ଭାରତୀୟମାନେ ଖୁସିରେ ରହୁନାହାନ୍ତି । ବେଦ,  ଉପନିଷଦ, ଶାସ୍ତ୍ର ଆଦିର ଗନ୍ତାଘର କୁହାଯାଉଥିବା  ଭାରତରେ ମଣିଷ ସୁଖ, ଶାନ୍ତି ଓ ଖୁସିରେ ରହିବା ପାଇଁ ଅନେକ  ପରାମର୍ଶ ଓ ମାର୍ଗ ରହିଛି । ଅନେକ ଟିଭି ଚ୍ୟାନେଲ ଦିନରାତି ଏ  ସମ୍ପର୍କିତ ଜ୍ଞାନ ପ୍ରସାରଣ କରୁଥିବା ବେଳେ ଅନେକ ଧର୍ମଗୁରୁ ଓ  ପ୍ରବଚକ ଜ୍ଞାନ ବାଣ୍ଟିବାଣ୍ଟି ଥକିପଡୁଥିବା ବେଳେ ଭାରତୀୟମାନେ  କିନ୍ତୁ ଖୁସିରେ ରହିବା ବଦଳରେ ଦୁଃଖ ଓ ଉଦାସରେ ରହୁଛନ୍ତି ।  

ଦୈନନ୍ଦିନ ଜୀବନରେ ସେମାନେ କ୍ରମଶଃ ଅଧିକ ଚାପଗ୍ରସ୍ତ ଓ  ଚିନ୍ତାଗ୍ରସ୍ତ ଜୀବନ ବିତାଇବାରେ ଲାଗିଛନ୍ତି । ସେମାନଙ୍କ ଆଶା,  ଆକାଂକ୍ଷା ପୂର୍ଣ୍ଣ ହୋଇପାରୁନାହିଁ ଓ ଯାହାବି ପ୍ରାପ୍ତ ହେଉଛି  ତାହା ସେମାନଙ୍କୁ ଖୁସି କରିପାରୁନାହିଁ । ମିଳିତ ଜାତିସଂଘର  ସଷ୍ଟେନବଲ ଡେଭେଲପମେଣ୍ଟ ସଲ୍ୟୁସନ ନେଟୱର୍କ ପକ୍ଷରୁ  ବିଶ୍ୱର ପ୍ରାୟ ସବୁ ରାଷ୍ଟ୍ରର ନାଗରିକଙ୍କ ମତାମତକୁ ଭିତ୍ତିକରି  ପ୍ରତିବର୍ଷ ଖୁସି ଦେଶର ତାଲିକା ପ୍ରସ୍ତୁତ କରାଯାଏ । ୨୦୨୧ରୁ  ୨୦୨୩ ତିନି ବର୍ଷକୁ ହିସାବକୁ ନିଆଯାଇ ହାରାହାରି ଭାବେ ଖୁସି  ଦେଶ ତାଲିକା ୨୦୨୪ ପ୍ରକାଶ ପାଇଛି । ଏଥିରେ ୧୫୦ଟି ଦେଶର  ଜନସାଧାରଣଙ୍କ ମତାମତ ସଂଗ୍ରହ କରାଯାଇଥିଲା ଯେଉଁଥିରେ  ଭାରତର ସ୍ଥାନ ୧୨୬ ରହିଛି। ତେବେ ପ୍ରଗତି ଓ ବିକାଶର  ଧାରାରେ ଆଗକୁ ବଢୁଥିବା ଭାରତ ନିଜର କିଛି ପଡ଼ୋଶୀ  ଦେଶମାନଙ୍କ ଠାରୁ ଏହି ତାଲିକାରେ ତଳେ ରହିଥିବା ବେଳେ  ଆଉ କିଛି ପଡ଼ୋଶୀ ଦେଶଠାରୁ ଅଳ୍ପ କିଛି ଉପରେ ରହିଛି ।  

ଭାରତ ଉପରେ ଥିବା ପଡ଼ୋଶୀ ଦେଶ ପାକିସ୍ତାନ ୧୦୮ ସ୍ଥାନରେ  ଥିବାବେଳେ ଚୀନ ୬୦ତମ ସ୍ଥାନରେ ଓ ନେପାଳ ୯୩ତମ  ସ୍ଥାନରେ ରହିଛି । ଭାରତ ତଳେ ଥିବା ପଡ଼ୋଶୀ ଦେଶ ଶ୍ରୀଲଙ୍କା  ୧୨୮ ଓ ବଙ୍ଗଳାଦେଶ ୧୨୯ତମ ସ୍ଥାନରେ ରହିଛି । ଜିଡିପି,  ସାମାଜିକ ସହାୟତା, ବ୍ୟକ୍ତିଗତ ସ୍ୱାଧୀନତା ଓ ଦୁର୍ନୀତିର ସ୍ତରକୁ  ଆଧାର କରି ଏହି ଖୁସି ଦେଶର ତାଲିକା ପ୍ରସ୍ତୁତ କରାଯାଇଛି ।  ଏଥିରେ ସମାଜରେ ସୁଶାସନ, ବ୍ୟକ୍ତି ସ୍ୱତନ୍ତ୍ରତା, ଉଦାରତା,  ମୁଣ୍ଡପିଛା ଆୟ, ସ୍ୱାସ୍ଥ୍ୟ, ବଞ୍ଚିବାର ସମୟ, ଦୀର୍ଘଜୀବନର  ପ୍ରତ୍ୟାଶା ଆଦି ବିଷୟ ମଧ୍ୟ ସ୍ଥାନ ପାଇଥାଏ । ଆମର ସାମାଜିକ  ଜୀବନଶୈଳୀ କିପରି ରହୁଛି । ଆମେ ଅନ୍ୟକୁ କେତେ ଭରସା  ଓ ବିଶ୍ୱାସକୁ ନେଉଛୁ । ଅନ୍ୟର ଅସୁବିଧାରେ ଆମେ ସେମାନଙ୍କୁ  କିପରି ସହଯୋଗ କରିପାରୁଛୁ, ସେମାନଙ୍କ ଅସହାୟତାରେ  କିପରି ସହାୟତାର ହାତ ବଢ଼ାଉଛୁ । ଆମର ଶାରୀରିକ ଓ  ମାନସିକ ସୁସ୍ଥତା କେତେ ଯାହାକି ଆମର ଆୟୁଷକୁ ନିର୍ଦ୍ଧାରଣ  କରୁଛି । ଆପଣ ଆପଣଙ୍କ ଜୀବନ ଯାପନରେ ପାଉଥିବା  ସ୍ୱାଧୀନତାରେ ଖୁସି କି । ଜାତି, ଲିଙ୍ଗ, ଜାତୀୟତା, ଭାଷା, ଧର୍ମ  ନିର୍ବିଶେଷରେ ଆପଣ ପାଉଥିବା ମାନବିକ ଅଧିକାରରେ ସନ୍ତୁଷ୍ଟ  କି । କାରଣ ଏସବୁ ଆମର ଆଚାର, ବ୍ୟବହାର ଓ ଚଳଣିକୁ  ପ୍ରଭାବିତ କରେ । ମାନସିକ ଓ ଶାରୀରିକ ସୁସ୍ଥତା ହେଉଛି ଖୁସି  ଜୀବନର ଏକ ପ୍ରଧାନ ମାପକାଠି । 

ୟୁରୋପର ଅଧିକାଂଶ ରାଷ୍ଟ୍ର ପ୍ରଥମ ୨୦ଟି ସର୍ବାଧିକ ଖୁସି  ରାଷ୍ଟ୍ର ତାଲିକାରେ ଗତ ପାଞ୍ଚବର୍ଷ ଧରି ନିଜର ସ୍ଥିତି ମଜଭୁତ  ରଖୁଥିବା ବେଳେ ଭାରତ ଅନୁରୂପ ଭାବେ ତଳ ଆଡୁ ସର୍ବାଧିକ  ୨୦ ଅଖୁସି ରାଷ୍ଟ୍ର ତାଲିକାରେ ନିଜର ସ୍ଥାନ ସୁରକ୍ଷିତ ରଖିପାରୁଛି ।  କରୋନା ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥା  ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି । ବେରୋଜଗାରୀ ବଢ଼ିଛି, ଦରବୃଦ୍ଧି  ସାଙ୍ଗକୁ ସାମାଜିକ ସ୍ତରରେ ଅନେକ ପରିବର୍ତ୍ତନ ଘଟିଛି ।  ତେବେ ଭାରତୀୟମାନେ ଖୁସି ହାଇପାରୁନାହାନ୍ତି କାହିଁକି?  ସେମାନଙ୍କ ଉଦାସପଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଦୁର୍ବଳ ଅର୍ଥନୈତିକ ସ୍ଥିତି, ନିମ୍ନମୁଖି ଜିଡିପି, ମାତ୍ରାଧିକ  ଦରବୃଦ୍ଧି, ବେରୋଜଗାରୀ ବୃଦ୍ଧି ଆଦି ଜଣେ ନାଗରିକକୁ ଅସୁଖୀ  ଓ ଉଦାସ ରଖିବାକୁ ଯଥେଷ୍ଟ ହୋଇପାରେ, ମାତ୍ର ଆମ ପଡ଼ୋଶୀ  ରାଷ୍ଟ୍ର ପାକିସ୍ତାନ, ନେପାଳ ରାଷ୍ଟ୍ରଗୁଡ଼ିକ ଦୁର୍ବଳ ଅର୍ଥନୈତିକ  ସ୍ଥିତିରେ ଥିବା ସତ୍ତେ୍ୱ ସେମାନେ ଆମଠାରୁ ଅଧିକ ଖୁସି କାହିଁକି ।  କ’ଣ ପାଇଁ ଆମେ ଭାରତୀୟମାନେ ଖୁସିରେ ରହିପାରୁନେ ।  

ଉଦାସପଣ ଆମ ଜୀବନକୁ କବଳିତ କରିଚାଲିଛି । କୁହାଯାଏ,  ଜୀବନ ଯେଉଁଭଳି ଭାବେ ଆମ ସାମନାକୁ ଆସୁଛି, ସେଇଭଳି  ଭାବେ ଆମେ ତାକୁ ଗ୍ରହଣ କରିନେଲେ ଜୀବନ ଖୁସିରେ  ଭରିଉଠନ୍ତା, ଦୁଃଖ ଯନ୍ତ୍ରଣା ଦୂର ହୁଅନ୍ତା । ଆମ ଚାରିପାଖରେ  ଅନେକ ମଣିଷ ଅଛନ୍ତି । ଆମେ ତାଙ୍କ ସହ କିପରି ସମ୍ପର୍କ  ରଖିପାରୁଛେ, ତାହା ଦେଖିବାର କଥା । ଦୈନଦିନ ଜୀବନରେ  ଆମେ ବାହାର ଦୁନିଆ ସହ କିପରି ବ୍ୟବହାର ରଖୁଛେ ତାହା  ମଧ୍ୟ ବିଚାର କରିବାର କଥା । ଅନ୍ୟକୁ ସହଯୋଗ କରିବା, ବିପଦ  ଆପଦରେ ସହାୟ ହେବା ଆଦି ପ୍ରବୃତ୍ତି ମଣିଷକୁ ଖୁସି ରଖେ ।  

ଏହାଦ୍ୱାରା ନିଜ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟିହୁଏ  ଓ ସାମାଜିକ ଦୃଢତାକୁ ପ୍ରୋତ୍ସାହିତ କରେ । ଏଠାରେ କେବଳ  ଆର୍ଥିକ ସହାୟତାକୁ ଇଙ୍ଗିତ କରାଯାଉନାହିଁ, ଏଠାରେ ସମୟ,  ଶକ୍ତି ଓ ଭାବନାର ସହଯୋଗ କଥା କୁହାଯାଉଛି । ଚାରିପାଖର  ମଣିଷ ଓ ଦୈନଦିନ ଜୀବନରେ ଭେଟୁଥିବା ମଣିଷଙ୍କୁ ନିଜର  ଭାବିବା, ସେମାନଙ୍କ ପ୍ରତି ଦୟା, କ୍ଷମା, ଆଦର ଓ ଭଲପାଇବାରେ  ମନକୁ ଅଫୁରନ୍ତ ଆନନ୍ଦ ମିଳିଥାଏ । ନିଜକୁ ଖୁସିରେ ରଖିବାକୁ  ହେଲେ ଆମ ଚତୁଃପାଶ୍ୱର୍କୁ ମଧ୍ୟ ଖୁସିରେ ରଖିବାକୁ ଯତ୍ନବାନ  ହେବାକୁ ପଡ଼ିବ । ସମ୍ପର୍କ ସ୍ଥାପନ ଓ ତାର ଅଭିବୃଦ୍ଧି ଖୁସିପ୍ରାପ୍ତିର  ଏକ ମୁଖ୍ୟ ଅଂଶ । ଯେଉଁ ମଣିଷର ସାମାଜିକ ସମ୍ପର୍କ ଯେତେ  ଦୃଢ଼, ସେହି ମଣିଷ ସେତେ ଖୁସି ଓ ସେତେ ଆନନ୍ଦ ପାଇଥାଏ ।  ପରିବାର ସଦସ୍ୟ, ପାଖପଡ଼ୋଶୀ, କର୍ମ ସଂସ୍ଥାନରେ ଆସୁଥିବା  ସହକର୍ମୀ ଓ ବନ୍ଧୁ ପରିଜନଙ୍କ ସହ ସୁସମ୍ପର୍କ ମଣିଷକୁ ଦୀର୍ଘ  ଓ ନିରାମୟ ଜୀବନ ପ୍ରଦାନ କରେ । ପରସ୍ପର ପ୍ରତି ସଦିଛା  ଓ ସହାନୁଭୂତି ଜୀବନକୁ ଖୁସିରେ ଭରିଦିଏ । ଶରୀର ଓ ମନ  ମଧ୍ୟରେ ସନ୍ତୁଳନ ଖୁସିର ଅନ୍ୟତମ କାରଣ । 

ଶାରୀରିକ ସ୍ତରରେ  କର୍ମଠ, କ୍ରିୟାଶୀଳତା ମନକୁ ପ୍ରଭାବିତ କରେ, ପ୍ରଫୁଲ୍ଲ ରଖେ ।  ଉଦାସପଣକୁ ଦୂର କରେ । ଶରୀରକୁ ସୁସ୍ଥ ରଖିବା ପ୍ରତ୍ୟେକ  ମଣିଷର ନୈତିକ ଦାୟିତ୍ୱ । ସନ୍ତୁଳିତ ଆହାର, ନିୟମିତ କର୍ମ  ଓ ବ୍ୟାୟାମ ଯୋଗୁଁ ଏହା ସମ୍ଭବ ଓ ପ୍ରତିଦାନରେ ଉଭୟ ମନ  ଓ ଶରୀର ସୁସ୍ଥ ଓ ସତେଜ ରହେ । ଅଧ୍ୟାତ୍ମିକତାକୁ ଜୀବନରେ  ଧାରଣ କଲେ ମନକୁ ସନ୍ତୋଷ ପ୍ରଦାନ କରେ । ଈଶ୍ୱରଙ୍କର  ଆମେ ସମସ୍ତେ ସନ୍ତାନ । ସେଥିପାଇଁ ଆମେ ସମସ୍ତେ ଈଶ୍ୱରଙ୍କ  ନିକଟରେ ସମାନ । ସାନ-ବଡ଼, ଉଚ୍ଚ-ନୀଚ, ଧନୀ-ଗରିବ  ଈଶ୍ୱରଙ୍କ ନିକଟରେ ମୂଲ୍ୟହୀନ । ଭବିଷ୍ୟତକୁ ନେଇ ସବୁବେଳେ ଶୁଭଚିନ୍ତା କରିବା  ଖୁସି ଜୀବନର ଅନ୍ୟ ଏକ ସୂତ୍ର ଅଟେ । ଭବିଷ୍ୟତକୁ ନେଇ  ଅନିଶ୍ଚିତତା ପ୍ରକାଶ କରିବା, ଅଯଥା ଆଶଙ୍କିତ ବା ଆତଙ୍କିତ  ହେବା ଉଦାସ ହେବାର ଲକ୍ଷଣ ଅଟେ । 

ଭବିଷ୍ୟତରେ ଯେତେ  ଝଡ଼ଝଞ୍ଜା ଆସୁ ବା ବିପଦ ଆସୁ, ସେସବୁର ସଫଳ ମୁକାବିଲା  କରି ଆଗକୁ ବଢ଼ିବା ହେଉଛି ସଫଳ ଜୀବନର ମୁଖ୍ୟ ସୂତ୍ର ।  ଏଥିରୁ ବିଚ୍ୟୁତ ହେଲେ ମନ ବିଷାଦଗ୍ରସ୍ତ ହେବା ସହ ଜୀବନ  ଦୁର୍ବିସହ ହୋଇଉଠେ । ଆମର ପ୍ରତ୍ୟେକଙ୍କ ଜୀବନରେ  ଦୁଃଖ, ଚାପ, ଯନ୍ତ୍ରଣା, କ୍ଷତି ଆସିଥାଏ । ମାତ୍ର ଏହାକୁ କିଏ  କେଉଁପରି ଭାବରେ ସମ୍ମୁଖୀନ ହେଉଛି ତାହା ଦେଖିବାର କଥା ।  ଆଜି ଯାହା ଅଛି, ତାହା କାଲି ନଥାଇପାରେ ବା ତାହା ନିଶ୍ଚିତ  ଦୂର ହୋଇଯିବ । ତେଣୁ ସ୍ଥିତପ୍ରଜ୍ଞ ଭାବେ ସୁଖରେ ଆତ୍ମହରା  ଓ ଦୁଃଖରେ ଭାଙ୍ଗିପଡିବା ବିଜ୍ଞ ଲୋକଙ୍କ ପରିଚୟ ନୁହେଁ ।  ବାସ୍ତବତାକୁ ସ୍ୱୀକାର କରିବାରେ ଖୁସି ମିଳିଥାଏ । ସତ୍ୟ ଓ  ସାଧୁତା ଏହାର ବାହ୍ୟ ଆବରଣ ଅଟେ । ଏ ଦୁନିଆରେ କେହି  ସ୍ୱୟଂସମ୍ପୂର୍ଣ୍ଣ ନୁହନ୍ତି । ତେଣୁ ନିଜକୁ ଓ ଅନ୍ୟକୁ ସହଜରେ ସ୍ୱୀକାର  କରିବା ସହ ସାହସର ସହ ନିଜର ଦୋଷ ତ୍ରୁଟିକୁ ସ୍ୱୀକାର କରିବା  ସହ ଅନ୍ୟପ୍ରତି ସହାନୁଭୂତିଶୀଳ ହେବା ଜଣେ ଖୁସିଲୋକର  ଚରିତ୍ର ଅଟେ । 

ଭାରତ ଉଦାସ ରହିବା ପଛରେ ଉପରୋକ୍ତ ଗୁଣସମୂହର  ଅଭାବ ଯେତିକି ଦାୟୀ ସେତିକି ଦାୟୀ ଦେଶରେ ବୃଦ୍ଧି  ପାଉଥିବା ଭ୍ରଷ୍ଟାଚାର, ଅଭିବ୍ୟକ୍ତି ସ୍ୱାଧୀନତାରେ ଅଙ୍କୁଶ ଓ  ଧର୍ମୀୟ ଅସହିଷ୍ଣୁତା । ସର୍ବାଧିକ ଖୁସି ଦେଶଭାବେ ଘୋଷିତ  ଫିନଲ୍ୟାଣ୍ଡରେ ଭ୍ରଷ୍ଟାଚାରହୀନ ସୁଶାସନ ବ୍ୟବସ୍ଥା ସହ ମୁକ୍ତ  ଚିକିତ୍ସା ସୁବିଧା ସେ ଦେଶର ଲୋକଙ୍କୁ ଖୁସିରେ ରଖିପାରୁଛି ।  ଉନ୍ନତ ସାମାଜିକ ସ୍ଥିତି, ଭାଇଚାରା ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଶୈଳୀ ସେମାନଙ୍କ ଖୁସିର ମୁଖ୍ୟ ଉତ୍ସ । 

ଭାରତ ରାତାରାତି  ଫିନଲ୍ୟାଣ୍ଡ ଭଳି ହୋଇପାରିବ ନାହିଁ । ତଥାପି ଆଶା ରହିଛି,  ଆମେ ଫିନଲ୍ୟାଣ୍ଡ ଭଳି ସାମାଜିକ ସ୍ତରରେ ଓ ପ୍ରଶାସନିକ  ସ୍ତରରେ ପରିବର୍ତ୍ତନ ଆଣି ସାଧାରଣ ଜନତାଙ୍କୁ ଉଦାସପଣରୁ  ମୁକ୍ତି ଦେଇପାରିବା । ପୁଳାପୁଳା ଟଙ୍କା ରୋଜଗାର, ବିଳାସପୂର୍ଣ୍ଣ  ଜୀବନଶୈଳୀ ଓ ପକେଟରେ ଏକାଧିକ କ୍ରେଡିଟ କାର୍ଡ ରଖିଲେ  ଯଦି ଖୁସି ମିଳେ ବୋଲି ଆମେ ଭାବୁଥିବା, ତେବେ ତାହା ସମ୍ପୂର୍ଣ୍ଣ  ଭୁଲ୍‌ । ଆବଶ୍ୟକତା ଓ ବିଳାସତା ମଧ୍ୟରେ ଫରକକୁ ବୁଝିବା  ଆବଶ୍ୟକ । ଉଦାରତା, ସତ୍ୟ, ଅହିଂସା ଭଳି ମୂଲ୍ୟବୋଧକୁ ବୁଝି  ସନ୍ତୋଷପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଭାରତ ଯତ୍ନବାନ  ହେବା ଆବଶ୍ୟକ । ତାହେଲେ "ସନ୍ତୋଷ ପରମ ସୁଖମ'  ନୀତିରେ ବିଶ୍ୱାସ ରଖୁଥିବା ଭାରତୀୟମାନେ ଖୁସି ସୂଚକାଙ୍କରେ  ଉପରକୁ ଉଠିପାରିବେ