ନୂଆଦିଲ୍ଲୀ ୧୨/୦୪: ୨୦୨୬ ଶେଷ ସୁଦ୍ଧା ଅପ୍ଟିମସ୍‌ ରୋବୋଙ୍କୁ ମଙ୍ଗଳ ଗ୍ରହକୁ ନେବ ଷ୍ଟାର୍‌ସିପ୍‌ । ଟେସ୍‌ଲା ଏହି ରୋବୋ ନିର୍ମାଣ କରୁଛି । ସ୍ପେସ୍‌ଏକ୍ସ ପ୍ରତିଷ୍ଠାତା ଏଲନ ମସ୍କ ଏ ନେଇ ଖୁବ୍‌ ଆଶାବାଦୀ । ମସ୍କ ‘ଏକ୍ସ’ ପୋଷ୍ଟ୍‌ରେ ଏ ବିଷୟରେ ସୂଚନା ଦେଇଛନ୍ତି । ଉଭୟ ଚନ୍ଦ୍ର ଓ ମଙ୍ଗଳ ଉପରେ ଫୋକସ୍‌ ଏବଂ ଲାଲ୍‌ ଗ୍ରହକୁ ଆମେରିକୀୟ ମହାକାଶଚାରୀଙ୍କୁ ପଠାଇବାକୁ ନାସା ପ୍ରାଥମିକତା ଦେବ ବୋଲି ଟ୍ରମ୍ପ୍‌ ସ୍ପଷ୍ଟ କରିବାର କିଛି ଘଣ୍ଟା ପରେ ମସ୍କ ଏହା ଘୋଷଣା କରିଛନ୍ତି । 

ମସ୍କଙ୍କ ସ୍ପେସ୍‌ଏକ୍ସ ଚନ୍ଦ୍ର ଏବଂ ତା’ପରେ ମଙ୍ଗଳ ଗ୍ରହକୁ କାର୍ଗୋ ଓ ମାନବ ପଠାଇବାକୁ ଷ୍ଟାର୍‌ଶିପ୍‌ ସୁପର ହେଭି ଯାନ ନିର୍ମାଣ କରୁଛି । କମ୍ପାନି ଆଗାମି କିଛି ସପ୍ତାହରେ ଏହି ଯାନର ୯ମ ଉଡ଼ାଣର ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛି । ଏଥିରେ ଷ୍ଟାର୍‌ଶିପ୍‌ ଇଞ୍ଜିନ୍‌କୁ ମହାକାଶରେ ପୁନଃ ପ୍ରଜ୍ୱଳିତ ଓ ଅବତରଣର ପରୀକ୍ଷା କରାଯିବ । ସ୍ପେସ୍‌ଏକ୍ସ ପୁନଃବ୍ୟବହାର ଯୋଗ୍ୟତାର କଳାରେ ସଫଳତା ହାସଲ କରିଛି । ଏହାର ସୁପର୍‌ ହେଭି ରକେଟ୍‌ ମହାକାଶକୁ ଷ୍ଟାର୍‌ଶିପ୍‌ର ଉତ୍‌କ୍ଷେପଣ ପରେ ଦୁଇଥର ସଫଳତାପୂର୍ବକ ଅବତରଣ କରିଛି । ସ୍ପେସ୍‌ଏକ୍ସର ଷ୍ଟାର୍‌ଶିପ୍‌ ପାଇଁ ମସ୍କ ଅନେକ ମହତ୍ୱାକାଂକ୍ଷୀ ଯୋଜନା କରିଛନ୍ତି । ମଙ୍ଗଳ ଗ୍ରହକୁ ଯାତ୍ରା ସମୟ ହ୍ରାସ କରିବା ତାଙ୍କର ଲକ୍ଷ୍ୟ ।




ପାରମ୍ପରିକ ରୂପେ ମଙ୍ଗଳ ଗ୍ରହ ମିଶନରେ ୬-୯ ମାସ ସମୟ ଲାଗିଛି । କିନ୍ତୁ ମସ୍କଙ୍କ କହିବା ଅନୁସାରେ, ସଠିକ୍‌ ଟେକ୍ନୋଲୋଜି ମାଧ୍ୟମରେ ଏହି ଅବଧିକୁ ୯୦ ଦିନକୁ ହ୍ରାସ କରାଯାଇ ପାରିବ । ମହାକାଶଯାନର ଡିଜାଇନ୍‌ ଓ ପ୍ରପଲସନ୍‌ ସାମର୍ଥ୍ୟରେ ଏହି ପରିବର୍ତ୍ତନ ନିହିତ ଅଛି । ମସ୍କ ଏହା ପୂର୍ବରୁ ଆଗାମି ଦୁଇ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ହାରାହାରି ୫ଟି ଅଣମାନବ ଷ୍ଟାର୍‌ଶିପ୍‌ ମିଶନ ପଠାଇବାର ଯୋଜନା ଘୋଷଣା କରିସାରିଛନ୍ତି । ସେ ଷ୍ଟାର୍‌ଶିପ୍‌କୁ ଚନ୍ଦ୍ରକୁ ମାନବ ପ୍ରେରଣ ଓ କାର୍ଗୋ ପରିବହନର ସାମର୍ଥ୍ୟବିଶିଷ୍ଟ ବହୁମୁଖୀ ମହାକାଶ ଯାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମଙ୍ଗଳ ଗ୍ରହରେ ମାନବ ବସତିର ସୁବିଧା କରିବା ତାଙ୍କର ମୂଳ ଲକ୍ଷ୍ୟ ।