• ଅନ୍ତ୍ୟୋଦୟ ଗୃହ ଯୋଜନା, ମନରେଗା ଏବଂ ଗ୍ରାମୀଣ ସଂଯୋଗୀକରଣ ପ୍ରକଳ୍ପ ଉପରେ ଗୁରୁତ୍ୱ
  • ରାଜ୍ୟର ସମସ୍ତ ଗାଁକୁ ରାସ୍ତା କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୪।୨ : ବ୍ଲକ ସ୍ତରରେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କର। ଏପରିକି ସମସ୍ୟା ଜଣାଅ ଆବଶ୍ୟକ ପଡିଲେ ନିଜେ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସମାଧାନ କରିବି । ପଞ୍ଚାୟତିରାଜ ବିଭାଗର ଏକ ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ  ଏହା  କହିଛନ୍ତି।

ରାଜ୍ୟର ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାକୁ ତ୍ଵରିତ ବେଗରେ ଆଗେଇନେବା ପାଇଁ ଏକ  ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ମୁଖ୍ୟ ଉନ୍ନୟନ ଅଧିକାରୀ (ସି.ଡି.ଓ) ଏବଂ ବ୍ଲକ ଉନ୍ନୟନ ଅଧିକାରୀ (ବି.ଡି.ଓ) ମାନଙ୍କ ସହ ବିଭାଗୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ  ଆଲୋଚନା କରିଥିଲେ। ବୈଠକରେ ବିଭାଗୀୟ କମିଶନର-ତଥା-ଶାସନ ସଚିବ ଗିରିଶ ଏସ୍.ଏନ୍ ଉପସ୍ଥିତ ଥିଲେ। ଏହି ସମୀକ୍ଷାରେ ମୁଖ୍ୟତଃ 'ବିକଶିତ ଗାଁ ବିକଶିତ ଓଡ଼ିଶା' , ଅନ୍ତ୍ୟୋଦୟ ଗୃହ ଯୋଜନା, ମନରେଗା ଏବଂ ଗ୍ରାମୀଣ ସଂଯୋଗୀକରଣ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଅଧିକାରୀମାନେ ପ୍ରକଳ୍ପଗୁଡ଼ିକର ବ୍ଲକସ୍ତରୀୟ ଅଗ୍ରଗତି, ସ୍ଥିତି ଓ ବ୍ୟୟ ସମ୍ପର୍କିତ ସମସ୍ତ ତଥ୍ୟ ମନ୍ତ୍ରୀଙ୍କ ସମ୍ମୁଖରେ  ଉପସ୍ଥାପନ କରିଥିଲେ । ଯେଉଁ ବ୍ଲକଗୁଡ଼ିକରେ ପ୍ରକଳ୍ପ କାର୍ଯ୍ୟର ଗତି ଧିମା ରହିଛି, ସେଠାରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ପାଖରେ ପାଣ୍ଠିର ଅଭାବ ନାହିଁ; ଆମର କାର୍ଯ୍ୟ ହିଁ ଆମର ଦକ୍ଷତା ଓ ପ୍ରତିବଦ୍ଧତାର ପ୍ରମାଣ। କ୍ଷେତ୍ରସ୍ତରରେ କୌଣସି ସମସ୍ୟା ଥିଲେ ଜଣାନ୍ତୁ, ଦରକାର ପଡିଲେ ମୁଁ ନିଜେ ସେଠାରେ ପହଞ୍ଚି ସମସ୍ୟାର ସମାଧାନ କରିବି।

ରାଜ୍ୟର ସମସ୍ତ ଗାଁକୁ ରାସ୍ତା ଦ୍ୱାରା ଯୋଡ଼ିବା ଉପରେ ଗୁରୁତ୍ୱ ଦେଇ ସେ ଏହି କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ  ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଥିଲେ। 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନା ଗାଁର ଚେହେରା ବଦଳାଇବାର ସାମର୍ଥ୍ୟ ରଖିଛି ବୋଲି ସେ କହିଥିଲେ। ସେହିପରି ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ସମ୍ପୂର୍ଣ୍ଣ ହୋଇଥିବା କାମର ବିଲ୍ ଓ କାଗଜପତ୍ର ସଠିକ୍ ସମୟରେ ଦାଖଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ପ୍ରକଳ୍ପର ପ୍ରକୃତ ସ୍ଥିତି ସରକାରୀ ରେକର୍ଡରେ ସଠିକ୍ ଭାବେ ପ୍ରତିଫଳିତ ହେବ ଏବଂ ସମୀକ୍ଷା ପ୍ରକ୍ରିୟା ଅଧିକ ଫଳପ୍ରଦ ହୋଇପାରିବ।ଏହି  ବୈଠକରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟର ୩୦ ଜଣ ସିଡିଓ ଏବଂ ୩୮ ଜଣ ବିଡିଓ ଯୋଗ ଦେଇଥିଲେ।