ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ୱାଶିଂଟନ ଯିବେ। ଏହି ସମୟରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ମଧ୍ୟ ଉପସ୍ଥିତ ରହିବେ । ଶାହବାଜ ବର୍ତ୍ତମାନ ନ୍ୟୁୟର୍କରେ ଜାତିସଂଘ ମହାସଭା(UNGA) ଅଧିବେଶନରେ ଯୋଗ ଦେଛନ୍ତି । ପାକିସ୍ତାନ ସମେତ ଟି ଇସଲାମିକ୍-ଆରବ ଦେଶର ନେତାଙ୍କ ସହ ବୈଠକ ପରେ ମଙ୍ଗଳବାର ସେ ଟ୍ରମ୍ପଙ୍କ ସହ ଅନୌପଚାରିକ ଆଲୋଚନା ମଧ୍ୟ କରିଛନ୍ତି। ଶାହବାଜ ସରିଫ ଗୋଟିଏ ଦିନ ପାଇଁ ୱାଶିଂଟନ ଗସ୍ତ କରିବେ ଏବଂ ସେହି ଦିନ ନ୍ୟୁୟର୍କ ଫେରି ଯିବେ ଏବଂ ୟୁଏନଜିଏର ବାକି ଥିବା ବୈଠକରେ ଯୋଗଦେବେ।

 ଟ୍ରମ୍ପଙ୍କ ସହ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଶେଷ ସାକ୍ଷାତ ୨୦୧୯ରେ ହୋଇଥିଲା । ସେତେବେଳେ ଇମ୍ରାନ ଖାନ ୱାଶିଂଟନ ଗସ୍ତ କରିଥିଲେ। ତେଣୁ ଏହି ସାକ୍ଷାତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଜୋ ବାଇଡେନ ରାଷ୍ଟ୍ରପତି ଥିବା ସମୟରେ, ସେ ପାକିସ୍ତାନକୁ ପ୍ରାୟତଃ ଅଣଦେଖା କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇନଥିଲେ କିମ୍ବା ତାଙ୍କୁ ହ୍ୱାଇଟ୍ ହାଉସକୁ ନିମନ୍ତ୍ରଣ କରିନଥିଲେ। ତଥାପି ଚଳିତ ବର୍ଷ ଜାନୁଆରୀରେ ଟ୍ରମ୍ପଙ୍କ ପୁନଃନିର୍ବାଚନ ପରଠାରୁ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ହଠାତ୍ ପରିବର୍ତ୍ତନ ଦେଖାଯାଇଛି ।

ଜୁନ୍ ମାସରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ମଧ୍ୟ ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଥିଲେ। ସେତେବେଳେ ଏହାକୁ ଆମେରିକା-ପାକିସ୍ତାନ ସମ୍ପର୍କକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବର୍ଣ୍ଣନା କରାଯାଇଥିଲା। ଏବେ ଶାହବାଜ-ଟ୍ରମ୍ପ ସାକ୍ଷାତକୁ ସେହି ପ୍ରକ୍ରିୟାର ପରବର୍ତ୍ତୀ ପଦକ୍ଷେପ ଭାବରେ ଦେଖାଯାଉଛି । ଏହି ସାକ୍ଷାତ ସମୟରେ ଦୁଇ ନେତା ଆଫଗାନିସ୍ତାନ, ଆତଙ୍କବାଦ ବିରୋଧୀ ସହଯୋଗ, ବାଣିଜ୍ୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଟ୍ରମ୍ପ ପାକିସ୍ତାନ ସହିତ ସମ୍ପର୍କ ଉନ୍ନତ କରିବାକୁ ଆଗ୍ରହୀ ଦେଖାଯାଉଥିଲେ ମଧ୍ୟ ଏହି ପ୍ରକ୍ରିୟା ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏଥିରେ ସମୟ ଲାଗିପାରେ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ସମୟରେ ଏହି ବୈଠକ ହେଉଛି। ଇସ୍ରାଏଲ କାତାରରେ ହମାସ ନେତାମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲା ଯାହାକୁ ଆମେରିକା-ସହଯୋଗୀ ଆରବ ଦେଶଗୁଡ଼ିକ ନିନ୍ଦା କରିଥିଲେ। ଏହି ପ୍ରସଙ୍ଗରେ ଡକାଯାଇଥିବା ଆରବ ଲିଗ୍ ଏବଂ ଇସଲାମିକ୍ ସହଯୋଗ ସଂଗଠନ ବୈଠକରେ ପାକିସ୍ତାନ ମଧ୍ୟ ଅଂଶଗ୍ରହଣ କରିଥିଲା ।