ନୂଆଦିଲ୍ଲୀ,୩୦।୧୦: ମିଶନ ସମୁଦ୍ରଯାନ । ପ୍ରଥମ ମାନବଯୁକ୍ତ ଗଭୀରସମୁଦ୍ର ମିଶନ । ଏହା ଜରିଆରେ ଇତିହାସ ସୃଷ୍ଟି କରିବ ଭାରତ । ଏହା ଅନ୍ତର୍ଗତ ମହାସାଗରର ୬ ହଜାର ମିଟର ଗଭୀରକୁ ୩ ଜଣ ଅନୁସନ୍ଧାନକାରୀ ଯାତ୍ରା କରିବେ । ଭାରତର ଏହି ଗଭୀର-ସମୁଦ୍ର ମିଶନ ଦାୟିତ୍ୱରେ ଅଛନ୍ତି ବୈଜ୍ଞାନିକ ଏସ୍ ରମେଶ । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସେ ମିଶନର ଅବଧି ଓ ସାମର୍ଥ୍ୟ ଆଦି ବିଷୟ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ମତ୍ସ୍ୟ-୬୦୦୦ ବୁଡ଼ାଜାହାଜ ମହାସାଗର ତଳକୁ ଯିବା ସହିତ ମିଶନ ପୂରଣ କରି ଫେରିବା ପର୍ଯ୍ୟନ୍ତ ୧୨ ଘଣ୍ଟା ରହିବା ପାଇଁ ସମୁଦ୍ରଯାନ ମିଶନକୁ ଡିଜାଇନ୍ କରାଯାଇଛି । ଏହି ୧୨ ଘଣ୍ଟାର ଅବଧିକୁ ଯାନର ସହନଶକ୍ତି ବୋଲି କୁହାଯାଏ ।
ଇତିମଧ୍ୟରେ ମହାସାଗର ତଳେ ଅନୁସନ୍ଧାନକାରୀଙ୍କୁ ସେମାନଙ୍କ ଅନୁସନ୍ଧାନ ଓ ଗବେଷଣା କାର୍ଯ୍ୟ ପରିଚାଳନା କରିବାରେ ଏହା ସାହାଯ୍ୟ କରିବ । ଆପାତକାଳ ସ୍ଥିତିରେ, ମତ୍ସ୍ୟ-୬୦୦୦ ଅନୁସନ୍ଧାନକାରୀଙ୍କୁ ଅତିରିକ୍ତ ୯୬ ଘଣ୍ଟା ପାଣି ତଳେ ରଖିପାରିବ । ଏଥିସହିତ ସମୁଦ୍ରଯାନର ମୋଟ୍ ଅବଧି ସାମର୍ଥ୍ୟ ୧୦୮ ଘଣ୍ଟାକୁ ବୃଦ୍ଧି ପାଉଛି । ଏହି ବର୍ଦ୍ଧିତ ସମାର୍ଥ୍ୟ ଅପ୍ରତ୍ୟାଶିତ ପରିସ୍ଥିତିରେ ଅନୁସନ୍ଧାନକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ । ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜି (ଏନ୍ଆଇଓଟି)ସମୁଦ୍ରଯାନ ମିଶନର ଡିଜାଇନ୍ ଦାୟିତ୍ୱ ହାତକୁ ନେଇଛି ।
ମତ୍ସ୍ୟ-୬୦୦୦ରେ ମୋଟ୍ ୧୦୮ ଘଣ୍ଟାର ମିଶନ୍ ନିମନ୍ତେ ସମସ୍ତ ଆବଶ୍ୟକ ପଦ୍ଧତି ରହିବ । ଏଥିରେ ଲାଇଫ୍ ସପୋର୍ଟ ସିଷ୍ଟମ୍, ବ୍ୟାଟେରୀ, ଯୋଗାଯୋଗ ସରଞ୍ଜାମ, ଖାଦ୍ୟ, ବର୍ଜ୍ୟ ପରିଚାଳନା, ଅମ୍ଳଜାନ ପ୍ରାବଧାନ ଓ ସିଓ୨ ସ୍କ୍ରବର୍ସ ରହିବ । ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭ୍ଲପ୍ମେଣ୍ଟ ଅର୍ଗାନାଇଜେସନ୍ (ଡିଆର୍ଡିଓ) ଦ୍ୱାରା ମିଶନ ପାଇଁ ଖାଦ୍ୟ ପ୍ରସ୍ତୁତ ହେବ । ଭାରତର ଅନୁସନ୍ଧାନମୂଳକ ଜାହାଜ ସାଗର ନିଧିରୁ ମତ୍ସ୍ୟ-୬୦୦୦ ଗଭୀର ସମୁଦ୍ରକୁ ପ୍ରବେଶ କରିବ । ସାଗର ନିଧି ଏହି ମିଶନ ନିମନ୍ତେ ପୃଷ୍ଠ ସମର୍ଥକ ଭାବେ କାମ କରିବ ।
ଏହି ମିଶନ ଜରିଆରେ ଗଭୀର-ସମୁଦ୍ର ଅନୁସନ୍ଧାନକାରୀ ଦେଶଙ୍କ ମଧ୍ୟରେ ସାମିଲ ହେବ ଭାରତ । ମତ୍ସ୍ୟ-୬୦୦୦ରେ ୨.୧ ମିଟର ବ୍ୟାସଯୁକ୍ତ ଏକ ଗୋଲାକାର ଢାଞ୍ଚା ରହିଛି, ଯାହା ଯାନକୁ ରୁଷ୍ର ମିର୍ ସିରିଜ୍, ଫ୍ରାନ୍ସର ନୌଟାଇଲ, ଜାପାନର ଶିଙ୍କାଇ ଓ ଚୀନ୍ର ଜିଆଓଲଙ୍ଗ୍ ଭଳି ଅନ୍ୟ ପ୍ରସିଦ୍ଧ ଗଭୀରସମୁଦ୍ରଯାନ ଶ୍ରେଣୀଭୁକ୍ତ କରିଛି । ଗଭୀର ସମୁଦ୍ରକୁ ୧୨ ଘଣ୍ଟିଆ ଯୁଗାନ୍ତକାରୀ ଯାତ୍ରା ପାଇଁ ଭାରତ ପ୍ରସ୍ତୁତ ହେଉଥିବାବେଳେ ଦେଶର ବୈଜ୍ଞାନିକ ସାମର୍ଥ୍ୟ ଏବଂ ଗଭୀର ସମୁଦ୍ରର ବିଶାଳ ରହସ୍ୟମୟ ଦୁନିଆକୁ ଭେଦ କରିବାର ଅଙ୍ଗୀକାରବଦ୍ଧତାକୁ ସମୁଦ୍ରଯାନ ମିଶନ ଆଗକୁ ବଢ଼ାଉଛି ।