ନୂଆଦିଲ୍ଲୀ: ସୋମବାର ଦିନ ସୁପ୍ରିମକୋର୍ଟ ଜନୈକ ସୂଚନା ଅଧିକାର କର୍ମୀଙ୍କ ଅଗ୍ରୀମ ଜାମିନ ଆବେଦନର ଶୁଣାଣୀ କରି ରାଇଟ୍ ଟୁ ଇନଫରମେସନ୍ (RTI) ଆକ୍ଟିଭିଜମ୍ ଏକ ନୂଆ ବ୍ୟବସାୟ ପାଲଟିଛି ବୋଲି ଟିପ୍ପଣୀ କରିଛନ୍ତି । ସୂଚନା ଅଧିକାର କର୍ମୀମାନେ ମହତ ଉଦ୍ଦେଶ୍ୟରେ ଆସିଥିବା ଆରଟିଆଇ ଆଇନକୁ ନିଜ ଲାଭ ପାଇଁ ମାଧ୍ୟମ କରିଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କୋର୍ଟ । ଏକ ମାମଲାର ଶୁଣାଣି ସମୟରେ ଏହା ସହିତ ସଂପୃକ୍ତ ଆରଟିଆଇ କର୍ମୀ ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ଅଗ୍ରିମ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି । ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜଣେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ନେଇ ଅଭିଯୋଗ ଥିଲା। ।
ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଏକ ବେଞ୍ଚ୍ RTI ଆକ୍ଟିଭିଷ୍ଟ ରାକେଶ କୁମାର ବେହଲ୍ ଏବଂ ତାଙ୍କ ସହଯୋଗୀଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିବା ସହିତ ସଡ଼କ ନିର୍ମାଣ କାର୍ଯ୍ୟର ତଦାରଖ କରିବା ପାଇଁ ସେମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଜଷ୍ଟିସ ମେହେଟ୍ଟା ମନ୍ତବ୍ୟ ଦେଇଛନ୍ତି ଯେ, "RTI ଆକ୍ଟିଭିଜମ୍ ଏକ ନୂଆ ବ୍ୟବସାୟ ପାଲଟିଛି । କେନ୍ଦ୍ର ସରକାର ପାଣ୍ଠି ଜାରି କରିଛନ୍ତି, ସଡ଼କ ନିର୍ମାଣର ତଦାରଖ ସରକାର କରିବେ । ଆପଣ କେହି ନୁହଁନ୍ତି । ତଥାକଥିତ RTI ଆକ୍ଟିଭିଷ୍ଟ! ପୀତ ସାମ୍ବାଦିକତା । ଖାରଜ କରାଗଲା ।"
ଜଷ୍ଟିସ ମେହେଟ୍ଟାଙ୍କ ମତ ସହ ସହମତ ହୋଇ ଜଷ୍ଟିସ ବିଷ୍ଣୋଇ କହିଛନ୍ତି, "ଏହିସବୁ ସଡ଼କ ନିର୍ମାଣର ତଦାରଖ କରିବା ପାଇଁ ଆପଣ କିଏ? ଆପଣ କୌଣସି ବରିଷ୍ଠ କର୍ତ୍ତୃପକ୍ଷ କିମ୍ବା ଆଉ କଣ?" ବେହଲ୍ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ତାଙ୍କୁ ଅଗ୍ରିମ ଜାମିନ ଦେବାକୁ ମନା କରାଯାଇଥିଲା ।
ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ସେମାନଙ୍କୁ ଏହି ମାମଲାରେ ମିଛରେ ଫସାଇ ଦିଆଯାଇଛି, କାରଣ ସେମାନେ ସଡ଼କ ନିର୍ମାଣ କାର୍ଯ୍ୟରେ ଜଡ଼ିତ ଦୁର୍ନୀତିକୁ ସାମ୍ନାକୁ ଆଣିଥିଲେ ।
ଏଫଆଇଆର ଅନୁଯାୟୀ, ବେହଲ୍ ଅନ୍ୟ ଜଣେ ଅଭିଯୁକ୍ତ ରାଜୀବ କୁମାର ଓରଫ୍ ମିଣ୍ଟୁଙ୍କ ସହ ମିଶି ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ବଟାଲାରେ ଚାଲିଥିବା ସଡ଼କ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି ଏବଂ ଅଭିଯୋଗକାରୀ, ଯାହାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ ସମ୍ପାଦିତ ହେଉଥିଲା, ଏବଂ ସେଠାରେ ଉପସ୍ଥିତ ଥିବା ଶ୍ରମିକମାନଙ୍କୁ ମଧ୍ୟ ଭୟଭୀତ କରାଇଥିଲେ ।
ସେମାନେ ଶ୍ରମିକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ମଧ୍ୟ ବ୍ୟବହାର କରିଥିଲେ ଏବଂ ଅଭିଯୋଗକାରୀଙ୍କୁ ଆହତ କରିଥିଲେ । ସେମାନଙ୍କ ବିରୋଧରେ BNS, ୨୦୨୩ ର ଧାରା ୩୦୪(୨), ୧୩୨, ୨୨୧, ୧୨୧(୧), ୩୫୧(୨), ୩୫୧(୩), (BNS, ୨୦୨୩ ର ଧାରା ୩(୫), ୧୨୧(୨) ଏବଂ SC/ST ଆକ୍ଟର ଧାରା ୩(୧) ଅଧୀନରେ ଏକ ଏଫଆଇଆର ପଞ୍ଜିକୃତ କରାଯାଇଥିଲା ।
ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମେ ୧୪ ରେ ଦେଇଥିବା ନିଜ ଆଦେଶରେ କହିଛନ୍ତି ଯେ, ଏଫଆଇଆରରେ ଲଗାଯାଇଥିବା ଅଭିଯୋଗଗୁଡ଼ିକ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାରେ ନିର୍ଦ୍ଦିଷ୍ଟ ଏବଂ ପ୍ରତ୍ୟେକ୍ଷ ସଂପୃକ୍ତିକୁ ପ୍ରକାଶ କରୁଛି ଏବଂ ସେମାନଙ୍କୁ ଅଗ୍ରିମ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି ।
ଏହାସହ ପଢ଼ନ୍ତୁ : India Cricket Schedule June 17: ଗୋଟିଏ ଦିନରେ ଆଫଗାନିସ୍ତାନ ବିପକ୍ଷରେ ଦୁଇଟି ମ୍ୟାଚ ଖେଳିବ ଭାରତ