ ପରେ ବି ନିଜର  ଆର୍କଟିକ ଏଲ୍‌ଏନ୍‌ଜି ୨ ଏବଂ ପୋର୍ଟୋବାୟା  ରପ୍ତାନି ପ୍ଲାଣ୍ଟରୁ ରୁଷ ଲଗାତର ରପ୍ତାନି  ବୃଦ୍ଧି କରୁଛି । କିନ୍ତୁ ଅଧିକାଂଶ କ୍ରେତା  ଆମେରିକାର ପ୍ରତିବନ୍ଧ କାରଣରୁ ତେଲଗ୍ୟାସର ଆମଦାନିରୁ ଦୂରେଇ ରହୁଛନ୍ତି ।  ରିପୋର୍ଟ ଅନୁସାରେ, ଚୀନ୍‌ ଗୁପ୍ତ ଜାହାଜ  ମାଧ୍ୟମରେ ରୁଷ ତେଲ ଏବଂ ଗ୍ୟାସ୍‌  ଆମଦାନି ଜାରି ରଖିଛି ।