ବାରିପଦା,୦୮/୧୦: ବିଶ୍ୱପ୍ରସିଦ୍ଧ ଅଭୟାରଣ୍ୟ ଶିମିଳିପାଳ ଆସନ୍ତା ୧୦ ତାରିଖରୁ  ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ  କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନି  ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । 

ଚଳିତବର୍ଷ ଶିମିଳିପାଳ ପରିଭ୍ରମଣ  ନିମନ୍ତେ ବ୍ୟାପକ ଯୋଜନା କରାଯାଇଛି । ମୋଟ ୬୦ଟି ଚାରିଚକିଆ ଯାନରେ ପ୍ରବେଶ  ଅନୁମତି ମିଳିବ । କୁଳିଅଣା ତନଖି ଫାଟକ (ଯଶିପୁର) ପଟୁ ୩୫ଟି ଚାରି ଚକିଆ  ଯାନ ଏବଂ ବାରିପଦା ପଟୁ ପିଠାବଟା ଲୁଲୁଙ୍ଗ ତନଖି ଫାଟକ ଦେଇ ୨୫ଟି ଚାରି ଚକିଆ  ଯାନ ଜଙ୍ଗଲ ଭିତରକୁ ପ୍ରବେଶ କରିବ । ତନଖି ଫାଟକରେ ଥିବା ବୁକିଂ କାଉଣ୍ଟରରୁ  ପ୍ରବେଶ ଅନୁମତି ପତ୍ର ନେଇ ସକାଳ ୬ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକ ଶିମିଳିପାଳ  ଭିତରକୁ ଯାଇପାରିବେ । ଅଭୟାରଣ୍ୟକୁ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି  ସଂଯୋଗକାରୀ ସାମଗ୍ରୀ ନେବା ବାରଣ କରାଯାଇଛି । ଶିମିଳିପାଳରେ ଥିବା ଯାତ୍ରୀ ନିବାସରେ  ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ www.ecotourism.comରେ ଅଗ୍ରୀମ ବୁକିଂ  କରିପାରିବେ । ଅପରାହ୍ଣ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ, ୪ଟା  ପୂର୍ବରୁ ଚହଲା ଏବଂ ୫ଟା ସୁଦ୍ଧା ପ୍ରସ୍ଥାନ ଗେଟ୍‌ ବାହାରକୁ ଆସିବାକୁ ନିର୍ଦ୍ଦେଶ ରହିଛି ।