ନୂଆଦିଲ୍ଲୀ,୨୯/୧୨; ଝାଡ଼ଖଣ୍ଡର ରାଞ୍ଚି ଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ମହିଳା ହକି ଇଣ୍ଡିଆ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହୋଇଛି । ଉଦ୍ଘାଟନୀ ମ୍ୟାଚ୍‌ରେ ରାଞ୍ଚି ରୟାଲ୍ସକୁ ୨-୦ ଗୋଲ୍‌ରେ ହରାଇ ଦିଲ୍ଲୀ ଏସ୍‌ଜି ପାଇପର୍ସ ପଏଣ୍ଟ ଖାତା ଖୋଲିଛି । ଚଳିତ ବର୍ଷ ମୋଟ ୪ଟି ଦଳ ଯଥା ଦିଲ୍ଲୀ ଏସ୍ଜି ପାଇପର୍ସ, ରାହ ବେଙ୍ଗଲ ଟାଇଗର୍ସ, ସୁରମା ହକି କ୍ଲବ୍ ଓ ରାଞ୍ଚି ରୟାଲ୍ସ ଭାଗ ନେଇଛନ୍ତି ।

ପ୍ରଥମ ସଂସ୍କରଣରେ ଓଡ଼ିଶା ୱାରିୟର୍ସ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ଫାଇନାଲ୍ ଦଳ ୨-୧ ଗୋଲ୍ ସୁରମା ହକି କ୍ଲବ୍‌କୁ ପରାସ୍ତ କରିଥିଲା । ଏଥର ଓଡ଼ିଶା ୱାରିୟର୍ସ ସ୍ଥାନରେ ରାଞ୍ଚି ରୟାଲ୍ସ ଭାଗ ନେଉଛି । ଆଜି ସୁରମା ହକି କ୍ଲବ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଜୟପାଲ ସିଂ ଷ୍ଟାଡିୟମରେ ରବିବାର ଏସ୍‌ଜି ପାଇପର୍ସ ଓ ରାଞ୍ଚି ରୟାଲ୍ସ ସାମ୍ନାସାମ୍ନି ହୋଇଥିଲେ । ପ୍ରଥମ କ୍ୱାର୍ଟର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଗୋଲ୍‌ଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଏସ୍ଜି ପାଇପର୍ସ ଗୋଲ୍ ଖାତା ଖୋଲିଥିଲା । ୨୭ମିନିଟ୍‌ରେ ଦଳକୁ ମିଳିଥିବା ଏକ ପେନାଲ୍ଟି ସୁଯୋଗକୁ ନଭନୀତ କୌର ଗୋଲ୍‌ରେ ରୂପାନ୍ତରିତ କରି ଦଳକୁ ଅଗ୍ରଣୀ ପ୍ରଦାନ କରିଥିଲେ ।

​​​​​​​

ତୃତୀୟ କ୍ୱାର୍ଟରରେ ରାଞ୍ଚି ରୟାଲ୍ସ ଘନଘନ ଆକ୍ରମଣ କରି ଏକାଧିକ ସୁଯୋଗ ସୃଷ୍ଟି କରିଥିଲା । ମାତ୍ର ଗୋଲ୍ ପରିଶୋଧ କରିପାରିନଥିଲା । ଚତୁର୍ଥ କ୍ୱାର୍ଟର ଆରମ୍ଭରୁ ମାରିଆ ଟେରେସା ଭିୟାନା ଆଚେଙ୍କ (୪୬ମିନିଟ୍) ଗୋଲ୍ ବଳରେ ଏସ୍‌ଜି ପାଇପର୍ସ ୨-୦ରେ ଆଗେଇଥିଲା । ପରବର୍ତ୍ତୀ ସମୟର ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା । ରାଞ୍ଚି ସମସ୍ତ ଶକ୍ତି ଲଗାଇ ଆକ୍ରମଣ କରିଥିଲେ ମଧ୍ୟ ଗୋଟିଏ ବି ଗୋଲ୍ ପରିଶୋଧ କରିପାରିନଥିଲା ।