ମସ୍କୋ : ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପାଇଁ ରୁଷ୍ ପାଖରୁ ଆସିଛି ଭଲ ଖବର। ରୁଷ୍‌ ତାଲିବାନକୁ ଆତଙ୍କବାଦୀ ସଙ୍ଗଠନର ତାଲିକାରୁ ହଟେଇବାକୁ ନିଷ୍ପତ୍ତି ନେଇଛି। ରୁଷିଆ ନ୍ୟୁଜ୍‌ ଏଜେନ୍ସି ଟିଏଏସଏସ ରୁଷ୍‌ର ବିଦେଶ ମନ୍ତ୍ରଣାଳୟ ଅନୁସାରେ, ଏହି ସୂଚନା ଦେଇଛି। 

ମନ୍ତ୍ରଣାଳୟ କହିଛି ଯେ, ଏହି ନିଷ୍ପତ୍ତି ଉଚ୍ଚ ସ୍ତରରେ ନିଆଯାଇଛି। ଆଫଗାନିସ୍ତାନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱତନ୍ତ୍ର ପ୍ରତିନିଧି ଜମିର କାବୁଲୋଭଙ୍କ ଅନୁସାରେ, ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ଆଇନଗତ ପ୍ରକ୍ରିୟାର ପାଳନ କରାଯିବା ଉଚିତ୍‌। ଅଗଷ୍ଟ ୨୦୨୧ରେ ଆଫଗାନସ୍ତାନର କ୍ଷମତାକୁ ତାଲିବାନ କବଜା କରିବା ପରେ ,ରୁଷ୍‌ ଧିରେ ଧିରେ ତା ସହ ସମ୍ୱନ୍ଧ ମଜବୁତ କରିବାରେ ଲାଗିଛି। 

ପୁଟିନ୍‌ ଚଳିତ ବର୍ଷ ଜୁଲାଇରେ କହିଥିଲେ ଯେ, ରୁଷ୍‌ ଆଫଗାନିସ୍ତାନର ତାଲିବାନ ଆନ୍ଦୋଳନକୁ ଆତଙ୍କବାଦ ବିରୋଧରେ ଲଢେଇରେ ସହଯୋଗୀ ଭାବେ ମନେ କରିଛି। ହେଲେ ରୁଷ୍‌ରେ ଅଫିସିଆଲି ଭାବେ ଏବେ ମଧ୍ୟ ତାଲିବାନକୁ ବେଆଇନ୍‌ ସଙ୍ଗଠନର ତାଲିକାଭୁକ୍ତ କରାଯାଇଛି।

କୌଣସି ବି ଦେଶ ଔପଚାରିକତା ଭାବେ ତାଲିବାନକୁ ଦେଶର ବୈଧ ନେତୃତ୍ୱ ଭାବେ ମାନ୍ୟତା ଦେଇ ନାହିଁ। ହେଲେ ଚୀନ ଓ ୟୁଏଇ ଏହାର ରାଷ୍ଟ୍ରଦୂତଙ୍କୁ ସ୍ୱୀକାର କରିଛି। ମସ୍କୋ ୨୦୦୩ ମସିହାରେ ତାଲିବାନକୁ ଔପଚାରିକ ଭାବେ ଆତଙ୍କବାଦୀ ସଙ୍ଗଠନ ଘୋଷିତ କରିଥିଲା। ଏହାକୁ ହଟେଇବା ଆଫଗାନିସ୍ତାନ ସହ ସମ୍ୱନ୍ଧକୁ ସାଧାରଣ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ।  

ଶୁକ୍ରବାର ରୁଷ୍‌ର ରାଜଧାନୀରେ ଆଫଗାନିସ୍ତାନକୁ ନେଇ ମସ୍କୋ ଫର୍ମଟାର ବୈଠକ ଚାଲୁଛି। ଏଥିରେ ରୁଷ୍ ପକ୍ଷରୁ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଯୋଗ ଦେବେ। ଭାରତ ମଧ୍ୟ ଏହି ବୈଠକରେ ସାମିଲ ହୋଇଛି। ଭାରତର ପ୍ରତିନିଧିତ୍ୱ କରୁଛନ୍ତି ସଂଯୁକ୍ତ ସଚିବ ଜେପି ସିଂହ। ଜେପି ସିଂହ ଏହା ପୂର୍ବରୁ ଆଫଗାନିସ୍ତାନ ଗସ୍ତ କରି ତାଲିବାନ ନେତାଙ୍କ ସହ ସାକ୍ଷାତ କରି ସାରିଛନ୍ତି। 

ଶୁକ୍ରବାର ( ୪ ଅକ୍ଟୋବର) ରୁଷ୍‌ ପଶ୍ଚିମରୁ ଆଫଗାନିସ୍ତାନ ବିରୋଧରେ ପ୍ରତିବନ୍ଧକ ହଟେଇବାର ଅପିଲ କରିଛି। ରୁଷୀୟ ନ୍ୟୁଜ୍‌ ଏଜେନ୍ସି ସ୍ପୁଟନିକ ଏହି ବିଷୟରେ ସୂଚନା ଦେଇଛି। ସ୍ପୁଟନିକ ଅନୁସାରେ, ରୁଷୀୟ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଆମେରିକା ଦ୍ୱାରା ସିଜ୍ କରାଯାଇ ଥିବା ସଂପତ୍ତିକୁ ଫେରାଯିବା କଥା ମଧ୍ୟ କହିଛନ୍ତି। ଏହାସହ ହିଁ ରୁଷ୍‌ ଆଫଗାନିସ୍ତାନରେ ୩ୟ ଦେଶର ମିଲିଟାରୀ ଇନଫ୍ରାଷ୍ଟ୍ରକଚରର ମୁତୟନର ବିରୋଧ କରିଛି।