ନୂଆଦିଲ୍ଲୀ,୮।୧: ରୋବୋଟିକ୍ସ ଜଗତରେ ନୂତନ କ୍ରାନ୍ତି। ମଣିଷ ଭଳି ବିଚାରଶକ୍ତି ପରେ ଏବେ ରୋବୋଟ୍ ଅନୁଭବ କରିପାରିବ ସ୍ପର୍ଶ। ହଂକଂର ବୈଜ୍ଞାନିକ ଏପରି ଇଲେକ୍ଟ୍ରୋନିକ୍ ଚର୍ମ ବା ସ୍କିନ୍ ବିକଶିତ କରିଛନ୍ତି ଯାହା ସ୍ପର୍ଶକୁ ଅନୁଭବ କରିପାରିବ। କେବଳ ସେତିକି ନୁହେଁ ମଣିଷ ପରି ରିଆକ୍ସନ ଦେଇପାରିବ ରୋବୋଟ୍। ଏହି ନୂତନ ଟେକ୍ନୋଲୋଜି ମାନବୀୟ ରୋବୋଟକୁ ସୁରକ୍ଷିତ ଏବଂ ଅଧିକ ସମ୍ବେଦନଶୀଳ କରିବାର ଲକ୍ଷ୍ୟ ରଖିଛି।
ସିଟି ୟୁନିଭରସିଟି ଅଫ୍ ହଂକଂର ଏକ ଟିମ୍ ଇଞ୍ଜିନିୟର ୟୁୟୁ ଗାଓଙ୍କ ନେତୃତ୍ବରେ ସ୍ବତନ୍ତ୍ର ନ୍ୟୁରୋପାର୍ଫିକ୍ ରୋବୋଟିକ୍ ସ୍କିନ୍ ତିଆରି କରିଛି। ଏହି ଟେକ୍ନୋଲୋଜି ମାନବ ସ୍ନାୟୁ ପ୍ରଣାଳୀ ପରି ସ୍ପର୍ଶ ଏବଂ ଯନ୍ତ୍ରଣାକୁ ପ୍ରୋସେସ୍ କରିଥାଏ। ପିଏନ୍ଏଏସ୍ ଜର୍ଣ୍ଣାଲରେ ପ୍ରକାଶିତ ରିସର୍ଚ୍ଚ ଅନୁସାରେ,ପାରମ୍ପରିକ ରୋବୋଟିକ୍ ସ୍କିନ୍ କେବଳ ଚାପ ମାପ କରିଥାଏ। ଏହି ନୂତନ ଇ-ସ୍କିନ୍ ସ୍ପର୍ଶକୁ ବୈଦ୍ୟୁତିକ ସଙ୍କେତରେ ପରିଣତ କରେ, ଯାହା ମାନବ ସ୍ନାୟୁ ସଙ୍କେତକୁ ଅନୁକରଣ କରେ। ଚାପ ଯେତେ ଅଧିକ ହେବ, ସଙ୍କେତ ସେତେ ଅଧିକ ସ୍ପଷ୍ଟ ହୋଇଯାଏ। ଏହା ରୋବୋଟକୁ ହାଲୁକା ସ୍ପର୍ଶ ଏବଂ ବିପଦପୂର୍ଣ୍ଣ ଆଘାତ ମଧ୍ୟରେ ପାର୍ଥକ୍ୟ ମଧ୍ୟ ଅନୁଭବ କରାଇ ପାରିବ।
ଏହି ଇଲେକ୍ଟ୍ରୋନିକ୍ ସ୍କିନ୍ ଚାରୋଟି ଅଲଗା ଅଲଗା ଫଙ୍କସନାଲ ଲେୟାର୍ସରୁ ତିଆରି ହୋଇଛି। ଏହାର ଭୂମିକା ଜୈବିକ ସ୍ନାୟୁ ଭଳି ରହିଛି। ଯେତେବେଳେ ହାଲକା ସ୍ପର୍ଶ ହୁଏ ସିଗ୍ନାଲ ସେଣ୍ଟ୍ରାଲ ପ୍ରୋସେସରରେ ପହଞ୍ଚିଥାଏ, ଯେଉଁଠାରେ ଏହାକୁ ବସ୍ତୁ ଗୁଡ଼ିକୁ ଧରିବା କିମ୍ବା ମଣିଷ ସହିତ ସୁରକ୍ଷିତ ଇଣ୍ଟର ଆକ୍ସନ ପାଇଁ ବ୍ୟବହାର କରାଯାଏ। କିନ୍ତୁ ଯେତିକି ଚାପ ସ୍ଥିର କରାଯାଇଛି ‘ବ୍ୟଥା ସୀମା’ ଅତିକ୍ରମ କରିବା ମାତ୍ରେ, ସିଷ୍ଟମ ସମ୍ପୂର୍ଣ୍ଣ ଭିନ୍ନ ଉପାୟରେ କାର୍ଯ୍ୟ କରେ। ସିଗ୍ନାଲ ସିଧାସଳଖ ମୋଟର ପର୍ଯ୍ୟନ୍ତ ଯାଏ। ଏହାପରେ ମେନ୍ ପ୍ରୋସେସରକୁ ବାଇପାସ୍ କରେ। ଫଳରେ ରୋବୋଟ୍ ତୁରନ୍ତ ପଛକୁ ହଟିଯାଏ, ଯେପରି ଜଣେ ମଣିଷ ଗରମ କିମ୍ବା ତୀକ୍ଷ୍ଣ ଜିନିଷକୁ ସ୍ପର୍ଶ କରିବା ସମୟରେ ନିଜ ହାତ ପଛକୁ ଟାଣିନିଏ।
ଏହା ଫଳରେ ରୋବୋଟ୍ କୌଣସି କ୍ଷତିରୁ ନିଜକୁ ରକ୍ଷା କରିପାରିଥାଏ। କେବଳ ସେତିକି ନୁହେଁ, ଆଖପାଖ ବସ୍ତୁ ଏବଂ ମଣିଷର ସୁରକ୍ଷା ବଢିଯାଏ। ସରଳ ଭାବରେ କହିବାକୁ ଗଲେ ଏହି ସ୍କିନ୍ରେ ନିଜର ଲୋକାଲ ‘ପେନ୍ ରେସପନ୍ସ’ ରହିଛି। ଏହି ସିଷ୍ଟମର ଆଉ ଏକ ଖାସ୍ କଥା ହେଉଛି ଏହା ନିଜ ସ୍ଥିତି ଉପରେ ନିଜେ ନଜର ରଖିପାରେ। ସ୍କିନ୍ ପ୍ରତି ସେନ୍ସରକୁ ଲଗାତାର ଏକ ଛୋଟ ସିଗନାଲ ପଠାଇଥାଏ। ଯାହାଫଳରେ ଜଣାପଡିଥାଏ ଯେ,ତାହା ଠିକ୍ ଭାବରେ କାମ କରୁଛି। ଯଦି କେଉଁଠି କଟି ଯାଏ କିମ୍ବା ଫାଟି ଯାଏ ତେବେ ସିଗନାଲ ବନ୍ଦ ହୋଇଯାଏ। ରୋବୋଟ ତୁରନ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ଚିହ୍ନଟ କରିପାରେ। ଯଦିଓ ରୋବଟ୍ ନିଜ ସ୍କିନ୍ ନିଜେ ମରାମତି କରିପାରିବ ନାହିଁ, କିନ୍ତୁ ଏହାକୁ ମରାମତି କରିବା ବହୁତ ସହଜ। ଚୁମ୍ବକୀୟ ମଡ୍ୟୁଲରେ ତିଆରି, ଏହି ଇ-ସ୍କିନ୍ ବିଲ୍ଡିଂ ବକ୍ସ ପରି ଯୋଡି ହୋଇ ରହିଥାଏ। ଯଦି କୌଣସି ଅଂଶ ଖରାପ ହୁଏ, ତେବେ ସମ୍ପୂର୍ଣ୍ଣ ରୋବୋଟକୁ ନଖୋଲି କିଛି ସେକେଣ୍ଡରେ ନୂଆ ଅଂଶ ଲଗାଇ ହେବ। ବିଶେଷଜ୍ଞଙ୍କ ମତରେ ଏହି ଟେକ୍ନୋଲୋଜି ଭବିଷ୍ୟତରେ ମାନବୀୟ ରୋବୋଟକୁ ଆହୁରି ସୁରକ୍ଷିତ କରିବ। ଏଭଳି ରୋବୋଟ୍ ହସ୍ପିଟାଲ, ବୟସ୍କଙ୍କ ଦେଖାଶୁଣା, ଫ୍ୟାକ୍ଟ୍ରି ଓ ମଣିଷ ସହ ସିଧା ସଳଖ କାମ କରୁଥିବା କ୍ଷେତ୍ର ପାଇଁ ଲାଭଦାୟକ ହେବ।
ଆହୁରି ପଢନ୍ତୁ: ବିହାରର ୩ କୋର୍ଟକୁ ବୋମାରେ ଉଡାଇବା ଧମକ, କୋର୍ଟ ପରିସରକୁ ଖାଲି କରି ଚାଲିଛି ଯାଞ୍ଚ