ଭୁବନେଶ୍ୱର, ୧୩/୦୧ : ଘାଟିକିଆରୁ କଳିଙ୍ଗନଗର ରାସ୍ତାରେ ବାଲି ଗଦା। ରାସ୍ତାରେ ବାଲି ବିଞ୍ଚି ହୋଇ ପଡ଼ିଛି । ଗାଡ଼ି ବେଗ ଅଧିକ ଥିଲେ ଦୁର୍ଘଟଣା ନିଶ୍ଚିତ । ରାଜ୍ୟର ସବୁଠୁ ଭିଭିଆଇପି ରାସ୍ତା ଲୋକଭବନ (ରାଜଭବନ) ରାସ୍ତାର ସାମନ ଅବସ୍ଥା । ବାଲି ରାସ୍ତାରେ ଗଦା ହୋଇ ରହିଛି । ସହର ସାରା ବାଲି ଗଦା ଏବେ ମୃତ୍ୟୁର ଫାଶ ପକାଇଛି । ହେଲେ ବିଏମ୍‌ସିର ନିଘା ନାହିଁ । ନା ଫାଇନ୍‌ କରୁଛି, ନା ସଫେଇ ହେଉଛି । ପୁରୀ ଜାତୀୟ ରାଜପଥରେ ବାଲି ଗଦା ଯୋଗୁଁ ସାମ୍ବାଦିକା ଏବଂ ତାଙ୍କର ଜଣେ ବାନ୍ଧବୀଙ୍କ ଦୁର୍ଘଟଣାରେ ଜୀବନ ଗଲା ପରେ ପରିବହନ ବିଭାଗ ପକ୍ଷରୁ ବାଲି ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ରାଜପଥ, ଭୁବନେଶ୍ୱର ମହାନଗର ନିଗମକୁ ବାଲି ହଟାଇବାକୁ ଚିଠିରେ କୁହାଯାଇଛି। 

ସହର ଭିତର ରାସ୍ତାରେ ପଡ଼ିଥିବା ବାଲି ଓ ରାସ୍ତା କଡ଼ରେ ଗଦା ହୋଇଥିବା ବାଲି ଓ ଅନ୍ୟ ନିର୍ମାଣ ସାମଗ୍ରୀର ବାସ୍ତବ ସ୍ଥିତି ପରଖିଥିଲା ‘ପ୍ରମେୟ’ । ରଘୁନାଥପୁର ପଞ୍ଚାୟତ ଆରମ୍ଭରୁ ରାସ୍ତାର ଦୁଇ ପାର୍ଶ୍ୱରେ ବାଲି ଗଦା ହୋଇଛି। ନନ୍ଦନକାନନ-ବାରଙ୍ଗ ରାସ୍ତା ସାରା ବାଲି ବିଛେଇ ହୋଇ ପଡ଼ିଛି । ଏ ବାଲି ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପଡିଛି । ବାଲି ଯୋଗୁଁ ଗାଡ଼ି ଗୁଡ଼ିକ ଖସୁଛି । ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି । ହେଲେ ଏହି ରାସ୍ତାକୁ କିଏ ସଫେଇ କରିବ । ପଞ୍ଚାୟତ ଅଧିନରେ ଆସୁଥିବାରୁ ରାସ୍ତାରେ ବିଏମ୍‌ସି ହାତ ମାରୁନି । ଏହି ରାସ୍ତାରୁ ବାଲି କେମିତି ହଟିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନ୍‌ଏଚ୍‌-୧୬ ଜାତୀୟ ରାଜପଥ ପାହଳ-ହଂସପାଳ ରାସ୍ତା ଅବସ୍ଥା ନ କହିଲେ ଭଲ । ରାସ୍ତାରେ ଦୁଇ ପାର୍ଶ୍ୱରେ ବାଲି ଗଦା ହୋଇ ରହିଛି । ଏଠି ଦୁର୍ଘଟଣା ଅପେକ୍ଷା ପବନରେ ବାଲି ଉଡ଼ି ଆଖିରେ ପଡ଼ୁଛି । ଫଳରେ ଗାଡ଼ି ଚଳାଇ ଆସିବା କଷ୍ଟ ହେଉଛି । ବାଲିଅନ୍ତା ଅଞ୍ଚଳରୁ ଶହ ଶହ ବାଲି ଗାଡ଼ି ଏହି ରାସ୍ତା ଦେଇ ଯାଆସ ହେଉଛି । 

ୱାର୍ଡ ନଂ-୪ ପାହଳ-ଜୋହଳ, ନହରକଣ୍ଟାହରିଦାସପୁର-ନୂଆପାଟଣା, ପୁରୁଣା ଜଗନ୍ନାଥ ସଡ଼କ ରାସ୍ତାରେ ଏମିତି ବାଲି ବୋଝେଇ ଗାଡ଼ି ପ୍ରତିଦିନ ଯିବା ଆସିବା କରୁଛି । ବିଏମ୍‌ସି ପକ୍ଷରୁ ମେକାନିକାଲ ସୁଇପିଙ୍ଗ କରାଯାଉଛି । ହେଲେ ବାଲି ଯେମିତି ସେମିତି ପଡ଼ି ରହିଛି । ଏହା ବାଦ ସହର ଭିତରେ ନିର୍ମାଣ କାର୍ଯ୍ୟ ଚିନ୍ତା ବଢାଉଛି । ରାସ୍ତା କଡ଼ରେ ବାଲି ଗଦା କରୁଛନ୍ତି । ବାଲି ଗଡ଼ିଆସି ରାସ୍ତାରେ ପଡୁଛି । ପଞ୍ଚଶଖାନଗର ଅଞ୍ଚଳରେ ରାସ୍ତାରେ ଗୋଡ଼ି ଗଦା ହେବାରୁ ରାସ୍ତା ବନ୍ଦ ରହିଛି । ସହର ବିଭିନ୍ନ ବଡ଼ ବଡ଼ ଆପାର୍ଟମେଣ୍ଟ ନିର୍ମାଣକାରୀ ସଂସ୍ଥା ନିୟମକୁ ଭାଙ୍ଗୁଛନ୍ତି । ରାସ୍ତାରେ ବାଲି ଗଦା ହେଉଛି । ସରକାରୀ ସଂସ୍ଥା ବି କମରେ ନାହାନ୍ତି । ଠିକାଦାରମାନେ ବାଲି ଗଦା କରି ରଖୁଛନ୍ତି । ବିଏମ୍‌ସି ପକ୍ଷରୁ ଏହି ସବୁ ସଂସ୍ଥାରେ ଉପରେ ଚଢାଉ କରାଯାଉନି, କି ଫାଇନ୍‌ ଆଦାୟ ମଧ୍ୟ କରାଯାଉନି । ଏପରି କି ରାସ୍ତାରେ ସଫେଇ ଠିକ ଭାବରେ କରାଯାଉନଥିବାରୁ ବାଲି ଗଦା ହୋଇ ରହୁଛି । ଯାହା ଫଳରେ ସହର ଭିତରେ ବି ଦୁର୍ଘଟଣା ଘଟୁଛି । ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ନିର୍ଦ୍ଦେଶ ଆସିବା ପରେ ବାଲି ସଫା କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ଅଞ୍ଚଳରେ କେମିତି ରାସ୍ତାରୁ ବାଲି ସଫା ହେବ ତାହା ବ୍ଲକର ବିଡିଓମାନେ ବୁଝିବେ ।

ଏହି ଖବରଟିକୁ ପଢନ୍ତୁ- ପୁଣି ଚର୍ଚ୍ଚାରେ ଟୁଙ୍ଗୁରୁ ଭୋଳ, ଗ୍ୟାସ୍‌ ସିଲିଣ୍ଡର ଚୋରି କରି ଗଲେ ଜେଲ୍