ହିମାଚଳ ପ୍ରଦେଶ, ୩।୭: ହିମାଚଳ ପ୍ରଦେଶରେ ମୌସୁମୀର ଆଗମନ ଗୋଟେ ପଟେ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ଦେଇଛି, ଅନ୍ୟପଟେ ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ାଇ ଦେଇଛି । ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶିମଲା, କାଙ୍ଗଡ଼ା, ଲାହୁଲ-ସ୍ପିତି ଏବଂ ଚମ୍ବା ଜିଲ୍ଲାରେ ଘଟିଥିବା ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ବିଭିନ୍ନ କାରଣରୁ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛି । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ରାଜ୍ୟର ପ୍ରାୟ ୪୯ଟି ପ୍ରମୁଖ ରାସ୍ତା ବନ୍ଦ ରହିଛି ।
ଚମ୍ବା-ଭରମୌର ଜାତୀୟ ରାଜପଥରେ ଭୂସ୍ଖଳନ ଯୋଗୁଁ ପ୍ରାୟ ୪ ଘଣ୍ଟା ଧରି ଯାତାୟାତ ଠପ୍ ହୋଇଯାଇଥିଲା । ପ୍ରାୟ ୪୨ଟି ଟ୍ରାନ୍ସଫର୍ମର ଖରାପ ହେବା ହେତୁ ଅନେକ ଅଞ୍ଚଳରେ ବିଦ୍ୟୁତ୍ ଚଳାଚଳ ଠପ୍ ହୋଇଯାଇଛି । ରୋହତାଙ୍ଗ, ବାରାଲାଚା ଏବଂ ଶିଙ୍କୁଲା ପାସରେ ହାଲୁକା ତୁଷାରପାତ ମଧ୍ୟ ରେକର୍ଡ କରାଯାଇଛି । କେବଳ ଚାଷୀମାନେ ଧାନ ଓ ମକା ବୁଣିବା ପାଇଁ ଏହି ବର୍ଷାକୁ ଚାହିଁ ରହିଥିବାରୁ ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଶୁକ୍ରବାର ସକାଳ ସମୟରେ ଲାହୁଲ-ସ୍ପିତି ଜିଲ୍ଲାର ଉଦୟପୁରଠାରେ ପାହାଡ଼ରୁ ଏକ ବଡ଼ ପଥର ଖସି HRTC କେଲଙ୍ଗ ଡିପୋର କଣ୍ଡକ୍ଟର ଜ୍ଞାନ ସିଂଙ୍କ ମୁଣ୍ଡରେ ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।
ଏହା ବି ପଢ଼ନ୍ତୁ... Ram Mandir Donation Probe: ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ SITର ବଡ଼ ଆକ୍ସନ, ଖୋଲିବ ସୁନା-ରୂପା ଓ ଅଳଙ୍କାର ହିସାବର ପେଡ଼ି
ଶିମଲାର ରାମପୁର ଅଞ୍ଚଳରେ ରାସ୍ତାରେ ପଡ଼ିଥିବା ତାର ସଂସ୍ପର୍ଶରେ ଆସି ଜଣେ ୬୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି । ସେହିପରି କାଙ୍ଗଡ଼ା ଜିଲ୍ଲାରେ ଟୁଲୁ ପମ୍ପ ଲଗାଇବା ସମୟରେ କରେଣ୍ଟ ଲାଗି ଜଣେ ପ୍ଲମ୍ବରଙ୍କ ଜୀବନ ଯାଇଛି । ଅନ୍ୟପଟେ ଚମ୍ବା ଜିଲ୍ଲାର ଅଗାହର ଗାଁରେ ଗୋଡ଼ ଖସିଯିବା ଯୋଗୁଁ ଉଦ୍ଧାର ନାଳରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ବର୍ଷା ଏବଂ ପାଗରେ ପରିବର୍ତ୍ତନ ଯୋଗୁଁ ଦିନ ତାପମାତ୍ରାରେ ପ୍ରାୟ ୬ ଡିଗ୍ରୀ ସେଲସିୟସର ହ୍ରାସ ରେକର୍ଡ କରାଯାଇଛି । ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନଙ୍କୁ ନଦୀ, ନାଳ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।