ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଲଡକାପଲ୍ଲୀ ଛକରେ ଭୟଙ୍କର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ସେପଟେ ଏହି ଦୁର୍ଘଟଣା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତି ଭାସନ । ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି । ରେଡକ୍ରସ୍ ପକ୍ଷରୁ ୩୦ ହଜାର ଟଙ୍କାର ସହାୟତା ରାଶି ପାଇଁ ଘୋଷଣା କରାଯାଇଛି ।
କହି ରଖୁଛୁ କି, ଶୁକ୍ରବାରଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ନିକଟ ଲଡକାପଲ୍ଲୀ ଛକରେ ଶୁକ୍ରବାର ପୂର୍ବାହ୍ଣ ୧୦ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ପୁରୁଷ, ୨ ଶିଶୁ ରହିଛନ୍ତି। ସମସ୍ତେ ଅଟୋ ଯାତ୍ରୀ ଓ ଏରେଣ୍ଡ୍ରା, ଚିକିଟି ଓ ପୁରୁଷୋତ୍ତମପୁର ଅଞ୍ଚଳର ଅଟନ୍ତି। ଏକ ଅଟୋ ଯୋଗେ ଏମାନେ ସିଂହାସିନୀ ପୀଠ ଅଭିମୁଖେ ଯାଉଥିଲେ। ଏକ ବସ୍ ଅଟୋକୁ ଦ୍ରୁତ ଗତିରେ ଆସି ଧକ୍କା ଦେବା ସହ କିଛି ଦୂର ଘୋଷାଡି ନେଇ ଏକ ଗଛ ସହ ପିଟି ଦେଇଥିଲା। ଗୁରୁତର ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମୃତଦେହ କୋଦଳା ଡାକ୍ତରଖାନାରେ ରହିଛି। ଅନ୍ୟ ୨ ଆହତ ମଧ୍ୟ ସେଠି ଚିକିତ୍ସିତ ହେଉଛନ୍ତି।
ଏହାସହ ପଢ଼ନ୍ତୁ : Accident Breaking: ଭୟଙ୍କର ଦୁର୍ଘଟଣା, ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍, ରାସ୍ତାରେ ଛିଟିକି ପଡିଲା ମୃତଦେହ