ଭୁବନେଶ୍ୱର, ୬/୦୨: ପୁରୁଣା (ସେକେଣ୍ଡ ହ୍ୟାଣ୍ଡ) ଗାଡ଼ି ବିକିବା ପାଇଁ ବୋର୍ଡ ଲଗାଇଛନ୍ତି । ମାଳ ମାଳ ସୋ’ ରୁମ୍ ଖୋଲି ହଜାର ହଜାର କାର, ବାଇକ୍ ବିକିବାକୁ ରଖିଛନ୍ତି । ସୋ ରୁମ୍‌ରେ ବିକ୍ରେତା, କ୍ରେତାଙ୍କ ଲମ୍ବା ଲାଇନ୍ ଲାଗୁଛି । କିନ୍ତୁ କିଣାବିକା ବେଳେ ସରକାରୀ ନିୟମକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି । ମନଇଚ୍ଛା ଟିକସ ଫାଙ୍କୁଛନ୍ତି । ସରକାରଙ୍କୁ ଚୂନ ଲଗାଉଛନ୍ତି, ଲକ୍ଷରେ ନୁହେଁ କୋଟିରେ... ସମସ୍ତେ ଦେଖୁଛନ୍ତି । କିନ୍ତୁ ଧରିବାକୁ ଯୁ ନାହିଁ ।

ପରିବହନ ବିଭାଗ ତଥ୍ୟ ମୁତାବକ, ରାଜ୍ୟରେ ମାତ୍ର ୯୬ଟି ସ୍ୱୀକୃତିପ୍ରାପ୍ତ ଡିଲର ଅଛନ୍ତି । ଯେଉଁମାନେ କି ପୁରୁଣା ଗାଡ଼ି କିଣାବିକା କରିପାରିବେ । ବାକି ସବୁ ହେଉଛନ୍ତି ଅଣସ୍ୱୀକୃତିପ୍ରାପ୍ତ ଡିଲର ବା ଦଲାଲ୍ । ବରଗଡ଼ରୁ ବାଲେଶ୍ୱର । କୋରାପୁଟରୁ କେନ୍ଦୁଝର । ଝାରସୁଗୁଡ଼ାରୁ ଜଗତସିଂହପୁର । ପୁରୀ, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲାରେ ବି । ପ୍ରାୟ ସବୁ ସହର ଓ ଏହା ଉପକଣ୍ଠରେ ଛତୁ ଫୁଟିଲା ଭଳି ପୁରୁଣା ଗାଡ଼ି ସୋ’ରୁମ୍ ଖୋଲୁଛି ।

ଯଦି ରାଜଧାନୀ ଉପରେ ନଜର ପକାଇବା ତେବେ ସହର ଅପେକ୍ଷା ଉପକଣ୍ଠରେ ସେକେଣ୍ଡ ହ୍ୟାଣ୍ଡ ଗାଡି଼ ସୋ’ ରୁମ୍ ଅଧିକ । ପୁରୀ ବାଇପାସ୍‌ରେ ଦୁଇ ପାର୍ଶ୍ବରେ ମାଳ ମାଳ ପୁରୁଣା କାର ସୋ’ ରୁମ୍ । ନୂଆ ଗାଡ଼ିଭଳି ଝଲମଲ କରୁଥିବା ଅଲଟୋ’ରୁ ଅଡି ଯାଏ ସବୁ ଭାରିଆଣ୍ଟର ଗାଡ଼ି ମିଳିଯିବ ଏଠି । ଆରଟିଓ-୧ ଅଫିସ ନିକଟରୁ ଆଚାର୍ଯ୍ୟ ବିହାର ଯାଏ ପୁରୁଣା ବାଇକ୍ ସୋ’ରୁମ୍ ଖୁନ୍ଦି ହୋଇଛି । ଏନ୍ଏଚ୍- ୧୬ ଓ ୩୧୬ ରାସ୍ତାକଡ଼ରେ ରାତି ପାହିଲେ, ମାଳମାଳ ଗାଡି଼ ସୋ ରୁମ୍ ଖୋଲୁଛି ।

କ’ଣ ରହିଛି ନିୟମ?

ପୁରୁଣା ଗାଡ଼ କିଣାବିକା ପାଇଁ ଜଣେ ଡିଲର ବା ସୋ’ ରୁମ୍ ମାଲିକକୁ ପ୍ରଥମେ ପରିବହନ ବିଭାଗ ନିକଟରୁ ସ୍ୱୀକୃତି ଆଣିବାକୁ ପଡି଼ବ । ମୋଟର ଯାନ ଆଇନ୍ର ଧାରା ଅନୁସାରେ ବିନା ସ୍ୱୀକୃତିପ୍ରାପ୍ତ ଡିଲରଠୁ କିଣାବିକା କରିବା ବେଆଇନ । ସମ୍ପୃକ୍ତ ଗାଡ଼ି ଡିଲର କେହି ମାଲିକଙ୍କଠାରୁ ଗାଡି଼ ବିକେଇ ଦେବା ଉଦ୍ଦେଶ୍ୟରେ ଆଣିବା ପୂର୍ବରୁ ପରିବହନ ଆପ୍ରେ ସହ-ମାଲିକାନା (ଡିମ୍‌ଡ ଓନରସିପ୍) ଫର୍ମ ଭରିବେ । ସେହି ସମୟରୁ ଉକ୍ତ ଗାଡ଼ି ଡିମ୍‌ଡ ଓନରସିପ୍ ସମ୍ପୃକ୍ତ ସ୍ୱୀକୃତିପ୍ରାପ୍ତ ଡିଲରସିପ୍ ନାଁରେ ରହିବ । ଗାଡ଼ି ବିକିବା ପର୍ଯ୍ୟନ୍ତ କୌଣସି ଅଘଟଣ ଘଟିଲେ, ଡିଲର ଜଣକ ମଧ୍ୟ ଦାୟୀ ରହିବ । ଗାଡି଼ ବିକ୍ରି ବେଳେ ଡିମ୍‌ସ୍ ଓନରସିପକୁ ଅଣ ପଞ୍ଜିକୃତ କରି ମୂଳ ମାଲିକ ନାଁରୁ ନୂଆ ମାଲିକ ନାଁକୁ ମାଲିକାନା ହସ୍ତାନ୍ତର କରାଯିବ ।

କେମିତି ଠକୁଛନ୍ତି?

ଅଣସ୍ୱୀକୃତିପ୍ରାପ୍ତ ଡିଲର ବା ଦଲାଲଙ୍କ ରାକେଟ୍ ସାରା ରାଜ୍ୟରେ ବେଶ୍ ସକ୍ରିୟ । ନାନା ମିଛ ପ୍ରତିଶ୍ରୁତି ଦେଇ ମାଲିକଙ୍କଠୁ କାର, ବାଇକ୍ ନେଇ ଆସୁଛନ୍ତି । ଉଚ୍ଚମୂଲ୍ୟରେ ଗାଡ଼ି ବିକିବାର ଲୋଭ ଦେଖାଇ ବିକ୍ରେତାଙ୍କଠୁ କମିଶନ ନେଉଛନ୍ତି । ବଜାର ଦରଠୁ ଢେର କମ୍‌ରେ ଗାଡ଼ି କିଣାଇବା ପ୍ରତିଶ୍ରୁତିରେ କ୍ରେତାଙ୍କଠାରୁ ମଧ୍ୟ କମିଶନ ପକେଟରେ ପୁରାଉଛନ୍ତି । ଏସବୁ କିଣାବିକାରେ ସରକାର ସହ-ମାଲିକାନା ବାବଦକୁ କ୍ଷତି ସହୁଛନ୍ତି । ଅନ୍ୟପଟେ ଅଧିକାଂଶ ମୂଲ୍ୟବାନ ପାର୍ଟସ୍ ଖୋଲି ନେଇ ବିକ୍ରେତାଙ୍କୁ ଠକୁଛନ୍ତି । ଏମିତିକି ଗାଡ଼ିରେ ଲୁଚାଛପାରେ କିଛି ଅପରାଧଜନିତ କାର୍ଯ୍ୟକଳାପ ମଧ୍ୟ କରୁଛି । ଧରାପଡ଼ିଲେ, ମୂଳ ମାଲିକ ଫସୁଛି ।

ଯାଞ୍ଚ କରିବାକୁ ମନ ବଳୁନି

ଅଣସ୍ୱୀକୃତିପ୍ରାପ୍ତ ଡିଲରଙ୍କୁ ଜଗିବାକୁ କେହି ନାହାନ୍ତି । ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ପ୍ରତିଦିନ ହଜାର ହଜାର ଗାଡ଼ି ବିକାଯାଉଛି । ବଡ଼ ଧରଣର ଜିଏସ୍‌ଟି ଠକେଇ ଚାଲିଛି । ବିପୁଳ କ୍ଷତି ସହୁଛି ପରିବହନ ବିଭାଗ । କେବଳ ଆରଟିଓ ନିୟମିତ ଢ଼ଙ୍ଗରେ ଯାଞ୍ଚ କଲେ ଚଳିବନି । ଏସବୁ ଡିଲରମାନଙ୍କ ଟ୍ରେଡ୍ ଲାଇସେନ୍ସ ମଧ୍ୟ ନିୟମିତ ଭାବେ ଯାଞ୍ଚ ହେବା କଥା । କିନ୍ତୁ ଯାଞ୍ଚ କରିବାକୁ କାହାରି ମନ ବଳୁନି।

ଆହୁରି ପଢ଼ନ୍ତୁ :- ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଖବର, ଟଙ୍କା ଫେରସ୍ତ ଅବଧି ବଢାଇଲେ ସରକାର