• ଗ୍ରୀଷ୍ମପ୍ରବାହ ସମୟରେ ଶାରୀରିକ କାର୍ଯ୍ୟରେ ନିୟୋଜିତ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
  • ବିଦ୍ୟାଳୟରେ ପିଲାମାନେ ପାଣି ପିଇବା ନିମନ୍ତେ କରାଯିବ ସ୍ଵତନ୍ତ୍ର ବେଲ୍ ବ୍ୟବସ୍ଥା
  • ଡାକ୍ତରଖାନାରେ ସ୍ଵତନ୍ତ୍ର ଅଂଶୁଘାତ ୱାର୍ଡର ବ୍ୟବସ୍ଥା କରାଯିବ
  • ​​​​​​​ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ହେବ ମଡେଲ୍ କୁଲିଂ ସେଲଟରର ବ୍ୟବସ୍ଥା

ଭୁବନେଶ୍ବର, ୧୯।୩ : ଗ୍ରୀଷ୍ମପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍, ପାନୀୟ ଜଳ ଯୋଗାଣ କରାଯାଉ।  ଏଥିସହ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମଡେଲ୍ କୁଲିଂ ସେଲଟରର ବ୍ୟବସ୍ଥା କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ  ପୂଜାରୀ ନିର୍ଦେଶ ଦେଇଛନ୍ତି। ଗ୍ରୀଷ୍ମପ୍ରବାହ ସମୟରେ ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ଆମର ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରିବା ସହ ମାନବଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ କହିଥିଲେ l ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମଡେଲ୍ କୁଲିଂ ସେଲଟର୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରଛାତ୍ରୀ , ଏବଂ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଗୁରୁତ୍ଵାରୋପ କରିଥିଲେ l ଏଥିସହିତ ହିଟ୍ ୱେଭ୍ ପ୍ରସଙ୍ଗର ଗୁରୁତ୍ଵ ଉପଲବ୍ଧି କରି ତ୍ଵରିତ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l

ବୈଠକରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଅର୍ଥାତ୍ ଦିନ ୧୧ରୁ ୩ ଘଟିକା ଯାଏ କୌଣସି ବି ନିର୍ମାଣ  ଆଦି ଶାରୀରିକ କାର୍ଯ୍ୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା l ଏଥିରେ ଖିଲାପ କରି ଶ୍ରମିକ ବା ସାଧାରଣ ଲୋକଙ୍କୁ କାମରେ ଲଗାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଦ୍ୟାଳୟରେ ଶିଶୁମାନଙ୍କ ପାଇଁ ନିୟମିତ ବ୍ୟବଧାନରେ ପାଣି ପିଇବା ନିମନ୍ତେ ସ୍ଵତନ୍ତ୍ର ବେଲ୍ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଥିଲା l ଜନବହୁଳ ଟ୍ରାଫିକ୍ ସ୍ଥାନମାନଙ୍କରେ ଅସ୍ଥାୟୀ ସେଡ୍ ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲା l ବୈଠକରେ ଡାକ୍ତରଖାନାମାନଙ୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଅଂଶୁଘାତ ୱାର୍ଡର ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ସମସ୍ତ ଗ୍ରାମପଞ୍ଚାୟତମାନଙ୍କରେ ନଳକୂପ ମରାମତି ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆବଶ୍ୟକସ୍ଥଳେ ପାଣି ଟ୍ୟାଙ୍କର୍ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା l

ସେହିପରି ଖରାଦିନେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବାକୁ ଅଧିକ ଶକ୍ତି ସଂରକ୍ଷଣ କରି ରଖିବାକୁ ଆଲୋଚନା ହୋଇଥିଲା l ଝାରସୁଗୁଡ଼ା, ବ୍ରଜରାଜନଗର, ଅନୁଗୁଳ, ତାଳଚେର ଆଦି ଅଞ୍ଚଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକ ପ୍ରଭାବିତ ହେଉଥିବା ଯୋଗୁ ସେସବୁ ଅଞ୍ଚଳରେ ବିଶେଷ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା l ବିଭିନ୍ନ ଖଣି ଅଞ୍ଚଳ ଏବଂ କଳକାରଖାନାମାନଙ୍କରେ ସୁରକ୍ଷା ପାଇଁ କୁଲିଂ ସେଲଟର୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ଏଥିସହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଶୀତତାପ ନିୟନ୍ତ୍ରିତ ବସ୍ ସେବା ଯୋଗାଇ ଦେବାକୁ ଆଲୋଚନା ହୋଇଥିଲା l ସେହିପରି ଦୀର୍ଘମିଆଦୀ ସୂତ୍ରରେ ସହରାଞ୍ଚଳରେ କ୍ଷୁଦ୍ର ଜଙ୍ଗଲୀକରଣ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ଖାଲି ଥିବା ସରକାରୀ ଜମି ଯୋଗାଇ ଦିଆଯିବାକୁ ଆଲୋଚନା ହୋଇଥିଲା l

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପ୍ରଶାସନକୁ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ l ସ୍ଵତନ୍ତ୍ର ସାହାଯ୍ୟ ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ୍ ଗ୍ରୀଷ୍ମ ପ୍ରବାହ ସହ ସମ୍ଭାବ୍ୟ କାଳବୈଶାଖୀର ମୁକାବିଲା କରିବା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଥିଲେ। ଏହି ସମୀକ୍ଷା ବୈଠକରେ ଶକ୍ତି ବିଭାଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ଆରଡିସି, ଜିଲ୍ଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନର ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ l

ଆହୁରି ପଢନ୍ତୁ : ଆମ ସରକାର ପ୍ରତି ବ୍ଲକରେ ୫୦ ପ୍ରତିଶତ ଜଳସେଚନ ସୁବିଧା ଯୋଗାଇ ଦେବ : ମୁଖ୍ୟମନ୍ତ୍ରୀ