ଭୁବନେଶ୍ୱର, ୨୪/୦୬ : ଝାରପଡ଼ା ଜେଲ୍ର ୭ଜଣ ବିଚାରାଧୀନ କଏଦୀ କୌଣସି କାରଣରୁ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଭର୍ତ୍ତି କରାଯାଇଛି। ଏମାନଙ୍କ ଭିତରୁ ଜଣେ ମାଓନେତା ଥିବାରୁ ହସ୍ପିଟାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖାଦ୍ୟରେ ଅପମିଶ୍ରଣ କିମ୍ବା ମାତ୍ରାଧିକ ନିଶା ସେବନ ଯୋଗୁ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଅନୁମାନ କରାଯାଉଛି।
ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ଣରେ ଏମାନେ ସମସ୍ତେ କାରାଗାର କ୍ୟାଣ୍ଟିନ୍ରୁ ଜଳଖିଆ ଓ ଅନ୍ୟାନ୍ୟ ଖାଦ୍ୟ ଖାଇଥିଲେ। ଏହାପରଠୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି଼ବାରେ ଲାଗିଥିଲା । କିଛି ଜଣଙ୍କ ପାଟିରୁ ଫେଣ ବାହରିଥିଲା । ଏହା ଦେଖି ଜେଲ୍ ୱାର୍ଡର ଓ ଅନ୍ୟ ଜେଲ କର୍ମଚାରୀଙ୍କ ହୋସ୍ ଉଡି଼ଯାଇଥିଲା । ସେମାନଙ୍କୁ ପ୍ରଥମେ କାରାଗାର ଭିତରେ ଥିବା ହସ୍ପିଟାଲକୁ ନିଆଗଲା । କିଛି ସମୟ ଧରି ପ୍ରାଥମିକ ଚିକିତ୍ସା ଚାଲିଲା । କିନ୍ତୁ କାହାରି ସ୍ଥିତିରେ ସୁଧାର ଆସିଲାନି । ଏହାପରେ ଜେଲ୍ ପରିସରରେ ଭୟର ବାତାବରଣ ଖେଳିଗଲା । ସନ୍ଧ୍ୟା ୫ଟାରେ ୫ଜଣ କଏଦୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା । ସେମାନେ ହେଲେ, ସାଜିଦ୍ ଖାନ୍, ସୀମାଞ୍ଚଳ କୁଞ୍ଜ, ବିକାଶ ପାଇଥଳ, ବାବୁଲା ପ୍ରଧାନ, ରୁପୁ ସିଂ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଆହୁରି ସଙ୍ଗୀନ ହୋଇଥିଲା । ୩ ଜଣଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁରେ ବେଡ୍ ନ ଥିବାରୁ ଅନ୍ୟ ୨ଜଣଙ୍କୁ ତୁରନ୍ତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ରୁପୁ ହେଉଛି ଜଣେ ହାର୍ଡକୋର୍ ମାଓବାଦୀ। ଗତବର୍ଷ ଅଗଷ୍ଟରେ ଓଡି଼ଶା-ଝାଡ଼ଖଣ୍ଡ ସୀମାନ୍ତ କେ. ବଳଙ୍ଗ ଥାନା ଅଧୀନ ବିମଳଗଡ଼ ଅଞ୍ଚଳ ଦେଇ ଯାଇଥିବା ରେଳଲାଇନ୍ରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ରେଳ କର୍ମଚାରୀ ଅତୁଆ ଓରାମଙ୍କ ମୃତ୍ୟୁ ଘଟିଥିଲା। ବୁଧରାମ ମୁଣ୍ଡା ଗୁରୁତର ଆହତ ହୋଇଥିଲେ। ଏହି ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସେପ୍ଟେମ୍ବର ୯ରେ ରୁପୁକୁ ଗିରଫ କରିଥିଲା। କ୍ୟାପିଟାଲ ହସ୍ପିଟାଲରେ ରୁପୁ ଚିକିତ୍ସିତ ହେଉଥିବାରୁ ହସ୍ପିଟାଲ ପରିସରରେ କଡ଼ା ସୁରକ୍ଷା ପହରା ଦିଆଯାଇଛି। ଖୋଦ୍ ଡିସିପି ଜଗମୋହନ ମୀନା ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ରାତି ୯ଟାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି। ପ୍ରାୟ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆଇସିୟୁ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯାଇଛି। ହସ୍ପିଟାଲ ପ୍ରବେଶ ପଥରେ ମଧ୍ୟ ପ୍ରତିଟି ଗାଡିକୁ ଯାଞ୍ଚ କରାଯାଉଛି। ସେପଟେ ବିଚରାଧୀନ କଏଦୀଙ୍କ ଅସୁସ୍ଥତାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ହସ୍ପିଟାଲ ପରିସରରେ ଥିବା ଖାଦ୍ୟ ଯୋଗୁ ଅସୁସ୍ଥ ହୋଇଥିଲେ, ଅନ୍ୟ କଏଦୀ ମଧ୍ୟ ଅସୁସ୍ଥ ହୋଇଥାନ୍ତେ । ତେଣୁ ହସ୍ପିଟାଲ ବାହାରୁ ଲୁଚାଛପାରେ ଆସୁଥିବା କିଛି ଖାଦ୍ୟ କିମ୍ବା ଅନ୍ୟ କୌଣସି ନିଶା ସାମଗ୍ରୀ ସେବନ ଯୋଗୁ ଏମାନଙ୍କ ଅବସ୍ଥା ବିଗିଡି଼ଥିବା ଅନୁମାନ କରାଯାଉଛି । ଆସନ୍ତାକାଲି ପୁଲିସର ଏକ ଟିମ୍ କାରାଗାରକୁ ଯାଇ ତନାଘନା କରିବ।
ଆହୁରି ପଢନ୍ତୁ- Chilika Fresh tender : ଚିଲିକା ଫ୍ରେସ୍ ଟେଣ୍ଡରକୁ ନେଇ ଅକଳରେ ଫିସଫେଡ୍, ଆସିଲେନି ବିଡର୍, ଜୁଲାଇକୁ ଘୁଞ୍ଚିଲା
ଯାତ୍ରା ପାର୍ଟୀରେ କୁକୁର କଣ୍ଟ୍ରୋଭର୍ସି ; ମାଲିକଙ୍କୁ କଡ଼ା ଜବାବ ଦେଲେ କାହ୍ନା ସ୍ବାଇଁ