ବନ୍ତଳା,୦୪/୦୧: ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋର୍ଦାର ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ରୁ ୯ ତାରିଖ, ୧୭ ଓ ୧୮ ତାରିଖରେ ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକଙ୍କୁ ବୋଟିଂ ଉପରେ କଟକଣା କରାଯାଇଛି । ସାତକୋଶିଆରେ ମହାନଦୀର ବିଭିନ୍ନ ସ୍ଥାନରେ ହେବାକୁ ଥିବା ପକ୍ଷୀ ଓ କୁମ୍ଭୀର ଗଣନା ସମ୍ପର୍କରେ ନିୟୋଜିତ କର୍ମଚାରୀଙ୍କୁ ତାଲିମ୍ ଦିଆଯାଇଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଡା. ସରୋଜ ପଣ୍ଡା ସୂଚନା ଦେଇଛନ୍ତି । ଏଥିଲାଗି ବନ କର୍ମଚାରୀଙ୍କୁ ନେଇ ୧୪ଟି ୟୁନିଟ୍ ଗଠନ କରାଯାଇଛି । ପ୍ରତି ୟୁନିଟ୍ରେ ୫ ଜଣ ଲେଖାଏଁ ସଦସ୍ୟ ରହିବେ । ଗଣନାରେ ୧୨ଟି ଦେଶୀ ଡଙ୍ଗା ଓ ୨ଟି ବୋଟ୍ ପ୍ରସ୍ତୁତ କରଯାଇଥିବା ବନଖଣ୍ଡ ଅଧିକାରୀ ଡ. ପଣ୍ଡା ପ୍ରକାଶ କରିଛନ୍ତି ।
୫ ତାରିଖ ଅପରାହ୍ନ ୨ଟାରୁ ୯ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡରେ ବୋଟିଂ ଉପରେ କଟକଣା କରାଯାଇଛି । ୬, ୭ ଓ ୮ ତାରିଖ ତିନି ଦିନ ଧରି କୁମ୍ଭୀର ଗଣନା, ୧୮ ତାରିଖରେ ପକ୍ଷୀ ଗଣନା କରାଯିବ । ପକ୍ଷୀ ଗଣନା ଗୋଟିଏ ଦିନ ହେଉଥିଲେ ମଧ୍ୟ ପୂର୍ବଦିନ, ଅର୍ଥାତ୍ ଆସନ୍ତା ୧୭ ତାରିଖରେ ଟିକରପଡ଼ା ବନ୍ଦ ରହିବ । ପକ୍ଷୀ ଓ କୁମ୍ଭୀର ଗଣନା ସମୟରେ ସ୍ଥାନୀୟ ମାଛ ଧରାଳିଙ୍କୁ ନଦୀକୁ ଯିବାକୁ ବାରଣ କରାଯାଇଛି । ଟିକରପଡାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ସେହିପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା, ଲୁଣାହାଣ୍ଡି, ବେଲପୁଞ୍ଜି ମଠ, ଶିଶୁପଥର ଡ୍ୟାମ୍ ସମେତ ଅନ୍ୟାନ୍ୟ ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣନା ହେବ । ଏଥିପାଇଁ ବନ ବିଭାଗ ପକ୍ଷରୁ ମୋବାଇଲ ଟ୍ରାକିଂ, ଜିପିଏସ, ବାଇନାକୁଲର ଓ ସ୍ୱତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଛି।