ମୁମ୍ବାଇ ୨୫/୦୪: ସଂଜୟ ଲୀଲା ଭଂସାଲୀଙ୍କ ୱେବ୍ ସିରିଜ୍ ‘ହୀରାମଣ୍ଡି’କୁ ନେଇ ଏବେ ଚର୍ଚ୍ଚା । ଏହା ଜରିଆରେ ଡିଜିଟାଲ ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଭଂସାଲୀ । ଫିଲ୍ମର କାହାଣୀ ପାଇଁ ଭଂସାଲୀ ଯେତିକି ପରିଶ୍ରମ କରନ୍ତି,ସେଟ୍ ନିର୍ମାଣ, କଳାକାରଙ୍କ ଲୁକ୍, ପୋଷାକପତ୍ର ଓ ଗହଣାରେ ମଧ୍ୟ ସେତିକି ସମୟ ଦିଅନ୍ତି । ସବୁକିଛି ପର୍ଫେକ୍ଟ ନ ହେବା ପର୍ଯ୍ୟନ୍ତ ସେ ଶାନ୍ତିରେ ବସନ୍ତି ନାହିଁ କି ଟିମ୍କୁ ବସାଇ ଦିଅନ୍ତି ନାହିଁ । ‘ହୀରାମଣ୍ଡି’ ପାଇଁ ସେ ଅତି ଛୋଟ ଛୋଟ କଥାକୁ ବି ଧ୍ୟାନ ଦେଇଛନ୍ତି । ଶୋ’ର ଫାର୍ଷ୍ଟ ଲୁକ୍ରୁ ଏହା ବେଶ ଭଲଭାବେ ଜଣାପଡ଼ିଛି ।
ଫିଲ୍ମରେ ଭଂସାଲୀ ଯେଉଁଭଳି ଭାବେ ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ ପରଦାରେ ଉତାରିବାକୁ ଚେଷ୍ଟା କରନ୍ତି, ଦର୍ଶକଙ୍କ ମୁହଁରୁ ଆପଣାଛାଏଁ ଭବ୍ୟ ଶବ୍ଦ ବାହାରିଆସେ । ‘ହୀରାମଣ୍ଡି’ ମାମଲାରେ ଭଂସାଲୀ ନିଜ ସୀମାଠୁ ବି ଟପିଯାଇଛନ୍ତି ।
ସେ କହିଛନ୍ତି, ଏହାର ସେଟ୍ ତାଙ୍କ ଜୀବନର ସବୁଠୁ ବଡ଼ ସେଟ୍ । ଏକ ସାକ୍ଷାତକାରରେ ସେ ‘ହୀରାମଣ୍ଡି’ର ସେଟ୍ ବିଷୟରେ ଅନେକ ମଜାଦାର ତଥ୍ୟ ଦେଇଛନ୍ତି । ସେଟ୍ର ଅବଧାରଣା ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ୧୮ ବର୍ଷ ସମୟ ଲାଗିଛି । ଏହି ସେଟ୍ରେ ମଲ୍ଲିକାଜାନ୍ (ମନୀଷା କୋଇରାଲା)ଙ୍କ ପ୍ରାସାଦ ରହିଛି, ଯିଏ ‘ହୀରାମଣ୍ଡି’ର ସବୁଠୁ ପ୍ରଭାବଶାଳୀ ବେଶ୍ୟା । ତାଙ୍କୁ ଟକ୍କର ଦେଉଥିବା ଫରୀଦନ (ସୋନାକ୍ଷୀ ସିହ୍ନା)ଙ୍କ ଗ୍ରାଣ୍ଡ୍ କ୍ୱାର୍ଟର ମଧ୍ୟ ଏଥିରେ ସାମିଲ ।
ସେଟ୍ରେ ଏକ ବଡ଼ ଧଳା ମସ୍ଜିଦ ଓ ବିଶାଳ ହଲ୍ ରହିଛି, ଯେଉଁଠି ଅନେକ ସୁନ୍ଦର ଜଳ ଫୁଆରା ରହିଛି । ଏହି ସେଟ୍କୁ ପ୍ରାୟ ୭୦୦ କାରିଗର ପ୍ରସ୍ତୁତ କରିଛନ୍ତି । ଏଥିରେ ଦୋକାନ କୋଠା ଓ ହମାମ ବି ଅଛି । ଭଂସାଲୀଙ୍କ ଦୂରଦୃଷ୍ଟିରେ ନିର୍ମିତ ଏହି ସେଟ୍ରେ ଲାଗିଥିବା ଝୁମର୍ ଓ କାଠ କବାଟ ହାତରେ ତିଆରି ହୋଇଛି । ୧୯୩୦-୪୦ ଦଶକର କାଠ ସାମଗ୍ରୀ ବି ସେଟ୍ରେ ଅଛି । ଏହାକୁ ଅହମଦାବାଦର ଏକ ଆଣ୍ଟିକ୍ ଦୋକାନରୁ କିଣାଯାଇଛି ।
ଭଂସାଲୀ କହିଛନ୍ତି, ଭଲ ସେଟ୍ ନିର୍ମାଣ ଲାଗି ଦାୟିତ୍ୱ ଓ ଭଲପାଇବା ଜରୁରି । ଆସନ୍ତା ମେ’ ୧ ତାରିଖରେ ନେଟ୍ଫ୍ଲିକ୍ସରେ ମୁକ୍ତିଲାଭ କରିବ ‘ହୀରାମଣ୍ଡି’ । ଏଥିରେ ମନୀଷା ଓ ସୋନାକ୍ଷୀଙ୍କ ସହିତ ଅଦିତି ରାଓ ହୈଦରୀ, ସଂଜୀଦା ଶେଖ୍, ଋଚା ଚଡ୍ଢା, ଫରଦୀନ ଖାନ ଓ ଶେଖର ସୁମନ ଅଭିନୟ କରିଛନ୍ତି । ୧୯୪୦ ମସିହାର କୋଠା ପ୍ରଥା ଏଥିରେ ପ୍ରଦର୍ଶିତ ହୋଇଛି ।