ଜଗତସିଂହପୁର, ୨୮/୦୫ : ଅନ୍ୟ କେଉଁଠି ନୁହେଁ ସହର ଉପକଣ୍ଠ ସଅଁରା ସ୍ଥିତ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଏକ ଶୌଚାଳୟରେ ଲାଗିଛି ଗୁପ୍ତ କ୍ୟାମେରା। ଏକଥାକୁ ସ୍ୱୀକାର ସହ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ। ଶ୍ରୀ ଭୋଇଙ୍କ କହିବା ମୁତାବକ, ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଶୌଚାଳୟରେ ଏକପ୍ରକାର ସ୍ପାଇ କ୍ୟାମେରାକୁ କେହି ଦୁର୍ବୃତ୍ତ ଖଞ୍ଜି ଦେଇଥିଲେ । କୌଣସି ମତେ ଉକ୍ତ କ୍ୟାମେରାଟି ତଳକୁ ଖସି ପଡ଼ିବାରୁ ଏହା ଲୋକ ଲୋଚନକୁ ଆସିଥିଲା । ତେବେ କେବେଠାରୁ ଏହି କ୍ୟାମେରା ସେହି ଶୌଚାଳୟରେ ଫିଟିଂ କରାଯାଇଛି ତାହା ଜଣାପଡ଼ୁନି । କିନ୍ତୁ ଗମ୍ଭୀର ମାମଲା ରହିଥିବାରୁ ଏସ୍ପି ଅଙ୍କିତ କୁମାର ବର୍ମା ପ୍ରତ୍ୟକ୍ଷ ଭାବେ ଏହି ଘଟଣାକୁ ଅନୁଧ୍ୟାନ ସହ ପୁଲିସ ଟିମ୍ ନିୟୋଜିତ କରି ତଦନ୍ତ କରୁଥିବା ‘ପ୍ରମେୟ’କୁ କହିଛନ୍ତି ଅଧ୍ୟକ୍ଷ ଶ୍ରୀ ଭୋଇ । ତା’ଛଡ଼ା ଅଦ୍ୟାବଧି ଏକ ପୁଲିସ ଟିମ୍ ଘଟଣାସ୍ଥଳର ଛାନ୍ଭିନ୍ କରିଛନ୍ତି । ଉକ୍ତ ସ୍ପାଇ କ୍ୟାମେରାକୁ ଫୋରେନ୍ସିକ ପରୀକ୍ଷା ନିମନ୍ତେ ପୁଲିସ ନିଜ ହେଫାଜତକୁ ନେଇଛି । ଏହା ଅତ୍ୟନ୍ତ ଗର୍ହିତ ତଥା ନିନ୍ଦନୀୟ ଘଟଣା ହୋଇଥିବାରୁ ତୁରନ୍ତ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆବଶ୍ୟକତା ଥିବା ଦର୍ଶାଇଛନ୍ତି ଅଧ୍ୟକ୍ଷ ଶ୍ରୀ ଭୋଇ ।

ଏପଟେ ଉକ୍ତ ଘଟଣାକୁ ନେଇ ତିର୍ତ୍ତୋଲ ଥାନାରେ ବିଭାଗୀୟ କର୍ତ୍ତୃପକ୍ଷ ଏତଲା ଦେଇଥିବା କୁହାଯାଉଛି । ଅଦ୍ୟାବଧି ଏସମ୍ବନ୍ଧରେ କେହି ଜଣେ ହେଲେ ପ୍ରଶାସନିକ ଅଧିକାରୀ ମୁହଁ ଖୋଲିବାକୁ ପ୍ରସ୍ତୁତ ନଥିବା ଲକ୍ଷ୍ୟ କରାଯାଉଛି । ଅପରପକ୍ଷେ ଦେଖିଲେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପ୍ରାୟତଃ ଏକ ବ୍ୟସ୍ତବହୁଳ ସରକାରୀ ଦପ୍ତର । ବିଭିନ୍ନ କାର୍ଯ୍ୟରେ ସାଧାରଣ ଲୋକମାନେ ଏଠାକୁ ଆସିଥାନ୍ତି । ପଞ୍ଚାୟତ ସ୍ତରୀୟ ଲୋକ ପ୍ରତିନିଧିଙ୍କ ପାଦ ବି ପଡ଼ିଥାଏ । ଏଠି ବି ଜିଲ୍ଲା ପରିଷଦ ବୈଠକ ସହ ଅନ୍ୟାନ୍ୟ ସରକାରୀ ବୈଠକରେ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥାନ୍ତି । ତଥାପି ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଶୌଚାଳୟରେ ଏତେ ସାହସ ବାନ୍ଧି କିଏ ସ୍ପାଇ କ୍ୟାମେରା ଖଞ୍ଜି ପାରିଲେ ତାହାହିଁ ସାଧାରଣରେ ଆଲୋଡ଼ନ ଖେଳାଇଛି । ପୁଲିସ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଠାବ କରିପାରୁଛନ୍ତି ନା ନାହିଁ ତାହା କେବଳ ଦେଖିବାକୁ ବାକି ।

ଏହି ଖବରଟିକୁ ପଢନ୍ତୁ- ବିଦ୍ୟୁତ୍ କାଟକୁ ନେଇ ତାତିକି ଥିଲେ, ମରାମତି ପାଇଁ ଆସିଥିବା ୩ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଦେଲେ

ସ୍ପାଇ କ୍ୟାମେରା ଦୁଇ ପ୍ରକାରର । ଗୋଟିଏ ଚାର୍ଜେବୁଲ । ଭଲ କ୍ୟାମେରା ହୋଇଥିଲେ ପ୍ରାୟ ୪୮ ଘଣ୍ଟା ଧରି କାର୍ଯ୍ୟକ୍ଷମ ରହିପାରିବ । ସେତକ ସମୟ ଭିତରେ ଉକ୍ତ କ୍ୟାମେରା ଶୌଚାଳୟ ଭିତର ସମସ୍ତ ଗତିବିଧିକୁ ରେକର୍ଡ କରିପାରିବ । ପରେ କ୍ୟାମେରାରେ ଯାହା କିଛି ରହିଥିବ ତାହା କମ୍ପ୍ୟୁଟର ମାଧ୍ୟମରେ ଦେଖାଯାଇ ପାରିବ । ଉକ୍ତ ଗୁପ୍ତ କ୍ୟାମେରା ପ୍ଲକ, ସୁଇଚ୍ ବୋର୍ଡ଼, ହୋଲଡର୍, ପଙ୍ଖା ଆଦିରେ ଫିଟିଂ କରାଯାଇ ପାରିବ । ଯଦ୍ୱାରା ଚାର୍ଜର ଆବଶ୍ୟକତା ନାହିଁ । ସିମ୍ କାର୍ଡ ରହିଥିବାରୁ ଏକ ଆପ୍ଲିକେଶନ୍ ଲୋଡ୍ କଲେ ଉକ୍ତ କ୍ୟାମେରା ମାଧ୍ୟମରେ ଶୌଚାଳୟ ଭିତରେ ଯାହା ସବୁ ଗତିବିଧି ରହିବ ତା’ର ସିଧାପ୍ରସାରଣ ଉଭୟ କମ୍ପ୍ୟୁଟର ଓ ମୋବାଇଲ ଫୋନ୍ ଜରିଆରେ ଦେଖିହେବ । ବର୍ତ୍ତମାନ ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ଜବତ କ୍ୟାମେରା କେଉଁ ଜ୍ଞାନକୌଶଳ ବିଶିଷ୍ଟ ତାହା ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ । ଗୁପ୍ତ କ୍ୟାମେରାକୁ ପ୍ରଥମେ ଠାବ କରିଥିଲେ ମଧୁମିତା ସାମନ୍ତରାୟ । ଏବାବଦରେ ତିର୍ତ୍ତୋଲ ଥାନାରେ ଏତଲା ଦେଇଛନ୍ତି ଭାରପ୍ରାପ୍ତ ଅତିରିକ୍ତ ଇଓ (ଆଡମିନ୍) ଗିରିଜା ଶଙ୍କର ମଲ୍ଲିକ ।..