ନୂଆଦିଲ୍ଲୀ: ରାଜ୍ୟସଭାରେ ମଙ୍ଗଳବାର ଦିନ ଅମିତ ଶାହଙ୍କ ବିବାଦୀୟ ବୟାନ ଯୋଗୁ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ମଙ୍ଗଲବାର ଦିନ ଗୃହରେ ନିଜ ମନ୍ତବ୍ୟ ରଖୁଥିବା ବେଳେ ଶାହ ଆମ୍ୱେଦକରଙ୍କୁ ନେଇ ଏକ ବିବାଦିୟ ଟିପ୍ପଣୀ ଦେଇଥିଲେ। ଏହା ବିରୋଧରେ ତୃଣମୂଳ କଂଗ୍ରେସର ସାଂସଦ ଡାରେକ ଓବ୍ରାଇନ ଅମିତ ଶାହଙ୍କ ବିରୋଧରେ ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ ଜାରି କରିଛନ୍ତି। 

ସମ୍ବିଧାନ ପ୍ରଣୟନ ୭୫ ବର୍ଷ ପୂର୍ତ୍ତୀ ଅବସରରେ ଗତ ମଙ୍ଗଳବାର ରାଜ୍ୟସଭାରେ ଏହାକୁ ନେଇ ଜୋରଦାର ଆଲୋଚନା ହୋଇଥିଲା। ଏହି ଆଲୋଚନାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆମ୍ବେଦକରଙ୍କ ଉଦାହରଣ ଦେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ଯାହାକୁ ନେଇ ବିରୋଧି ଦଳଗୁଡ଼ିକ ଅମିତ ଶାହଙ୍କୁ ଘେରିବା ଆରମ୍ଭ କରି ଦେଇଛନ୍ତି। 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜର ଭାଷଣରେ ଡ. ଭୀମରାଓ ଆମ୍ବେଦକର ଓ ଗୃହର ସମ୍ମାନ ହାନୀ କରିଛନ୍ତି। ଏହା ସଂସଦର ମର୍ଯ୍ୟାଦା ଉପରେ ପ୍ରଶ୍ନ ଛିଡ଼ା କରିଛି। ତେଣୁ ମୁଁ ଶାହାଙ୍କ ବିରୁଦ୍ଧରେ ଏଭଳି ପଦକ୍ଷେପ ନେଲି ବୋଲି ଡାରେକ ଓବ୍ରାଇନ କହିଛନ୍ତି। ଅନ୍ୟପଟେ କଂଗ୍ରେସ ସମେତ ଅନେକ ବିରୋଧି ଦଳର ନେତା ରାଜ୍ୟସଭା ବାହାରେ ଆମ୍ବେଦକରଙ୍କ ଫଟୋ ଧରି ଧାରଣାରେ ବସିଛନ୍ତି। ଅମିତ ଶାହ ଇସ୍ତଫା ଦେବା ସହ କ୍ଷମା ପାର୍ଥନା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। 

ରାଜ୍ୟସଭାରେ ସମ୍ୱିଧାନ ଉପରେ ଆଲୋଚନା କଲା ବେଳେ ଅମିତ ଶାହ ଆମ୍ବେଦକରଙ୍କ ନାଁ ନେଇ ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲେ। ଗୃହମନ୍ତ୍ରୀ କହିଥିଲେ “ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର ଏବେ ଗୋଟେ ଫ୍ୟାସନ ହୋଇଗଲାଣି। ଯଦି ଏତେଥର ଭଗବାନଙ୍କ ନାଁ ନିଆଯାଇଥାନ୍ତା ତେବେ ସାତ ଜନ୍ମ ଯାଏ ସ୍ୱର୍ଗ ମିଳିଯାଆନ୍ତା” 

ଅମିତ ଶାହଙ୍କର ଏହି ବୟାନ ପରେ ବିରୋଧୀମାନେ ଗୃହରେ ହୋହଲ୍ଲା କରିଥିଲେ। ଶାହାଙ୍କ ବିରୋଧରେ ନାରାବାଜି କରିଥିଲେ। ଅନ୍ୟପଟେ ଶାହଙ୍କ ସମର୍ଥନରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କଂଗ୍ରେସକୁ ଶାହଙ୍କ ମନ୍ତବ୍ୟରେ ଝଟକା ଲାଗିବା ପରେ ସେମାନେ ଏଭଳି ପ୍ରଳାପ କରୁଛନ୍ତି ବୋଲି ପିଏମ୍ କହିଛନ୍ତି।