ଆଡିଲେଡ,୦୫/୧୨: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ଟେଷ୍ଟ ପାଇଁ  ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି । ୨୦୨୦/୨୧ ସିଜନର ପିଙ୍କ ବଲ୍‌ ମ୍ୟାଚ୍‌କୁ  ଭୁଲି ନଥିବା ଭାରତୀୟ ଦଳ ସମସ୍ତ ତ୍ରୁଟିକୁ  ସୁଧାରିବାରେ ବ୍ୟସ୍ତ ଥିବାବେଳେ ଆଡିଲେଡ୍‌ର ପିଚ୍‌ ଦଳ ପାଇଁ ସମସ୍ୟା ରୂପେ ଉଭା ହୋଇଛି । କ୍ୟୁରେଟର ପିଚ୍‌ ଉପରେ ୩୬ମିଲି ମିଟର  ଉଚ୍ଚର ଘାସ ରଖିଛନ୍ତି । ୨ଦିନ ତଳେ ଏଠାରେ ବର୍ଷା ହୋଇଥିବାରୁ ପିଚ୍‌ରେ ମାତ୍ରାଧିକ ଆଦ୍ରତା  ଭରି ରହିଛି । ଏପଟେ ଦଳ ପିଙ୍କ ବଲ୍‌ ସହ  ଖାପ ଖୁଆଇବା ପାଇଁ ନୂଆ ପନ୍ଥା ଆପଣେଇଛି । ଦଳର ସବୁ ବ୍ୟାଟର ନୂଆ ବଲ୍‌ରେ ବ୍ୟାଟିଂ  ଅଭ୍ୟାସ କରୁଛନ୍ତି ।  

ପେସ୍‌ ବୋଲରଙ୍କୁ ସହାୟତା କରିବା ଭଳି  ଏକ ପିଚ୍‌ ପ୍ରସ୍ତୁତ କରାଯାଇଥିବା କ୍ୟୁରେଟର  ଡାମିଆନ ହଗ୍‌ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପିଚ୍‌ରେ ୩୬ମିଲିମିଟର ଉଚ୍ଚର ଘାସ ଛଡ଼ା  ଯାଇଛି । ଗତ ୨୦୨୦/୨୧ ସିରିଜ ବେଳେ  ମଧ୍ୟ ପିଚ୍‌ରେ ଏଭଳି ଘାସ ରଖାଯାଇଥିଲା ।  ଏଥର ଅସମୟରେ ବର୍ଷା ହୋଇଥିବାରୁ ପିଚ୍‌  ସବୁଜ ଘାସ ଗାଲିଚା ଭଳି ଅନୁଭବ ହେଉଛି । ଶୁକ୍ରବାର ଦିନ ମଧ୍ୟ ବର୍ଷା ଆଶଙ୍କା ରହିଛି ।  ବାକି ୪ଦିନ ପାଗ ଶୁଖିଲା ରହିବ । ଉପରେ  ଘାସ ରହିଥିଲେ ହେଁ ତଳ ମାଟି ବେଶ୍‌ ଶକ୍ତ ।  ତେଣୁ ସ୍ପିନରମାନେ ମଧ୍ୟ ଏହି ପିଚ୍‌ରୁ ଅତିରିକ୍ତ  ବାଉନ୍ସ ପାଇପାରିବେ । 

ନୂଆ ବଲ୍‌ରେ ରୋହିତଙ୍କୁ ବୋଲିଂ  କଲେ ବୁମରା, ମୋର୍କେଲ

ବୁଧବାର ଅଭ୍ୟାସ ଶିବିରରେ ରୋହିତ ଶର୍ମା ଓ ଯଶପ୍ରୀତ ବୁମରାଙ୍କ ମଧ୍ୟରେ କଡ଼ା ଚ୍ୟାଲେଞ୍ଜ ଦେଖିବାକୁ ମିଳିଥିଲା । ବୁମରା ନୂଆ ବଲ୍‌ରେ ରୋହିତଙ୍କୁ ବୋଲିଂ କରିଥିଲେ । ବେଶ୍‌ ଧୈର୍ଯ୍ୟର ସହ ରୋହିତ ବ୍ୟାଟିଂ କରୁଥିବା ଦେଖିବାକୁ  ମିଳିଥିଲା । ଅଫ୍‌ ଷ୍ଟମ୍ପ ବାହାର ବଲ୍‌ରେ ସେ ବ୍ୟାଟ୍‌ ଲଗାଇ ନଥିଲେ । ବୋଲିଂ କୋଚ୍‌ ମର୍ନ ମୋର୍କେଲ ମଧ୍ୟ ରୋହିତଙ୍କୁ ନୂଆ ବଲ୍‌ରେ  ବୋଲିଂ କରିଥିଲେ । ପରେ ଶୁଭମନ ଗିଲ୍‌  ମଧ୍ୟ ନୂଆ ବଲ୍‌ରେ ବୁମରାଙ୍କ ସାମ୍ନା କରିଥିଲେ ।  

ଅଧିକ ସୁଇଂ ହେବ ପିଙ୍କ୍‌ ବଲ୍‌ 

ପିଙ୍କ ବଲ୍‌ ସହ ଖାପ ଖୁଇବା ପାଇଁ ଭାରତୀୟ ଦଳ ଜୋରଦାର ପ୍ରୟାସ ଚଳାଇଛି । କୋକାବୁରା ପିଙ୍କ୍‌ ବଲ୍‌ ଅପେକ୍ଷାକୃତ ଅଧିକ କଠିନ ଓ ଏହା ଉପରେ ଲାଗିଥିବା ରଙ୍ଗ ମଧ୍ୟ ବହଳିଆ । ବଲ୍‌ରୁ ରଙ୍ଗ ଛାଡ଼ିବା କଷ୍ଟକର । ନାଲି ବଲ୍‌ ତୁଳନାରେ ପିଙ୍କ୍‌ ବଲ୍‌ ଅଧିକ ସୁଇଂ ଓ ବାଉନ୍ସ ହେଉଥିବା ଭାରତୀୟ ଦଳ ଅଭ୍ୟାସରୁ ଅନୁଭବ କରିସାରିଛି । ମାତ୍ର ଏଥିପ୍ରତି ଦଳ ଚିନ୍ତିତ ନଥିବା ବୁଧବାର ସାମ୍ବାଦିକ ସମ୍ମିଳନୀ ଅବସରରେ କେ ଏଲ ରାହୁଲ ପ୍ରକାଶ କରିଛନ୍ତି । ରାହୁଲ ପ୍ରଥମ କରି  ପିଙ୍କ ବଲ୍‌ ଟେଷ୍ଟ ଖେଳିବାକୁ ଯାଉଛନ୍ତି । 

ଭାରତ ଏପର୍ଯ୍ୟନ୍ତ ମାତ୍ର ୪ଟି ପିଙ୍କ ବଲ୍‌ ଟେଷ୍ଟ ଖେଳିଛି । ୧୭ଜଣିଆ ଦଳର ୮ଜଣ  ଖେଳାଳି ପୂର୍ବରୁ ପିଙ୍କ ବଲ୍‌ ଟେଷ୍ଟ ଅଭିଜ୍ଞତା  ରଖିଥିବାବେଳେ ବାକି ସବୁ ଅନଭିଜ୍ଞ । ତେଣୁ  ପିଙ୍କ ବଲ୍‌ରେ ପୁନର୍ବାର ବୋଲିଂ କରିବାର  କୌଶଳ ଶିଖୁଥିବା ମହମ୍ମଦ ସିରାଜ ପ୍ରକାଶ  କରିଛନ୍ତି ।  

ପ୍ରଥମ ଦିନର ସବୁ ଟିକେଟ ବିକ୍ରି 

ଆଡିଲେଡରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସ ହାଉସଫୁଲ ହେବ । ପ୍ରଥମ ଦିନର ସମସ୍ତ ଟିକେଟ୍‌ ବିକ୍ରି ହୋଇ ସାରିଛି । ଫଳରେ  ପ୍ରଥମ ଦିବସରେ ୫୩,୫୦୦ ଦର୍ଶକ ଷ୍ଟାଡ଼ିୟମ୍‌ରେ ଉପସ୍ଥିତ ରହିବେ । ଏଥର ଆଡିଲେଡ୍‌ ଟେଷ୍ଟ ସବୁ ରେକର୍ଡ ଭଙ୍ଗ କରିବ ବୋଲି ଅନୁମାନ କରାଯାଉଛି । ଭାରତୀୟ ସମର୍ଥକ ବିଶ୍ୱର ସବୁ  ଦେଶରେ ରହିଥିବାରୁ ସବୁ ଗ୍ରାଉଣ୍ଡ୍‌ରେ ଭାରତର  ମ୍ୟାଚ୍‌ ହାଉସଫୁଲ ହେବା ନିଶ୍ଚିତ । ମଙ୍ଗଳବାର  ଦିନ ଭାରତୀୟ ଦଳ ଅଭ୍ୟାସ କରୁଥିବା ବେଳେ  ତାଙ୍କୁ ଦେଖିବା ପାଇଁ ପାଖା ପାଖି ୫୦୦୦ ଦର୍ଶକ  ଗ୍ରାଉଣ୍ଡ୍‌ରେ ପହଞ୍ଚିଥିଲେ ।  

ଦର୍ଶକଙ୍କଠୁ ଦୂରେଇ ରହି  ଅଭ୍ୟାସ କରିବ ଟିମ ଇଣ୍ଡିଆ

ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଥିବା ପର୍ଯ୍ୟନ୍ତ  ଦର୍ଶକଙ୍କଠୁ ଦୂରେଇ ରହି ଅଭ୍ୟାସ କରିବାକୁ  ନିଷ୍ପତ୍ତି ନେଇଛି । ଆଜି ଦଳର ଅଭ୍ୟାସ ଦେଖିବା ପାଇଁ ଦର୍ଶକଙ୍କୁ ଅନୁମତି ମିଳି  ନଥିଲା । ମଙ୍ଗଳବାର ଦିନ ଅଭ୍ୟାସ ସମୟରେ  ହୋଇଥିବା ଦର୍ଶକ ବିଶୃଙ୍ଖଳାକୁ ନଜରରେ  ରଖି ଭାରତୀୟ ଦଳ ଏଭଳି ନିଷ୍ପତ୍ତି ନେଇଛି ।  ଆଡିଲେଡରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ  ଦଳର ପ୍ରଥମ ଅଭ୍ୟାସ ଦିବସର ମଜା ନେବା ପାଇଁ ଦର୍ଶକଙ୍କୁ ଅନୁମତି ମିଳିଥିଲା । ଭାରତୀୟ  ଦଳ ଅପରାହ୍ଣରେ ଅଭ୍ୟାସ କରିଥିଲା । ଏହି  ସମୟରେ ପାଖା ପାଖି ୫,୦୦୦ ଦର୍ଶକ ଗ୍ରାଉଣ୍ଡ୍‌ରେ ଉପସ୍ଥିତ ରହିଥିଲେ । ଏତେ  ଦର୍ଶକଙ୍କ କୋଳାହଳ ଭାରତୀୟ ଖେଳାଳିଙ୍କ  ଧୈର୍ଯ୍ୟ ଭଙ୍ଗ କରୁଥିଲା । କିଛି ଦର୍ଶକଙ୍କ  ବିଶୃଙ୍ଖଳିତ ବ୍ୟବହାରରେ ଖେଳାଳିମାନେ  ଅସନ୍ତୋଷ ବ୍ୟକ୍ତ କରିଥିଲେ।