ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀ ପୋଲିସ ଆମ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତା ସୌରଭ ଭରଦ୍ବାଜ, ସଞ୍ଜୟ ଝା ଓ ଆଦିଲ ଅହମ୍ମଦ ଖାନ୍ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗରେ ଏହି ଏଫ୍ଆଇଆର ରୁଜୁ କରାଯାଇଛି। ଏହି ମାମଲା ଇସାଇ ସମ୍ପ୍ରଦାୟର ପବିତ୍ର ପ୍ରତୀକ ‘ସାନ୍ତା କ୍ଲଜ୍’ ପ୍ରତି ଅପମାନଜନକ ଚିତ୍ରଣ ସହ ଜଡିତ ରହିଛି। ଆଇନଜୀବି ଖୁସବୁ ଜର୍ଜଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି।
ଅଭିଯୋଗ ଆଧାରରେ ଏହି ବିବାଦ ୧୭ ଓ ୧୮ ଡିସେମ୍ବର ୨୦୨୫ରେ ଆରମ୍ଭ ହୋଇଥିଲା। ଏହି ନେତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଥିଲା। ଭିଡିଓରେ ଦିଲ୍ଲୀର କନୌଟ ପ୍ଲେସରେ ଆୟୋଜିତ ଏକ ରାଜନୈତିକ ସ୍କିଟର ଅଂଶ ଥିଲା। ଏଥିରେ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ବ୍ୟଙ୍କ କରି ସାନ୍ତାକ୍ଲଜକୁ ବେହୋସ ଅବସ୍ଥାରେ ଦେଖାଯାଇଥିଲା। ଅଭିଯୋଗ ରହିଛି ଯେ, ଏହି ଭିଡିଓରେ ଇସାଇ ସମ୍ପ୍ରଦାୟର ଧାର୍ମିକ-ସାଂସ୍କୃତିକ ପ୍ରତୀକ ସାନ୍ତାକ୍ଲଜକୁ ବ୍ୟଙ୍ଗ ଓ ଅପମାନଜନକ ଭାବରେ ଉପସ୍ଥାପିତ କରାଯାଇଥିଲା।
ଅଭିଯୋଗକାରୀ କହିଛନ୍ତି, ଭିଡିଓରେ ସାନ୍ତାକ୍ଲଜଙ୍କୁ ସଡକ ଉପରେ ବେହୋସ ହୋଇ ପଡିଥିବାର ଦେଖିବାକୁ ମିଳିଛି। ରାଜନୈତିକ ବାର୍ତ୍ତା ଦେବା ପାଇଁ ଏକ ‘ପ୍ରପ୍’ (ସାଧନ) ଭଳି ସାନ୍ତାକୁ ବ୍ୟବହାର କରାଯାଇଛି। ଭିଡିଓର ଏକ ଅଂଶରେ ସାନ୍ତାକ୍ଲଜକୁ ନକଲି ସିପିଆର(ଜୀବନ ରକ୍ଷା ପକ୍ରିୟା) ଦେଉଥିବାର ଦେଖାଯାଇଥିଲା। ଯାହାକୁ ଇସାଇ ସମାଜରେ ସେଣ୍ଟ ନିକୋଲାସ୍ ଓ କ୍ରିସମାସ୍ ପର୍ବର ପବିତ୍ରତା ପ୍ରତି ଉପହାସ ବୋଲି ମନେକରାଯାଉଛି। ଦିଲ୍ଲୀ ପୁଲିସ ଏହି ମାମଲାର ଗମ୍ଭୀରତାକୁ ଦେଖି ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୦୨ ଅନୁସାରେ ମାମଲା ରୁଜୁ କରିଛି।
ଆହୁରି ପଢନ୍ତୁ: ମେଣ୍ଟ କରି ଉଦ୍ଧବ ଓ ରାଜ୍ ଠାକରେଙ୍କୁ ଲାଗିଲା ଝଟକା, ବିଜେପିରେ ସାମିଲ ହେଲେ ଉଭୟ ଦଳର ବହୁ ନେତା